ଖତ ଖାଉଛି ଟ୍ରମା ୟୁନିଟ : ଆଘାତପ୍ରାପ୍ତ ରୋଗୀଙ୍କୁ ଭଗବାନ ଭରସା

Straight to the Point

ଭଦ୍ରକ:- ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଟା କରାଯାଇଥିବା ଟ୍ରମା କେୟାର ୟୁନିଟକୁ ଛଅବର୍ଷ ପୁରିଲା । ହେଲେ ଓଳିକ ପାଇଁ ଖୋଲିଲାନି ଟ୍ରମା ୟୁନିଟର ଆଇସିୟୁ କ୍ୟାବିନ । କେବଳ ଆଇସିୟୁ କ୍ୟାବିନ ନୁହେଁ ୟୁନିଟରେ ଆଘାତପ୍ରାପ୍ତ ରୋଗୀଙ୍କ ସକାସେ ଉଦ୍ଧିଷ୍ଟ ୧୨ ଗୋଟି ବେଡ ମଧ୍ୟ ଅଧିକାଂଶ ସମୟରେ ଖାଲି ପଡୁଛି । ଏହା ଅର୍ଥ ନୁହେଁ ଯେ ୟୁନିଟକୁ ରୋଗୀ ଆସୁନାହାନ୍ତି ଗୁରୁତ୍ୱପୁର୍ଣ୍ଣ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତି ଯୋଗୁ ସଡକ ଦୁର୍ଘ୍ୟଟଣା ଆହତ ଶହ ଶହ ରୋଗୀ ଏଠାକୁ ଆସୁଛନ୍ତି । ହେଲେ ସେମାନଙ୍କୁ ସେବା ଯୋଗାଇ ଦେବାକୁ ୟୁନିଟରେ ନା ଅଛନ୍ତି ଅଭିଜ୍ଞ ଡାକ୍ତର ନା ଅଛି ଅତ୍ୟାଧୁନିକ ସିଟିସ୍କାନ ମେସିନ ।

ଫଳରେ ଦୁର୍ଘ୍ୟଟଣାଗ୍ରସ୍ତ ଲୋକଙ୍କ ଆଘାତର ଗମ୍ଭିରତା ଅଟକଳ କରିନପାରି ରୋଗୀଙ୍କ ଜୀବନରକ୍ଷା ସକାସେ ହେଉ ଅଥବା ନିଜର ଆତ୍ମରକ୍ଷା ସକାସେ ହେଉ ତୁରନ୍ତ ସେମାନଙ୍କୁ କଟକ ପଠାଇ ଦେଇ ଦାୟିତ୍ୱାଧିନ ଡାକ୍ତର ସେମାନଙ୍କ ଦାୟିତ୍ୱ ସାରି ଦେଉଥିବା ବେଳେ କିଛି ମାମୁଲି ଆଘାତପ୍ରାପ୍ତ ରୋଗୀଙ୍କୁ ୟୁନିଟରେ ରଖି ସେମାନଙ୍କ ଚିକିତ୍ସା କରାଯାଉଛି । ଫଳରେ କୋଟି କୋଟି ଟଙ୍କା ଖର୍ଚ କରାଯାଇ ପ୍ରତିଷ୍ଟା କରାଯାଇଥିବା ଟ୍ରମା କେୟାର ୟୁନିଟ ଏବେ ଏକ ସାଧାରଣ ମାମୁଲି ଡାକ୍ତରଖାନାରେ ପରିଣତ ହୋଇଛି । ଭଦ୍ରକ ଜିଲ୍ଲାରେ ବଢିଚାଲିଥିବା ସଡକ ଦୁର୍ଘ୍ୟଟଣାକୁ ଦୃଷ୍ଟିରେ ରଖି ଗତ ଛଅ ବର୍ଷ ତଳେ ପାୟ ୪ କୋଟି ଟଙ୍କା ବ୍ୟୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିର୍ମାଣ କରାଯାଇଥିଲା ଟ୍ରମା କେୟାର ୟୁନିଟ । ସଡକ ଦୁର୍ଘ୍ୟଟଣାରେ ଆଘାତପ୍ରାପ୍ତ ଗୁରୁତର ରୋଗୀଙ୍କୁ ଗାଡିରେ ସିଧାସଳଖ ଆଇସିୟୁରେ ଭର୍ତି କରିବାକୁ ସ୍ୱତନ୍ତ୍ରଭାବେ ଏହି ୟୁନିଟ ପ୍ରତିଷ୍ଟା କରାଯାଇଥିଲା । ୟୁନିଟ ପ୍ରତିଷ୍ଟା ହେବା ପରେ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ କରାଯାଇ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଥିଲା ।

