ସାରସ୍ୱତ ଜଗତକୁ ଭଦ୍ରକର ଚାରି ଆଦ୍ୟ ସ୍ରଷ୍ଟାଙ୍କ ଭୂମିକା ପ୍ରଣିଧାନଯୋଗ୍ୟ

Straight to the Point

ଭଦ୍ରକ: ଭାରତର ପ୍ରାକ୍ ସ୍ୱାଧୀନତା ଓ ସ୍ୱାଧୀନୋତ୍ତର କାଳରେ ଓଡ଼ିଆ ଭାଷା ସାହିତ୍ୟର ଯେଉଁ କତିପୟ କାଳଜୟୀ ସ୍ରଷ୍ଟା ସେମାନଙ୍କର ସ୍ପଷ୍ଟ ପଦାଙ୍କ ଛାଡିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଐତିହ୍ୟ ସଂପନ୍ନ ଭଦ୍ରକ ମାଟିର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟ କବି ବାଞ୍ଛାନିଧି ମହାନ୍ତି, କବିଶେଖର ଚିନ୍ତାମଣି ମହାନ୍ତି ଓ କଥା ଶିଳ୍ପୀ ନିତ୍ୟାନନ୍ଦ ମହାପାତ୍ର ଅଗ୍ରଗଣ୍ୟ ଏବଂ ଓଡ଼ିଆ ସାହିତ୍ୟକୁ ସେମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ନଭେମ୍ବର ୧୦ ତାରିଖ ଯାଏଁ  ଚାଲୁଥିବା ୧୦ ଦିନ ବ୍ୟାପୀ ସାର୍ବଜନୀନ ୬ଷ୍ଠ ସାଳନ୍ଦୀ ବହିମେଳାର ୭ମ ସୃଜନ ସନ୍ଧ୍ୟାରେ ‘ସାରସ୍ୱତ ଜଗତରେ ଭଦ୍ରକର ଚାରି ମହାରଥୀ’ ଶୀର୍ଷକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ମନମୋହନ ସଂଗୀତ ପରିଷଦ ପରିସରରେ ଡ. ରାଧାବିନୋଦ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ବକ୍ତା ରୂପେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ଡ. ବ୍ରଜମୋହନ ମିଶ୍ର, ଡ. ଶଶଧର ଦାସ ଓ ଡ. ସୁଧାଂଶୁ ନାୟକ ଯୋଗ ଦେଇଥିଲେ । ପ୍ରଫେସର ମହାପାତ୍ର ଦେଶାତ୍ମବୋଧର ମହାନ୍ ଭାବ ତପସ୍ୱୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୃଜନରେ ଆଶାବାଦ ଓ ବିଷାଦର ସ୍ୱର ହୃଦୟସ୍ପର୍ଶୀ ବୋଲି ମତ ଦେଇଥିଲେ । ସାଳନ୍ଦୀର କବି କବିଶେଖର ଚିନ୍ତାମଣି ମହାନ୍ତିଙ୍କ କବିତାରେ ମା’, ମାଟିର ବର୍ଣ୍ଣିଳ ଚିତ୍ର ମନୋଜ୍ଞ ଢଙ୍ଗରେ ଝଳି ଉଠିଛି ବୋଲି ଡ. ମିଶ୍ର ପ୍ରକାଶ କରିଥିଲେ । ଡ. ଦାସ କଥାଶିଳ୍ପୀ ନିତ୍ୟାନନ୍ଦ ମହାପାତ୍ରଙ୍କ କଥା ସାହିତ୍ୟ ଦର୍ଶନ ପ୍ରଭାବିତ ଜନ-ଜୀବନର ମହାକାବ୍ୟ, ଯାହାକୁ ସେ ଭୂମିକୁ ନାୟିକା ଓ କାଳକୁ ନାୟକ କରି ଉତ୍ତୀର୍ଣ୍ଣ କରାଇଛନ୍ତି ବୋଲି ମତପୋଷଣ କରିଥିବାବେଳେ ଡ. ନାୟକ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ଅଜସ୍ର ଦେଶପ୍ରେମ ଉଦ୍ରେକକାରୀ କବିତା ସ୍ୱାଧୀନତା ସଂଗ୍ରାମର ସ୍ରୋତକୁ ପ୍ରଖର କରିବାରେ ସହାୟକ ହୋଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ କବି କିଶୋର ପାଣିଗ୍ରାହୀ ପ୍ରାକ୍ଭାଷ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଶେଷରେ ପ୍ରଫୁଲ୍ଲ କୁମାର ନାୟକ ସଭାର ଶେଷସ୍ପର୍ଶ ଦେଇଥିଲେ । ସଭା ପୂର୍ବରୁ ଅନନ୍ୟାଙ୍କ ସଂଚାଳନାରେ ଛାତ୍ରଛାତ୍ରୀ ଓ ସୁସ୍ତକପ୍ରେମୀଙ୍କ ମଧ୍ୟରେ ‘ଟାଇମ୍ ପାସ୍’ ପ୍ରାୟୋଜିତ ପୁସ୍ତକ ସଂପର୍କୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବହିମେଳାର ସଭାପତି ପବିତ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ପଣ୍ଡା, ସଂପାଦକ ଅଭିଜିତ୍ ନାୟକ, ଇଂ ବିମ୍ବାଧର ବ୍ରହ୍ମ, ନାସିର ବକ୍ସ, ସୁଧାକର ରାଉତ, ସୁଚିତ୍ରା ପାଣିଗ୍ରାହୀ, ଅନିମା ନାୟକ, ବସୁମିତ୍ରା ସାହୁ ଓ ବୁଲୁ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠିଶିଳ୍ପୀ ନିଜାମ, ଶୁଭ୍ରସ୍ମିତା ଓ ସାଥୀଙ୍କ ଦ୍ୱାରା ସଂଗୀତ ପରିବେଶିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Thank You Keep Visiting