ପୌରପାଳିକାର ୫ନଂ ୱାର୍ଡର ରାସ୍ତା ବର୍ଷାରେ ବେହାଲ

Straight to the Point

ଭଦ୍ରକ: ଭଦ୍ରକ ପୌରପାଳିକାର ୫ନଂ ୱାର୍ଡର ଅନେକ ସ୍ଥାନରେ ଲଘୁଚାପ ଜନିତ ସାମାନ୍ୟ ବର୍ଷା ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି । ଏହି ଅଂଚଳରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ବିଶେଷକରି ରୋଟାରିଆନ୍ ସୀତାକାନ୍ତ ଦାସଙ୍କ ଘର ଠାରୁ ହୁସେନ ପତିଙ୍କ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିର ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏହି ରାସ୍ତାଦେଇ ପ୍ରତିଦିନ ସ୍ଥାନୀୟ ରାମଚନ୍ଦ୍ର ବିହାରୀଲାଲ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ହାପିହୋମ୍ ସ୍କୁଲ ଓ ମିଶନ ପବ୍ଲିକ୍ ସ୍କୁଲର ହଜାର ହଜାର ଛାତ୍ରଛାତ୍ରୀ ଯାତାୟତ କରନ୍ତି ।

ପଥରଆଡି ରାସ୍ତା ସମେତ ଏହି ରୋଡ୍ ଦେଇ ପ୍ରତିଦିନ ପଥରଆଡି-ଚୁନଟିର ହଜାର ହଜାର ଜନସାଧାରଣ ଯାତାୟତ କରୁଥିବାବେଳେ ଦୀର୍ଘବର୍ଷ ହେବ ଏହି ରାସ୍ତାର କୌଣସି ମରାମତି ହୋଇନାହିଁ । ଫଲରେ ଗୋଟିଏ ଘଣ୍ଟା ଲଘୁଚାପ ଜନିତ ବର୍ଷାରେ ଏହି ଅଂଚଳର ରାସ୍ତା ଜଳାର୍ଣ୍ଣବ ହୋଇପଡେ । ଲୋକମାନଙ୍କ ପାଇଁ ଏହା ଏଭଳି ସଂକଟମୟ ପରିସ୍ଥିତି ସୃଷ୍ଟି କରେ ଯେ ଛାତ୍ରଛାତ୍ରୀଙ୍କ ସମେତ ରୋଗୀ ଓ ଛୋଟ ଛୋଟ ପିଲାମାନେ ଏହା ମଧ୍ୟ ଦେଇ ସହରକୁ ଡାକ୍ତରଖାନା ଓ କୌଣସି ଜରୁରୀ କାଳୀନ କାର୍ଯ୍ୟ କରିବାକୁ ଆସିପାରନ୍ତି ନାହିଁ । ଖରା ହୋଇ ଏହି ପାଣି ଶୁଖିବା ପର୍ଯ୍ୟନ୍ତ ଲୋକମାନଙ୍କୁ ଅପେକ୍ଷା କରିବାକୁ ପଡେ ।

ଏହି ରାସ୍ତାଟିର ଦୂରାବସ୍ଥା ନେଇ ସ୍ଥାନୀୟ ଲୋକେ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ନବ ନିର୍ବାଚିତ ଯୁବ ବିଧାୟକ ସଂଜୀବ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଏହି ୱାର୍ଡର ଜଳ ନିଷ୍କାସନ ସମସ୍ୟା ବିଧାୟକ ଶ୍ରୀ ମଲ୍ଳିକଙ୍କ ଦୃଷ୍ଟିଗୋଚର ହେବା ପରେ ସେ ତୁରନ୍ତ ଏଥିନେଇ ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି । ସୂଚନା ଅନୁଯାୟୀ ଚରମ୍ପାରୁ ପଥରଆଡି ମୁଖ୍ୟ ରାସ୍ତା ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ ନେଇ ପ୍ରସ୍ତାବ ଗୃହୀତ ହୋଇଛି । ଯାହା ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting