ସ୍ୱାଧୀନତାର ୭୩ ବର୍ଷ ପରେବି ବଢେଇଗଡିଆ ଗାଁକୁ ସବୁଦିନିଆ ରାସ୍ତାଟିଏ ନାହିଁ

Straight to the Point

ଭଦ୍ରକ: ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ ଦଇସିଂ ପଂଚାୟତ କୁଶୁନନଗର ମୌଜାର ବଢେଇଗଡିଆ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ । ଯେଉଁଥିପାଇଁ ଏହି ରାସ୍ତାଟିର ନିର୍ମାଣ ଦିଗରେ ସ୍ଥାନୀୟ ଗ୍ରାମବାସୀ ବହୁବାର ଜିଲା ପ୍ରଶାସନ ଓ ରାଜନେତାଙ୍କ ନିକଟରେ ଅଭିଯୋଗ ସହ ରାସ୍ତାରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ବି ତାହା ଏପର୍ଯ୍ୟନ୍ତ ଫଳପ୍ରସୂ ହୋଇପାରିନାହିଁ । ଏହି ରାସ୍ତାଟିର ଅଭାବ ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀ, ପ୍ରସୂତି ମହିଳା ଓ ସ୍ଥାନୀୟ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ଘରପୋଡି କିମ୍ବା କୌଣସି ଜରୁରୀ କାଳୀନ ଚିକିତ୍ସା କାଳରେ ଦମକଳ ଓ ଆମ୍ବୁଲାନ୍ସଟିଏ ଏଠାକୁ ଯିବା ଅସମ୍ଭବ ହୋଇପଡେ । ଏଣୁ ଉପରୋକ୍ତ ଅଂଚଳର ସଂଗ୍ରାମ ନାୟକ, କ୍ଷୀରୋଦ ମଲ୍ଲିକ, ସୂର୍ଯ୍ୟକାନ୍ତ ମଲ୍ଲିକ, ବିକାଶ ବେହେରା ଓ ଅଭିଜିତ୍ ଜେନା ପ୍ରମୁଖ ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଭେଟି ସବୁଦିନିଆ ପକ୍କା ରାସ୍ତାଟିଏ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ବିଧାୟକ ଶ୍ରୀ ମଲ୍ଲିକ ଲୋକମାନଙ୍କ ଦାବିକୁ ସମ୍ମାନ ଦେଇ ଯଥାଶୀଘ୍ର ସେ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ଲୋକଙ୍କର ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ବରପଦା ବଜାରରୁ ବଢେଇଗଡିଆ ଗ୍ରାମକୁ ଯାତାୟତ ନିମନ୍ତେ ଏକ ଅଣଓସାରିଆ ସଂକୁଚିତ ରାସ୍ତା ରହିଛି । ବର୍ଷାଦିନର ଚାରିମାସ ଏହି ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡିବା ଫଳରେ ଲୋକେ ଅତ୍ୟନ୍ତ ଅସହାୟ ଭାବେ ଭାଗ୍ୟକୁ ଆଦରି ଯାତାୟତ କରିଥାନ୍ତି । ଖରାଦିନ ମଧ୍ୟ ଏହି ରାସ୍ତାରେ କୌଣସି ଚାରିଚକିଆ ଯାନ ଯିବା ଅସମ୍ଭବ ହୋଇପଡେ । ଫଳରେ ପ୍ରସୂତି କାଳୀନ ଗର୍ଭବତୀ ଓ ଜରୁରୀ ଚିକିତ୍ସା କାଳୀନ ରୋଗୀକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ବରପଦା ଡାକ୍ତରଖାନାକୁ ନେବା କଷ୍ଟକର ହୋଇପଡେ । ଏବେ ବର୍ଷାଦିନ ଯୋଗୁଁ ଏହି ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ ଜଳ ନିଷ୍କାସନ ପାଇଁ ସ୍ଥାନୀୟ ଲୋକେ ରାସ୍ତାଟିକୁ କାଟି ଦେଇଛନ୍ତି । ଫଳରେ ଏହି ରାସ୍ତା ଦେଇ ବରପଦା ସ୍କୁଲ ଓ କଲେଜକୁ ଯାତାୟତରେ ଛାତ୍ରଛାତ୍ରୀମାନେ ଅକଥନୀୟ ହିନସ୍ତା ଭୋଗୁଛନ୍ତି ।

error: Thank You Keep Visiting