ସାଧାରଣ ରୋଗୀଙ୍କ ଛଡା ଗୁରୁତର ଆଘାତପ୍ରାପ୍ତ ରୋଗୀଙ୍କ ସକାସେ ୪ ଗୋଟି ଆଇସିୟୁ ପ୍ରତିଷ୍ଟା କରାଯାଇଥିଲା । ହେଲେ ସବୁ ଥାଇ ମଧ୍ୟ ୟୁନିଟରେ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ଙ୍କ ଅଭାବ ସାଙ୍ଗକୁ ଦୁର୍ଘ୍ୟଟଣାଗ୍ରସ୍ତ ରୋଗୀଙ୍କୁ ଆଘାତର ଗମ୍ଭିରତା ମାପିବା ସକାସେ ସିଟିସ୍କାନ ମେସିନ ଏବଂ ଆଘାତପ୍ରପ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଜଣେ ଅଭିଜ୍ଞ ନ୍ୟୁରୋ ସଜର୍୍ରୀ ଡାକ୍ତର ନିଯୁକ୍ତି ଦିଆଗଲା ନାହିଁ । ଫଳରେ ଦୁର୍ଘ୍ୟଟଣାରେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ ଆସୁଥିବା ରୋଗୀଙ୍କୁ ବାଧ୍ୟହୋଇ କଟକ ରେଫର କରିଦେବାକୁ ପଡୁଥିବା କଥା କତୃପକ୍ଷ କହିଛନ୍ତି । କତୃପକ୍ଷଙ୍କ କହିବା ଅନୁଯାଇ ଏହି ୟୁନିଟକୁ ମାସିକ ପ୍ରାୟ ୫ ଶହ ରୋଗୀ ଆସୁଥିବା ବେଳେ ସେଥିରୁ ପ୍ରାୟ ୧୫୦ ରୁ ୨୦୦ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି । ଭଦ୍ରକ ଜିଲ୍ଳା ସହିତ ପାଖ ଆଖ ଜିଲ୍ଳାର ପ୍ରାୟ ୨୦ ଲକ୍ଷ ଲୋକ ଏହି ୟୁନିଟ ଉପରେ ନିର୍ଭରଶିଳ ଥିଲେ ମଧ୍ୟ ଆଜିସୁଦ୍ଧା ଏହି ଡାକ୍ତାଖାନାରେ ଗୁରୁତ୍ୱପୁର୍ଣ୍ଣ ନ୍ୟୁରୋ ସଜର୍୍ରୀ ବିଭାଗରେ ଡାକ୍ତର ନିଯୁକ୍ତି ଦୁରକୁ ଥାଉ ଏହି ପୋଷ୍ଟ ମଧ୍ୟ ସୃଷ୍ଟି କରାଯାଇପାରିନାହିଁ ।

ସେହିଭଳି ୟୁନିଟ ସକାସେ ସିଟିସ୍କାନ ମେସିନ ନିତ୍ୟାନ୍ତ ଜରୁରୀ ହୋଇଥିବା ବେଳେ ମେସିନ ବସାଇବା ଦୁରକୁ ଥାଉ ଡାକ୍ତରଖାନା ହେବା ଦିନଠାରୁ ଏଠାରେ ଅଲଟ୍ରାସାଉଣ୍ଡ ଏବଂ ସିଟିସ୍କାନ ମେସିନ ଚଳାଇବା ସକାସେ ଜଣେ ରେଡିଓଲୋଜିଷ୍ଟ ନିଯୁକ୍ତି ଦିଆଯାଇପାରିଲା ନାହିଁ । ୟୁନିଟରେ ଆଇସିୟୁ ଥାଇ ମଧ୍ୟ ଆଇସିୟୁ ଚଳାଇବାକୁ କେହି ନାହାନ୍ତି । ଭଦ୍ରକ ଜିଲ୍ଲା ରାଜନୈତିକ ଇତିହାସରେ ଏକାଧିକ ନେତା ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୁର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରଛନ୍ତି ଏକାଧିକ ନେତା ବହୁ ଗୁରୁତ୍ୱପୁର୍ଣ୍ଣ ପଦବୀରେ ମନ୍ତ୍ରୀ ହୋଇଛନ୍ତି ହେଲେ ଏଥିନେଇ କେହି ସାମନ୍ୟତମ ଦରଦ ଦେଖାଇନାହାନ୍ତି ।

ଫଳରେ ଦୁର୍ଘଟଣାପ୍ରବଣ ଭଦ୍ରକ ଜିଲ୍ଳାବାସୀଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଟା କରାଯାଇଥିବା ଟ୍ରମା କେୟାର ୟୁନିଟ କେବଳ ଏକ ମାମୁଲି ଡାକ୍ତରଖାନା ଭାବେ ପଡିରହିଥିବା ବେଳେ ଖର୍ଚାନ୍ତ ହୋଇ ଲୋକେ କଟକ ଅଥବା ଭୂବନେଶ୍ୱର ଯାଇ ଚିକିତ୍ସିତ ହେଉଥିବା ବେଳେ କେତେକ ତୁରନ୍ତ ସେବା ନପାଇ ସବୁଦିନ ପାଇଁ ଆଖିବୁଜି ଦେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏହି ଟ୍ରମା ୟୁନିଟରେ ବର୍ଷ ବର୍ଷ ଧରି ଏହି ସଙ୍କଟ ଲାଗି ରହିଥିଲେ ମଧ୍ୟ ଦେଖିବାକୁ କେହି ନାହିଁ କିମ୍ଭା ଶୁଣିବାକୁ କେହି ନାହାନ୍ତି । ଫଳରେ ଆଘାତପ୍ରାପ୍ତ ରୋଗୀଙ୍କୁ କେବଳ ଭଗବାନ ଭରସା ବୋଲି ଆଲୋଚନା ହେଉଛି ।

error: Thank You Keep Visiting