ପାଚିକା ସହାୟିକା ସଙ୍ଘ ପକ୍ଷରୁ ୪ରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

Straight to the Point

କେନ୍ଦ୍ରାପଡା : ୧୩ଦଫା ଦାବୀରେ ଆସନ୍ତା ସେପ୍ଟେମ୍ବରମାସ ୪ତାରିଖରେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଗୁରୁବାର ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲା ସଭାପତି ସୁହାନା ବେଗମଙ୍କ ସଭାପତିତ୍ୱରେ ଏହି ଉପଲକ୍ଷେ ଅନୁଷ୍ଟିତ ପ୍ରସ୍ତୁତି ବୈଠକରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ନେତା ଆଇନଜୀବି ରମଣୀରଞ୍ଜନ ରାଉତରାୟ ଯୋଗଦେଇ କହିଥିଲେ ଯେ ପାଚିକା ଓ ସହାୟିକାମାନଙ୍କ ଦାବୀକୁ ସରକାର ତୁରନ୍ତ ପୁରଣ କରନ୍ତୁ ନଚେତ ସଙ୍ଘ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବା ସହ ସେମାନଙ୍କ ହକ ପାଇଁ ଲଢେଇ କରାଯିବ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ ଦେଶର ଭବିଷ୍ୟତ ନାଗରିକମାନଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରୁଥିବା ପାଚିକା ଓ ସହାୟିକାମାନଙ୍କୁ ଦଶମାସର ଦରମା ପରିବର୍ତ୍ତେ ୧୨ମାସର ଦରମା ପ୍ରଦାନ,ଦରଦାମ ବୃଦ୍ଧି ଯୋଗୁ ମାସିକ ଦରମା ୧୪ଶହ ଟଙ୍କାକୁ ବୃଦ୍ଧି କରାଯିବା, ଦେହ ଖରାପ ହେଲେ ବର୍ଷକୁ ସର୍ବନିମ୍ନ ୧୫ଦିନ ଛୁଟି ପ୍ରଦାନ, ସକାଳ ୯ଟାରୁ ଆସି ସ୍କୁଲଗୃହ ସଫା ଓ ପାଇଖିନା ସଫା ଦାୟିତ୍ୱକୁ ବାଦ ଦିଆଯିବା, ସଂଗଠନର ଆନ୍ଦୋଳନକୁ ଯିବାରେ ବାଧା ଦିଆନଯିବା,ସରକାରଙ୍କ ଘୋଷଣା ଅନୁଯାଇ ବର୍ଷକୁ ୨ଟି ଶାଢି ପ୍ରଦାନ କିମ୍ବା ଶାଢି ବାବଦକୁ ଏକହଜାର ଟଙ୍କା ପ୍ରଦାନ କରାଯିବା, ସ୍କୁଲ ବନ୍ଦ ହେବାରୁ ବାଦ ପଡିଥିବା ପାଚିକାଙ୍କୁ ନିଯୁକ୍ତି ପ୍ରଦାନ, କାମକରିପାରୁଥିବା ପାଚିକାଙ୍କୁ ବାହାର ନକରିବା, ୬୦ବର୍ଷ ଆଳରେ ବାହାର କଲେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ପେନସନ ପ୍ରଦାନ କରାଯିବା, ମଧ୍ୟାହ୍ନରେ ପାଚିକାଙ୍କ ଖାଦ୍ୟ ସୁନିଶ୍ଚିତ କରିବା ସହିତ ସର୍ବନିମ୍ନ ୫ଲକ୍ଷଟଙ୍କାର ବୀମା ପ୍ରଦାନ କରାଯିବା, ମଧ୍ୟାହ୍ନ ଭୋଜନର ମୂଲ୍ୟ ବୃଦ୍ଧିକରି ସର୍ବନିମ୍ନ ୧୫ଟଙ୍କା କରାଯିବା,ସରକାରୀ ଚାକିରୀର ମାନ୍ୟତା ସହ ମାସକୁ ୧୮ହଜାର ଟଙ୍କା ଦରମା ପ୍ରଦାନ,ପାଚିକା ଓ ସହାୟିକାମାନଙ୍କ ପିଲାମାନଙ୍କୁ ପାଠ ପଢାଇବାର ସମସ୍ତ ଦାୟିତ୍ୱ ସରକାର ବହନ କରିବା ଏବଂ ମଧ୍ୟାହ୍ନ ଭୋଜନକୁ ଘରୋଇକରଣ କରାନଯିବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦିକା ସୈାଭାଗିନୀ ପତି,କେନ୍ଦ୍ରାପଡା ବ୍ଲକ ସଭାପତି ମଞ୍ଜୁଲତା ସାହୁ,ମହାକାଳପଡା ବ୍ଲକ ଉପସଭାପତି ଝରଣା ବେହେରା, ଝରନା ରାଉତ,ମମତା ରାଉତ, ପଟ୍ଟାମୁଣ୍ଡାଇ ବ୍ଲକର ଅକ୍ଷୟ ମଲ୍ଲିକ,ଭଜହରି ପ୍ରଧାନ,ଏ.ଆଇ.ଟି.ୟୁ.ସି.ନେତା ସୁଶାନ୍ତ ବାରିକ,ଅନିଲ କୁମାର ଦାସ,ଶୈଳବାଳା ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting