ସହରାଞ୍ଚଳରେ ପିଏମଏୱାଇ ସ୍କିମ୍ ପୂରଣରେ ବାଧକ

Straight to the Point
୫ମ ପର୍ଯ୍ୟାୟରେ ବାତିଲ ହୋଇଛି ୩୭୬ ଜଣ ହିତାଧିକାରୀଙ୍କ କାର୍ଯ୍ୟାଦେଶ

ଭଦ୍ରକ:- ସହରାଞ୍ଚଳରେ ନିଜସ୍ୱ ଜମି ଥାଇ ପକ୍କା ଘର ନିର୍ମାଣ କରି ପାରୁନଥିବା ହିତାଧିକାରୀଙ୍କ ପାଇଁ ପ୍ରଣୟନ ହୋଇଛି ଆବାସ ଯୋଜନା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଜରିଆରେ ସହାଞ୍ଚଳରେ ନିଜ ନାମରେ ଥିବା ପଟ୍ଟାଧାରୀଙ୍କୁ ନିଜର ସହଭାଗୀତା ରାଶୀ ସହିତ ‘ସମସ୍ତଙ୍କୁ ଗୃହ ଯୋଜନା’ ମାଧ୍ୟମରେ ଗୃହ ନିର୍ମାଣ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି । ଏଥି ନିମିତ୍ତ କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ତେବେ ହିତାଧିକାରୀଙ୍କ ନାମରେ ସହରାଞ୍ଚଳରେ ଅନ୍ୟୁନ ୪୦ବର୍ଗ ମିଟର ଜମି ଥିବା ଆବଶ୍ୟକ ।

ସେହପରି ହିତାଧିକାରୀ ବାର୍ଷୀକ ଆୟ ୧ଲକ୍ଷ ୮୦ହଜାର ଟଙ୍କାରୁ ଉଦ୍ଧ୍ୱର୍ ହୋଇ ନଥିବା ମଧ୍ୟ ଆବଶ୍ୟକ । ପୂର୍ବରୁ ସଂପୃକ୍ତ ହିତାଧିକାରୀ କୌଣସି ଆବାସ ଯୋଜନାରେ ଘର ପାଇଥିଲେ ସେମାନେ ଏଥି ପାଇଁ ଆବଦେନ କରିନପାରିବାର ନିୟମ ରହିଛି । ଏହା ବ୍ୟତୀତ ହିତାଧିକାରୀଙ୍କ ହିତାଧିକାରୀ ବା ତାଙ୍କର କୌଣସି ସମ୍ପର୍କୀୟଙ୍କ ନାମରେ କୌଣସି ସ୍ଥାନରେ ପକ୍କା ଘର ନଥିବା ଆବଶ୍ୟକ ବୋଲି ଏହି ଯୋଜନାର ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି । ତେବେ ଉଲ୍ଲେଖ ଥିବା ନିୟମକୁ ଉଲଂଘନ କରୁଥିବା ତଥା ଉକ୍ତ ଯୋଜନାରେ ଥିବା ନିର୍ଦ୍ଦେଶାବଳୀକୁ ପାଳନ କରିପାରୁନଥିବା କିମ୍ବା ଅଯୋଗ୍ୟ ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରାଯିବାର ନିୟମ ମଧ୍ୟ ରହିଛି ।

ତେବେ ହିତାଧିକାରୀଙ୍କୁ ମିଳିବାକୁ ଥିବା ୨ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ରାଶୀ ୪ଟି କିସ୍ତିରେ ପ୍ରଦାନ କରାଯାଇଥାଏ । ମାଟି ଖେଳା ସହିତ ଭିତ୍ତିଭୂମି ପ୍ରସ୍ତୁତ ଶେଷ କଲେ ପ୍ରଥମ କିସ୍ତି ୪୦ ହଜାର, ଭିତ୍ତିଭୂମୀ ସହ ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ୬୦ହଜାର ଟଙ୍କର ଦ୍ୱିତୀୟ କିସ୍ତି, ଛାତ ଢ଼ଳେଇ ପକାଇବା ପରେ ୬୦ ହଜାର ଟଙ୍କାର ତୃତୀୟ କିସ୍ତି ପ୍ରଦାନ କରାଯାଉଥିବାବେଳେ, ଘର ସଂପୂର୍ଣ୍ଣ ହେବା ସହ ପାଇଖାନା, ବିଦ୍ୟୁତକରଣ ସରିଲେ ଶେଷ କିସ୍ତି ୪୦ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥାଏ । ତେବେ ଏତେ ସବୁ ସୁବିଧା ସତ୍ତେ୍ୱ ସହରାଞ୍ଚଳର ହିତାଧିକାରୀମାନେ ଏହାର ସୁଯୋଗ ନେଇ ପାରୁ ନଥିବା ଜଣାପଡ଼ିଛି ।

କାରଣ ପୌର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୨୦୧୫-୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆବାସ ଯୋଜନାରେ ୫ଟି ପର୍ଯ୍ୟାୟରେ ଆବଣ୍ଟନ ହୋଇଥିବା ତଥା କାର୍ଯ୍ୟାଦେଶ ପାଇଥିବା ୨ହଜାର ୧ଶହ ହିତାଧିକାରୀମାନଙ୍କ ମଧ୍ୟରୁ ୩୭୬ଜଣଙ୍କ କାର୍ଯ୍ୟାଦେଶ ବାତିଲ ହୋଇଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ ୨୦୧୫-୧୬ ମସିହାରେ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ପୌରାଞ୍ଚଳର ସମସ୍ତ ୩୦ଟି ୱାର୍ଡ଼ର ୨୫୦ଜଣ ହିତାଧିକାରୀଙ୍କୁ ଚୟନ କରାଯିବା ସହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ବିଭିନ୍ନ କାରଣରୁ ୮୪ଜଣଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇଥିଲା ।

ସେହିପରି ୨୦୧୬-୧୭ ମସିହାରେ ଦ୍ୱିତୀୟ ପର୍ଯ୍ୟାୟରେ ୭୭୫ଜଣଙ୍କୁ ୬୫୬ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ୧୪୫ଜଣଙ୍କ କାର୍ଯ୍ୟାଦେଶକୁ ବାତିଲ କରାଯାଇଥିଲା । ଅନୁରୂପ ତୃତୀୟ ପର୍ଯ୍ୟୟରେ ୬୪୧ ହିତାଧିକାରୀଙ୍କ ମଧ୍ୟରୁ ୧୩ଜଣଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇଥିଲା । ୪ର୍ଥ ପର୍ଯ୍ୟୟରେ ମୋଟ ୩୭ଜଣ କାର୍ଯ୍ୟାଦେଶ ପାଇଥିଲେ । ତେବେ ୫ମ ପର୍ଯ୍ୟାୟରେ ୧୨ଜଣ ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇଥିବାର ସୂଚନା ମିଳିଛି । ଅପରପକ୍ଷରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୪୪ଜଣ ସେମାନଙ୍କର ଘର କାର୍ଯ୍ୟ ସମ୍ପୂର୍ଣ୍ଣ କରି ସମ୍ପୂର୍ଣ୍ଣ ଅର୍ଥରାଶୀ ପାଇଥିବାବେଳେ, ଅନ୍ୟ ହିତାôଦକାରୀମାନଙ୍କର ଗୃହ ନିର୍ମାଣ ଏବେ ମଧ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି ।

ତେବେ ନିୟମାନୁଯାୟୀ ହିତାଧିକାରୀମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ନିମୟ ରହିଥିବାରୁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଥି ନେଇ ବାରମ୍ବାର ତାଗିଦ କରିବାକୁ ପଡ଼ୁଥିବା ଜଣାପଡ଼ିଛି । ତେବେ ‘ସମସ୍ତଙ୍କୁ ଗୃହ ଯୋଜନା’ ପରି ଏକ ଜନକଲ୍ୟାଣକାରୀ ଯୋଜନାକୁ ପୌରାଞ୍ଚଳର ହିତାଧିକାରୀମାନେ ସେପରି ଗୁରୁତ୍ୱ ଦେଉ ନଥିବା ପରିଲକ୍ଷିତ ହୋଇଛି ।

error: Thank You Keep Visiting