ସ୍କୁଲ ଶ୍ରେଣୀ କକ୍ଷରୁ ସାଢେ ପାଞ୍ଚଫୁଟର ନାଗ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Straight to the Point

ଭଦ୍ରକ: ପାଚିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଏକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୀବନ ସର୍ପ ଦଂଶନ ଭଳି ଅଭାବନୀୟ ପରିସ୍ଥିତିରୁ ସୁରକ୍ଷିତ ହୋଇପାରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପୌରାଞ୍ଚଳ ଅଧୀନସ୍ଥ ମିର୍ଜାପୁର ନାଥସାହି ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୨୯ ଜଣ ପିଲା ଗୋଟିଏ ଶ୍ରେଣୀ କକ୍ଷରେ ପଢିଆସୁଛନ୍ତି । ଉକ୍ତ କକ୍ଷର ସମସ୍ତ ଛାତ୍ରଛାତ୍ରୀ ଫାଟିଯାଇଥିବା ପକ୍କା ପରିତ୍ୟକ୍ତ ଚଟାଣରେ ବସି ଅଧ୍ୟୟନ କରିଆସୁଥିବାବେଳେ ଗତକାଲି ମଧ୍ୟାହ୍ନ ଭୋଜନ ସମୟର ଖେଳ ସମୟରେ ଉକ୍ତ କକ୍ଷର ଏକ ଫାଟ ମଧ୍ୟରେ ନାଗସାପର ମୁଣ୍ଡକୁ ପିଲାମାନେ ଦେଖିଥିଲେ ।

ଶ୍ରେଣୀ ଗୃହ ନିକଟରେ ପାଣି ବିଲ ଓ ପୋଖରୀ ଥାଇ କଉ ମାଛ ଅନେକ ସମୟରେ ସେଠାକୁ ଉଠିଆସୁଥିବାରୁ ପିଲାମାନେ ସାପଟିର ମୁଣ୍ଡକୁ ମାଛ ମୁଣ୍ଡ ଓ ଆଉ କେତେକ ମୂଷା ବୋଲି ଭାବି କାଗଜ ଗୁଳାମାନ ଫିଙ୍ଗିଥିଲେ । ଏହି ଘଟଣାକୁ ପାଚିକା ବେଙ୍ଗୁଲି ନାଥ ଦେଖି ଏକ ବାଡି ଖେଂଚିବାରୁ ତାହା ବିଷାକ୍ତ ନାଗସାପ ବୋଲି ଜଣାପଡିଥିଲା । ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିପ୍ରଭା ସ୍ୱାଇଁ ତାହା ଜାଣି ପିଲାମାନଙ୍କୁ ଉକ୍ତ ଗୃହରୁ ସ୍ଥାନାନ୍ତର କରି ଚାବି ପକାଇ ବନ୍ଦ କରି ଏ ବିଷୟରେ ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଅବଗତ କରାଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଭଦ୍ରକର ବହୁ ଚର୍ଚ୍ଚିତ ସାପଧରାଳି ମିର୍ଜା ସହ ଯୋଗାଯୋଗ କରିଥିଲେ ।

ସାପଧରାଳି ମିର୍ଜା ଉକ୍ତ ଶ୍ରେଣୀ ଗୃହଟିରୁ ଏକ ସାଢେ ପାଞ୍ଚଫୁଟର ନାଗସାପ ଉଦ୍ଧାର କରିଥିବାବେଳେ ଉକ୍ତ ଚଟାଣ ତଳେ ଏକାଧିକ ସାପ ଥିବା ବିଷୟ ସୂଚନା ଦେଇଥିଲେ । ଆସନ୍ତାକାଲି ମିର୍ଜା ଉକ୍ତ ଚଟାଣଟିକୁ ତାଡି ଅନ୍ୟ ସାପଗୁଡିକୁ ଉଦ୍ଧାର କରିବାର ଯୋଜନା ରହିଥିବା ବିଷୟ ପ୍ରଧାନ ଶିକ୍ଷୟିତ୍ରୀ ଗଣମାଧ୍ୟମକୁ କହିଛନ୍ତି । ତେବେ ପାଚିକାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ପିଲାମାନେ ସର୍ପାଘାତରୁ ଉଦ୍ଧାର ପାଇଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

error: Thank You Keep Visiting