କନିଷ୍ଠ ଶିକ୍ଷକ ପଦବୀ ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ସ୍ମାରକପତ୍ର

Straight to the Point

ଭଦ୍ରକ: ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଖାଲିଥିବା କନିଷ୍ଠ ଶିକ୍ଷକ ପଦବୀକୁ ଯଥାଶୀଘ୍ର ପୂରଣ କରିବା ଏବଂ କନିଷ୍ଠ ଶିକ୍ଷକ ନିଯୁକ୍ତିର ସର୍ବୋଚ୍ଚ୍ ବୟସସୀମା ୩୨ ରୁ ୪୨ ବର୍ଷକୁ ବୃଦ୍ଧି କରାଯିବା ଭଳି ଦୁଇଦଫା ଦାବି ନେଇ ଆଜି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଭୁବନେଶ୍ୱରର ଆହ୍ୱାନ କ୍ରମେ ଭଦ୍ରକ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭଦ୍ରକ ଶାଖାର ସଭାପତି କିଶୋର ଚନ୍ଦ୍ର ସାହୁ ଓ ସଂପାଦକ ଲକ୍ଷବନ୍ଧୁ ଦଳେଇଙ୍କ ନେତୃତ୍ୱରେ ପ୍ରିୟଙ୍କା ଦାସ, ଗୌତମ ରାଉତ, ରାଜେଶ ସାହୁ, ସତ୍ୟବ୍ରତ ମିଶ୍ର, ମନୋଜ ବଳ, ଦିବ୍ୟାରାଣୀ ପରିଡା, ସୁନୀତାରାଣୀ ସାହୁ, ହରପ୍ରିୟା ପରିଡା, ଭକ୍ତିପ୍ରଭା ପତି, ସୁନୀଲ ମଲ୍ଲିକ, ହରେଶ ବେହେରା, ସମ୍ବିତ କୁମାର ଜେନା, ରାଇବଲ୍ଲଭ ଶଙ୍ଖୁଆ, ମନୋଜ ବେହେରା, ଦୀପ୍ତିରଂଜନ ବିଶ୍ୱାଳ, ଦୀପକ କୁମାର ସାହୁ ପ୍ରମୁଖ ଭଦ୍ରକ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ କରିଥିବା ଅଭିଯୋଗ ମୂଳେ ଶିକ୍ଷା ହେଉଛି ସାମାଜିକ ବିକାଶର ମେରୁଦଣ୍ଡ । ପ୍ରାଥମିକ ଶିକ୍ଷା ଏହାର ଭିତ୍ତିଭୂମି । ତେବେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଗୁଣାତ୍ମକ ଶିକ୍ଷାର ବିକାଶ ଶିକ୍ଷକ ନିଯୁକ୍ତି ବିନା ଅସମ୍ଭବ । ସରକାରଙ୍କର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଏହି ଶିକ୍ଷକ ନିଯୁକ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ମାତ୍ର ଗତ ବିଧାନସଭା ଅଧିବେଶନରେ ଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତି ମୂଳେ ଆମ ରାଜ୍ୟରେ ୩୫ ହଜାରରୁ ଉଦ୍ଧ୍ୱର୍ ପ୍ରାଥମିକ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ରହିଛି । ଏବଂ ୬୦ ହଜାରରୁ ଉଦ୍ଧ୍ୱର୍ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଅପେକ୍ଷାରେ ଅଛନ୍ତି । ଏଣୁ ସେମାନଙ୍କ ଭଳି ଯୋଗ୍ୟ ପ୍ରାର୍ଥୀଙ୍କୁ ଖାଲି ପଡିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁକ୍ତି ଦିଆଯିବା ପାଇଁ ଉପରୋକ୍ତ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି । ବିଶେଷକରି ରାଜ୍ୟରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶହ ଶହ ସଂଖ୍ୟାରେ ଶିକ୍ଷକ ପଦବୀ ଫାଙ୍କା ପଡିଛି, ଶିକ୍ଷକମାନେ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହୋଇଥିବାବେଳେ ଦେଶର ପ୍ରଥମ ଥର ପାଇଁ ଆମ ସରକାର ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ ତଥା ଲୋକାଭିମୁଖୀ କରିବାରେ ୫-ଟି ଏବଂ ‘ମୋ ସରକାର’ ଯୋଜନା ଆରମ୍ଭ କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଗତ ୨୦୧୯ ଜାନୁୟାରୀ ୫ ରୁ ରିଜୋଲିସନ ପ୍ରକାଶ କରିଛନ୍ତି । କିନ୍ତୁ ଦୀର୍ଘ ୧୦ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ କୌଣସି ବିଜ୍ଞାପନ ପ୍ରକାଶ କରାଯାଇନାହିଁ । ଏଥିରୁ ଜଣାପଡୁଛି ଗଣଶିକ୍ଷା ବିଭାଗରେ ୫-ଟି ଯୋଜନାରେ ଥିବା ସମୟ ସୀମା ଆଦୌ କାର୍ଯ୍ୟକାରୀ ହେଉନାହିଁ । ଅନୁରୂପ ମୋ ସରକାର ଯୋଜନା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଏବେ ପ୍ରହସନ ପାଲଟିଛି । ଏଣୁ ଉପରୋକ୍ତ ଦୁଇଟି ଦାବି ପୂରଣ ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କଲେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ସାଧିତ ହେବା ସହିତ ତାଲିମ ପ୍ରାପ୍ତ ଶିକ୍ଷିତ ବେକାରୀଙ୍କ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting