ବଢୁଛି ଟ୍ରାଫିକ ସମସ୍ୟା,ବସ୍ ଷ୍ଟାଣ୍ଡ ନାହିଁ କି ବିଶ୍ରାମାଗାର ନାହିଁ

Straight to the Point

ଭଦ୍ରକ: ଭଦ୍ରକ ଜିଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଜୟନଗର ଓ ଧାମନଗର ପଂଚାୟତର ସମସ୍ତ ୱାର୍ଡ ଓ ରାଧାବଲ୍ଲଭପୁର ପଂଚାୟତର ଆଂଶିକ ୱାର୍ଡକୁ ପଂଚାୟତ ସମିତିରୁବାଦ୍ ଦେଇ ଧାମନଗର ବିଜ୍ଞାପିତ ଅଂଚଳର ମାନ୍ୟତା ମିଳିଛି । ତେବେ ଏହି ମାନ୍ୟତା ପାଇଁ ଧାମନଗର ବହୁବର୍ଷ ତଳୁ ଯୋଗ୍ୟତା ହାସଲ କରିଥିଲା । ପୂର୍ବରୁ ରାଜ୍ୟର ତତ୍କାଳୀନ କଂଗ୍ରେସ ସରକାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ରାଜନୈତିକ ଛକାପଞ୍ଝା ଭିତରେ ମୋକଦ୍ଦମାରେ ଛନ୍ଦି ହେବା କାରଣରୁ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ହୋଇପାରି ନଥିଲା । ଏହାଦ୍ୱାରା ଅଂଚଳବାସୀ ସହରାଞ୍ଚଳର ସୁବିଧାରୁ ବଂଚିତ ହୋଇଥିଲେ । ୨୦୧୬ ମସିହାରେ ଏହି ବିବାଦର ଅନ୍ତ ଘଟିବା ସହ ସେହି ବର୍ଷ ମେ ମାସ ରାଜ୍ୟ ସରକାର ଧାମନଗରକୁ ବିଜ୍ଞାପିତ ଅଂଚଳ ଘୋଷଣା କରି ଅଂଚଳର ବିକାଶ ପାଇଁ ଅନୁଦାନ ପ୍ରଦାନ କଲେ । ଏହା ପରେ ସହରୀ ମାନ୍ୟତା ପାଇଥିବା ଧାମନଗର ବିଜ୍ଞାପିତ ଅଂଚଳବାସୀ ଆଶା କରିଥିଲେ ସେମାନଙ୍କର ସବୁ ସମସ୍ୟା କ୍ରମଶଃ ଦୂର ହେବ । ବିଶେଷ କରି ଆଗ ଭଳି ଧାମନଗର ବଜାରରେ ଥିବା ସମସ୍ୟାର ଲାଘବ ହେବ । ହେଲେ ବର୍ତ୍ତମାନ ଧାମନଗର ବଜାରର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଧାମନଗର ବଜାର ଜିଲାର ଏକ ବ୍ୟବସାୟୀ ପେଣ୍ଠସ୍ଥଳୀ । ପ୍ରତିଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସଦର ମହକୁମାକୁ ବିଭିନ୍ନ ଅଂଚଳରୁ ବଡ ବଡ ଟ୍ରକ୍ରେ ପନିପରିବା, ଫଳମୂଳ, ଲୁଗାପଟା ଆଦି ବିଭିନ୍ନ ସାମଗ୍ରୀ ଆସେ । ସେହିପରି ଧାମନଗରରୁ ମଧ୍ୟ ବହୁ ସାମଗ୍ରୀ ବାହାରକୁ ଚାଲାଣ ହୋଇଥାଏ । ଧାମନଗର ଏନଏସିର ଭାରତ ପ୍ରସିଦ୍ଧ ପୀର ବାବାଙ୍କ ଆସ୍ଥାନ (ଖାନକା ସରିଫ) ଥିବାରୁ ବର୍ଷର ସବୁ ସମୟରେ ଏବଂ ବିଶେଷକରି ବାବାଙ୍କ ପର୍ବପର୍ବାଣୀରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ ଆସନ୍ତି । ମାତ୍ର ବଜାରରେ ବସ୍ଷ୍ଟାଣ୍ଡ କିମ୍ବା ପାର୍କିଂର କୌଣସି ବ୍ୟବସ୍ଥା ନାହିଁ । ଯେଉଁଥିପାଇଁ ବାଧ୍ୟ ହୋଇ ଟ୍ରକ୍, ତୀତର୍ଥଯାତ୍ରୀଙ୍କ ଯାନ, ଅନ୍ୟାନ୍ୟ ଯାତ୍ରୀବାହୀ ବସ୍ଗୁଡିକ ରାସ୍ତା ପାଶ୍ୱର୍ରେ ଠିଆ ହେବାକୁ ପଡିଥାଏ । ଏଥିପାଇଁ ବଜାର ଭିତରେ ସଂକୀର୍ଣ୍ଣ ରାସ୍ତା ଗହଳି ହେବା ଦ୍ୱାରା ରାସ୍ତା ଜାମ୍ ହୋଇ ରାସ୍ତା ପାରି ହେବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ବଜାରରେ ଟ୍ରାଫିକ୍ ବ୍ୟବସ୍ଥଶ ମଧ୍ୟ ନାହିଁ । ମନଇଚ୍ଛା ଯିଏ ଯେଉଁଠି ପାରିଲା ବାଇକ୍ଠୁ ଆରମ୍ଭ କରି ଅନ୍ୟାନ୍ୟ ଯାନ ନିର୍ଭୟରେ ରଖୁଥିବା, ରାସ୍ତା କଡର ଗୋଟିଏ ପଟେ ଉଠା ଦୋକାନୀଙ୍କ ରାସ୍ତା ଉପରକୁ ମାଡି ଦୋକାନର ପସରା ମେଲାଇବା, ଅନ୍ୟ ପାଶ୍ୱର୍ରେ କିଛି ସ୍ଥାୟୀ ଦୋକାନୀ ରାସ୍ତାକୁ ମାଡି ଦୋକାନର ସାମଗ୍ରୀ ସଜାଇବା ଯୋଗୁଁ ପରିସ୍ଥିତି ଜଟିଳ ହୋଇଛି । ବଜାରର ଏଭଳି ପରିସ୍ଥିତି ଯୋଗୁଁ କିଛି ବର୍ଷ ଆଗରୁ ଧାମନଗର ତତ୍କାଳୀନ ତହସିଲଦାର ମାପ କରି କିଛି ଜବରଦଖଲକାରୀ ଦୋକାନୀଙ୍କୁ ଉଚ୍ଛେଦ କରିଥିଲେ । ସେହିଭଳି ବଜାରରେ ଯାତ୍ରୀ ବିଶ୍ରାମଗାର, ପରିସ୍ରାଗାର ଆଦି ନଥିବାରୁ ବିଶେଷ କରି ମହିଳା, ଛାତ୍ରୀମାନେ ପ୍ରତିଦିନ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଦିନକୁ ଦିନ ଜନସଂଖ୍ୟା ସାଙ୍ଗକୁ ଯାନବାହନର ସଂଖ୍ୟା ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ବଜାରରେ ଆଗ ଅପେକ୍ଷା କ୍ରମଶଃ ରାସ୍ତା ସଂକୀର୍ଣ୍ଣ ହେବା ଆଦି ଘଟଣା ପାଇଁ ଦୈନିକ ବଜାରରେ ଆଶାତୀତ ଭାବେ ଦୁର୍ଘଟଣା ବୃଦ୍ଧି ପାଇଥିବାରୁ ସେହି ସମସ୍ୟାରୁ ଧାମନଗର ସହରାଞ୍ଚଳବାସୀ କେବେ ମୁକ୍ତ ହେବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

error: Thank You Keep Visiting