ଜିଲାପାଳଙ୍କୁ ଟ୍ୱିଟ୍ ମାଧ୍ୟମରେ ଚାକିରୀ ନଦେଲେ ଇଚ୍ଛାମୃତ୍ୟୁ କାମନା କରି ଯୁବକ ଚର୍ଚ୍ଚାରେ

Straight to the Point

ଭଦ୍ରକ: ଜଣେ ଶିକ୍ଷିତ ଭିନ୍ନକ୍ଷମ ଯୁବକ ବେକାର ଓ ଦରିଦ୍ର ଥାଇ ଘରୁ ଓ ବାହାରୁ ବିଭିନ୍ନ ଅପମାନ ମୂଳକ କଥା ଶୁଣିବା ପରେ ଜିଲାପାଳ ତାଙ୍କୁ କୌଣସି ସରକାରୀ ଚାକିରୀ ଦେଇ ଥଇଥାନ ନକଲେ ଇଚ୍ଛାମୃତ୍ୟୁର ଅନୁମତି ଦେବାଭଳି ଅଭାବନୀୟ କଥା ଟ୍ୱିଟ୍ ମାଧ୍ୟମରେ ଜଣାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଜିଲାପାଳ ଜ୍ଞାନ ଦାସ ଏଭଳି ଏକ ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଆଜି ସଂପୃକ୍ତ ଯୁବକକୁ ନିଜ କାର୍ଯ୍ୟାଳୟକୁ ଡକାଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀଙ୍କ ମାଧ୍ୟମରେ ତାର ଭିନ୍ନକ୍ଷମ ଭତ୍ତା ମଂଜୁର କରାଇଛନ୍ତି । ଏବଂ କୌଣସି ସରକାରୀ କିମ୍ବା ଘରୋଇ ଚାକିରୀ ଦେବାରେ ତାଙ୍କର କ୍ଷମତା ନଥିବାର ଦର୍ଶାଇ ଭବିଷ୍ୟତରେ ସେଭଳି କିଛି ସୁଯୋଗ ଆସିଲେ ତାହା ତାଙ୍କ କ୍ଷେତ୍ରରେ ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ସଂପର୍କରେ ସଂପୃକ୍ତ ଯୁବକ ଠାରୁ ଯାହା ଜଣାପଡେ ଏହି ଜିଲାର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଇରମ୍ରେ ରମାକାନ୍ତ ଦାଶ ନାମକ ଜଣେ ପୁରୋହିତଙ୍କ ଘର । ସେ ପୂଜାର୍ଚ୍ଚନା କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କର କୌଣସି ନିଜର ଘରବାଡି ନଥିବାବେଳେ ଇରମରେ ନିଜ ଶ୍ୱଶୁରଘରେ ଘରଜ୍ୱାଇଁଆ ଭାବେ ରହିଆସୁଛନ୍ତି । ପରିବାର କହିଲେ ପତ୍ନୀ ଆଶାମଣୀ, ଦୁଇଝିଅ ଓ ଏକମାତ୍ର ପୁତ୍ର ଉମାକାନ୍ତ । ସେମାନଙ୍କର ଚଳିବା ପାଇଁ କୌଣସି ରୋଜଗାର ମାଧ୍ୟମ ନଥିବାବେଳେ ସରକାରଙ୍କର କୌଣସି ଯୋଜନା ସେମାନଙ୍କ କ୍ଷେତ୍ରରେ ଲାଗୁ ହୋଇପାରିନାହିଁ । ଦୁଇଝିଅକୁ ରମାକାନ୍ତ କୌଣସି ମତେ ମାଗିଯାଚି ବିବାହ କରିଦେଇଥିବାବେଳେ ଏକମାତ୍ର ପୁତ୍ର ଉମାକାନ୍ତକୁ ଏବେ ୩୧ ବର୍ଷ ହୋଇଥିଲେ ବି ୬୦ ପ୍ରତିଶତ ଦିବ୍ୟାଙ୍ଗ ଅଟେ ।

ଦିବ୍ୟାଙ୍ଗ ଥାଇ ବି ଉମାକାନ୍ତ ନିଜର ମନୋବଳ ଯୋଗୁଁ ବି.କମ୍ ପାସ୍ ସହ କମ୍ପ୍ୟୁଟର ଜ୍ଞାନ ଅର୍ଜନ କରିଥିଲେ ବି ଚାକିରୀଟିଏ ତା ପାଇଁ ସ୍ୱପ୍ନ ହୋଇପଡିଛି । ଏକମାତ୍ର ଶିକ୍ଷିତ ପୁତ୍ର ଥାଇ ବି ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ କୌଣସି ଚାକିରୀ ମିଳୁନଥିବାରୁ ସେ ନିଜ ପରିବାରର ଦାରିଦ୍ର‌୍ୟତା ଦେଖି ନିଜକୁ ଅତ୍ୟନ୍ତ ହୀନ ମନେ କରୁଥିଲେ । ଏପରିକି ଏଥିଯୋଗୁଁ ତାଙ୍କୁ ନିଜ ଘରୁ ଓ ବାହାରୁ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ପଡୁଥିଲା । ତେଣୁ ସେ ଏଭଳି ଭାବେ ନିଜ ପିତାମାତାଙ୍କ ଆଶା ଭରସା ପୂରଣ ନକରିବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର ଭାବି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ ମାଧ୍ୟମରେ ଚାକିରୀଟିଏ ନଦେଲେ ଇଚ୍ଛାମୃତ୍ୟୁ କାମନା କରିଥିଲେ । ଏପରିକି ଆବଶ୍ୟକ ପଡିଲେ ସେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

error: Thank You Keep Visiting