ପାଚେରି ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ସମାଧାନ ପାଇଁ ସନ୍ଧ୍ୟାରେ ବସିଲା ଶାନ୍ତି କମିଟି ବୈଠକ

An Independent Media

ଭଦ୍ରକ: ପାଣି ଟାଙ୍କି ପାଚେରି ଭଙ୍ଗାକୁ ନେଇ ଧାମନଗରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଘଟଣାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ଥିବାରୁ ଆଜି ସନ୍ଧ୍ୟାରେ ଥାନା ପରିସରରେ ଏକ ଜରୁରୀକାଳୀନ ଶାନ୍ତି କମିଟି ବୈଠକ ବସିଛି । ପ୍ରକାଶ ଯେ ଧାମନଗର ଥାନା ପଛପଟ ନହଜାରୀକିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପକ୍ଷରୁ ଏକ ବୃହତ ପାଇପ ଜଳ ଯୋଗାଣ ଟାଙ୍କି ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଏହି ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଆଜି ଗୋଟିଏ ଗୋଷ୍ଠୀର କେତେକ ଲୋକ ସେଠାରେ ପହଂଚି ପାଚେରି ନିର୍ମାଣକୁ ବିରୋଧ କରିବା ସହିତ ଭାଙ୍ଗି ଦେଇଥିଲେ । ତେବେ ଏହି ରାସ୍ତା ଦେଇ ପ୍ରସିଦ୍ଧ କାଳୀସି ଶୋଭାଯାତ୍ରା ଓ ଜୁଲୁସ ଶୋଭାଯାତ୍ରା ଯାଉଥିବାରୁ ସ୍ଥାନୀୟ ଲୋକେ ରାସ୍ତା ଚଉଡାର ଆବଶ୍ୟକ ଥିବା ବେଳେ ରାସ୍ତାକୁ ମଡାଇ ପାଚେରି କଲେ ବହୁ ବଡବଡ ଗଛ ନଷ୍ଟ ହେବାର ସମ୍ଭାବନା ରହିଛି । ତେଣୁ ଗଛକୁପ ବଂଚାଇବା ପାଇଁ ରାସ୍ତାକୁ ଛାଡି ପାଚେରି ନିର୍ମାଣ କରିବାକୁ ଠିକାଦାରଙ୍କୁ ଗ୍ରାମବାସୀ କହିଥିଲେ । ତଦଅନୁଯାୟୀ ଠିକାଦାର ମଧ୍ୟ ରାସ୍ତା ଛାଡି ପାଚେରି ନିର୍ମାଣ କରୁଥିଲେ । ହେଲେ ଅନ୍ୟ ଏକ ଗୋଷ୍ଠୀ କଣ ପାଇଁ ରାସ୍ତା ଏତେ ଛାଡି ପାଚେରି ନିର୍ମାଣ କରୁଛ କହି ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏପରିକି ନିର୍ମାଣଧୀନ ପାଚେରିର କିଛି ଅଂଶକୁ ମଧ୍ୟ ଆଜି ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଛି । ଖବରପାଇ ପୁଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଉତେଜନା ଥିବାରୁ ଆଜି ସନ୍ଧ୍ୟାରେ ଥାନା ପରିସସରେ ଏକ ଜରୁରୀ କାଳୀନ ଶାନ୍ତି କମିଟି ବୈଠକ ପୁଲିସ ଡାକିଛି । ଏଥିରେ ପୁଲିସ ଏସଡିପିଓ ମନୋରଂଜନ ସାମଲ, ଅତିରିକ୍ତ ତହସିଲଦାର ଲଗନଜିତ ବେହେରା, ବିଜ୍ଞାପିତ ଅଂଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯତିନ୍ଦ୍ରମୋହନ ମିଶ୍ର, ଏସଆଇ ମୋତିଲାଲ ମାରାଣ୍ଡିଙ୍କ ସମେତ ଉଭୟ ସଂପ୍ରଦାୟ ପକ୍ଷରୁ ରାମଚନ୍ଦ୍ର ଜେନା, ରଘୁନାଥ ସାହୁ, ବାସୁଦେବ ତ୍ରିପାଠୀ, କୈଳାସ ମହାପାତ୍ର, ସେକ ନିଜାମୁଦ୍ଦିନ, ମଂଜୁରୁଲ ହକ, ମହମ୍ମଦ ଇସରାଇଲ, ଗୋରା ସାର, ସେକ ଜିଲାନୀ, ସେକ ଜାଫର ଅଲ୍ଲୀ, ଶିରିଆ ମହାପାତ୍ର, ମହେଶ୍ୱର ସ୍ୱାଇଁ, ସେକ ମଇଦ୍ଦୁନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଠିକାଦାର ବସନ୍ତ କୁମାର ଦାସଙ୍କ ଅଭିଯୋଗ ମୂଳେ ପୁଲିସ ଥାନାରେ କେଶ ନଂ-୩୨/୨୦ରେ ଏକ ମାମଲା ରୁଜୁ କରିଛି । ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଦୁଇଟି ଅଭିଯୋଗ ଥାନାରେ ହୋଇଛି । ତେବେ ଧାମନଗର ଏକ ସମ୍ବେଧନଶୀଳ ଅଂଚଳ ହୋଇଥିବାରୁ କିଛି ଦିନ ହେଲା ଏଠାରେ ଥିବା ଥାନାଧିକାରୀଙ୍କ ଅନ୍ୟତ୍ର ବଦଳି ହେବା ପରେ ଆଜି ପର୍ଯ୍ୟନ୍ତ କୌଣସି ଥାନାଧିକାରୀ ଏଠାରେ ଯୋଗଦେଇ ନାହାନ୍ତି । ଅପରପକ୍ଷେ ଉକ୍ତ ଘଟଣାକୁ ନେଇ କିଛିଦିନ ଧରି ମୃଦୁ ଉତେଜନା ଥିବା ବେଳେ ଉପରିସ୍ଥ ଅଧିକାରୀମାନଙ୍କୁ ଏକ ଗୋଷ୍ଠୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେଦିଗରେ ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶାନ୍ତି କମିଟିର କେତେକ ସଭ୍ୟ ମତ ପ୍ରକାଶ କରିଛନ୍ତି । 

error: Thank You Keep Visiting