ଭଙ୍ଗା କୁଡିଆ ଓ ଜରିପାଲ ଘେରାରେ ବିତୁଛି ଜୀବନ

Straight to the Point
ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ବୃଦ୍ଧା ବୀଣାପାଣି ନୟାନ୍ତ

ଭଦ୍ରକ: ଗରିବଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡା ନିର୍ଦେଶ ରହିଛି । ଜଣେ ହେଲେ ବି ଗରିବ ଯେପରି ସରକାରୀ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ସରକାର ସରକାରୀ ଅଫିସର ଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ମାନଙ୍କୁ ତାଗିଦ କରୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଘୋଷଣା କରିଥିବା ଗୋଟିଏ ହେଲେ ବି ଚାଳ ଛପର ଘର ରହିବ ନାହିଁ । ସମସ୍ତଙ୍କ ପାଇଁ ପକ୍କା ଘରର ସୁବିଧା ମିଳିବ । ହେଲେ ସରକାରଙ୍କ ଏସବୁ ଯୋଜନା ବାସ୍ତବରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ବିଧବା ବୃଦ୍ଧା ତା’ର ସାତପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିକ ପାଇଁ ବାରମ୍ବାର ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ଦୌଡି ଦୌଡି ଶେଷରେ ନୟାନ୍ତ ହୋଇଛନ୍ତି । ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦିହୁଡି ଆନନ୍ଦପୁର ପଞ୍ଚାୟତରେ । ଗ୍ରାମର ବୀଣାପାଣି ରଣା, ବୟସ ଏବେ ୬୦ରୁ ଉଦ୍ଧ୍ୱର୍ । ସ୍ୱାମୀ କେଦାର ରଣା ୨୦ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଛନ୍ତି । ନିଜର ଗୋଟିଏ ପୁଅ, ବୋହୂ ଓ ୪ଜଣ ଛୋଟ ଛୋଟ ନାତି ନାତୁଣୀକୁ ନେଇ ୭ପ୍ରାଣୀ କୁଟୁମ୍ଭ । ସ୍ୱାମୀ କେଦାର ବଞ୍ଚିଥିବା ବେଳେ ପ୍ରାୟ ୨୦ ବର୍ଷ ପୂର୍ବେ ତାଙ୍କୁ ଏକ ଇନ୍ଦିରାଆବାସ ଘରଟିଏ ମିଳିଥିଲା । ସେତେ ବେଳେ ଗାଁର କେତେକ କୁଜି ନେତା ଘର ନିର୍ମାଣ ଆରମ୍ଭ କରି ସମ୍ପୂର୍ଣ୍ଣ ନକରି ଅଧାରୁ ଛାଡି ଚାଲିଗଲେ । କେବଳ ଘରର ଚାରିପଟ କାନ୍ଥ ଉଠାଇ ଅନ୍ୟ କିଛି କାମ ନକରି ଅଧାରୁ ଛାଡି ଚାଲିଗଲେ । ବହୁ କଷ୍ଟ ଓ ମାଗଣ କରି ଶେଷରେ ବୀଣାପାଣି ଟିଣ ବିଛାଇଥିଲା । ଏବେ ପରିବାର ବଢିବାରୁ ଗୋଟିଏ ଛୋଟ ବଖରାରେ ରହିବା ସମ୍ଭବପର ନୁହେଁ । ସେଥିପାଇଁ ଏକ କୁଡିଆ କରି ସେଥିରେ ୭ଜଣଙ୍କୁ ନେଇ ଚଳୁଛନ୍ତି । ଘରଟି ବର୍ତ୍ତମାନ ଭାଙ୍ଗିରୁଜି ଅବସ୍ଥା ସଂଗୀନ ହୋଇ ପଡିଛି । ୩ବର୍ଷ ହେଲା ଘର ଛିଆ ବି ହୋଇନି । ଛପର ଉପରେ ଅଧା ଜରିପାଲ ଓ ଘର ଚାରିପଟେ ଜରିପାଲ ଟାଣି ରହିବାକୁ ବାଧ୍ୟ ହେଉଛନ୍ତି । ଜରି ମଧ୍ୟ ଚିରି ନଷ୍ଟ ହେଲାଣି । ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଖର କିରଣ, ଥଣ୍ଡା ଦିନରେ ହାଡଭଙ୍ଗା ଶୀତ ଓ ବର୍ଷା ଦିନରେ ଓଦା ସନ୍ତସନ୍ତିଆ ଭିତରେ ରହିବାକୁ ବାଧ୍ୟ ହୁଅନ୍ତି । ପୁଅ ଗଦାଧର ପର ଦୂଆରେ ମୂଲ ଲାଗିଲେ ୭ ପ୍ରାଣିଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ତାଙ୍କ ପକ୍ଷେ କଷ୍ଟକର ହେଉଛି । ଏପରିକି ଏଠାରେ ରୋଜଗାର ନଥିବାରୁ ଏବେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି । ତା ସାଙ୍ଗକୁ ୪ଟି ଛୋଟ ଛୋଟ ପିଲାଙ୍କ ପାଠପଢା ଖର୍ଚ୍ଚ, ବୃଢୀ ମା’ର ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣ କରିବା ତାଙ୍କ ପାଇଁ ବଡ କଷ୍ଟକର । ଯେତିକି ରୋଜଗାର ହେଉଛି ପରିବାର ମୁହଁରେ ଦୁଇଓଳି ଖାଇବାକୁ ଦେବା ତା ପାଇଁ କାଠିକର ଥିବା ବେଳେ ଘର ମରାମତି କିମ୍ବା ନୂଆଘର ତିଆରି କରିବା ସତେ ଯେପରି ତା’ ପାଇଁ ସାତସପନ ପାଲଟିଛି । ସରକାରଙ୍କ ପକ୍ଷରୁ ମିଳୁଥିବା ଘର ପାଇଁ ସହାୟତା ପାଇବା ପାଇଁ ବୃଦ୍ଧା ବୀଣାପାଣି ଆଜକୁ ୫ବର୍ଷ ହେଲା ବିଡିଓ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି, ହେଲେ କେହିଁ ତାଙ୍କ ଦୁଃଖ ବୁଝୁନାହାନ୍ତି ବୋଲି ସେ କହନ୍ତି । ଘରୁ ବୀଣାପାଣି ପାଦରେ ଦୀର୍ଘ ପ୍ରାୟ ୧୨ କିଲୋମିଟର ଚାଲାଚାଲି କେଇ ଖଣ୍ଡ କାଗଜ ଧରି ବିଡିଓଙ୍କୁ ଭେଟି ନିଜର ଦୁଃଖ ଜଣାଇବା ପାଇଁ ଧାମନଗର ବ୍ଲକକୁ ଆସିଥିଲେ । ବିଡିଓ ଅଫିସରେ ନଥିବାରୁ ନିରାଶ ହୋଇ ପୁଣି ଚାଲି ଘରକୁ ଫେରିଥିଲେ । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଦାସ କହନ୍ତି, ପୂର୍ବରୁ ତାଙ୍କ ସ୍ୱାମୀ କେଦାରଙ୍କ ନାମରେ ଏକ ଇନ୍ଦିରାଆବାସ ଘର ମିଳିଥିଲା । ସେତେ ବେଳେ ସମ୍ପୃକ୍ତ ଠିକାଦାର ଘର ନିର୍ମାଣ କାର୍ଯ୍ୟ ଅଧା କରି ଛାଡିଗଲା । ପରେ ବର୍ଷକ ପୂର୍ବେ ବୀଣାପାଣିଙ୍କ ନାମରେ ପୁଣି ଇନ୍ଦିରାଆବାସ ଘର ଆସିଥିଲା ହେଲେ ସରକାରୀ ତଦନ୍ତରେ ତାଙ୍କ ନାମ କଟିଯାଇଛି । ଏବେ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ତାଙ୍କ ନାମ ସୁପାରିସ କରାଯାଇଛି ଆସିଲେ ଘର ହେବ ।

error: Thank You Keep Visiting