‘ମନୋଜ-ସାହିତ୍ୟ’ ସର୍ବକାଳୀନ ଜୀବନବୋଧର ସନ୍ତକ

An Independent Media

ଭଦ୍ରକ: ଯଦି ସୂର୍ଯ୍ୟ କିରଣର ଆଶିଷରେ ପଙ୍କରୁ ପଦ୍ମ ପ୍ରସ୍ଫୁଟିତ ହୋଇପାରୁଛି,ତେବେ ଦିବ୍ୟ କରୁଣାର ମହିମାରେ ଆଜିର ମଣିଷରୁ ମହତ୍ତର ମଣିଷର ସମ୍ଭବ ନ ହେବ କାହିଁକି – ଏହି ବିଶ୍ୱାସ ଏବଂ ଆଦର୍ଶବୋଧ ଉପରେ ମନୋଜ ଦାସଙ୍କର ସମଗ୍ର ସାରସ୍ୱତ ସାଧନା ପ୍ରତିଷ୍ଠିତ । ଶ୍ରୀମଦ୍‌ଭଗବତ୍‌ଗୀତା ଭଳି ମାନ୍ତ୍ରିକ ସାହିତ୍ୟ , ରାମାୟଣ, ମହାଭାରତ ଏବଂ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟର ଶକ୍ତି ତାଙ୍କ ସୃଜନ କଳାର ଅନୁପ୍ରେରଣା । ଜଣେ ପାଠକ ତାଙ୍କ ମାନ୍ତ୍ରିକ ସାହିତ୍ୟ ଅଧ୍ୟୟନ କରିବା ପରେ ଅତିନ୍ଦ୍ରିୟ ଶୂନ୍ୟ ଭୂମିର କେଉଁ ଅଦୃଶ୍ୟ ଶକ୍ତି ସହିତ ସତେ ଯେମିତି ଯୋଡି ହୋଇଯାଏ । କାରଣ ମହତ୍ତମ ସାହିତ୍ୟ ସର୍ବଦା ଦିବ୍ୟ ପ୍ରେରଣା ନିସୃତ । ଏହାର ସମୁଜ୍ଜଳ ଦୃଷ୍ଟାନ୍ତ – ଶ୍ରୀମଦ୍‌ଭଗବତ୍‌ଗୀତା । ଗ୍ରନ୍ଥର ଅଠରଟି ଅଧ୍ୟାୟର ନାମ – ଯୋଗ । ଅର୍ଜ୍ଜୁନବିଷାଦଯୋଗ,ସାଂଖ୍ୟଯୋଗ ଏବଂ ଅନ୍ତିମରେ ମୋକ୍ଷସନ୍ନ୍ୟାସଯୋଗ । ଏହାର ଉଦ୍‌ଘୋଷକ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ‘ଯୋଗେଶ୍ୱର’ । ସେହି କ୍ରମରେ ଶ୍ରୀଅରବିନ୍ଦ ହେଉଛନ୍ତି ମହାଯୋଗୀ ଏବଂ ମନୋଜ ଦାସ ସେହି ପରଂପରାର ଅନୁଗାମୀ । ତାଙ୍କର ପ୍ରତିଟି ସାରସ୍ୱତ କୃତି ଉତ୍ତରିତ ଚେତନାର ଆତ୍ମଲିପି ଏବଂ ଆଲୋକ ଓ ଆନନ୍ଦର ସମାହାର । ବାଲେଶ୍ୱରରେ ଯେଉଁ ଘରେ ରହି ଅଧ୍ୟୟନ କରୁଥିଲେ, ତାହା ଥିଲା ଓଡିଆ ଜାତିର ସେନାପତି ବ୍ୟାସକବି ଫକୀରମୋହନଙ୍କ ବାସଗୃହ । ଏହା ଜାଣିବା ପରେ ତାଙ୍କ ଅନ୍ତରାତ୍ମା ସୃଜନ ସମ୍ଭାରରେ ପରିବ୍ୟାପ୍ତ ହୋଇଯାଇଥିଲା । ବିଦ୍ୟାଳୟ ଛାତ୍ର ଜୀବନରେ ୧୫ ବର୍ଷ ବୟସରେ ମନୋଜ ଦାସଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ଆର୍ତ୍ତନାଦ’ କବିତା ସଂକଳନ , ପରବର୍ଷ ଦ୍ୱିତୀୟ କାବ୍ୟଗ୍ରନ୍ଥ ‘ବିପ୍ଳବୀ ଫକୀରମୋହନ’ ଏବଂ ୧୯୫୨ ମସିହାରେ ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଲା ଏବଂ ଏପର୍ଯ୍ୟନ୍ତ ତାଙ୍କ ରଚିତ ୮୦ରୁ ଊର୍ଦ୍ଧ୍ୱ ସାରସ୍ୱତ ସଂକଳନ ଓଡିଆ ଏବଂ ଇଂରାଜୀ ଭାଷା ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କର ଅନେକ ପୁସ୍ତକ ଦେଶର ସବୁ ମୁଖ୍ୟ ଭାଷାରେ ଅନୁବାଦ ହୋଇଛି । ୧୯୭୦ ମସିହାରେ ଇଂରାଜୀରେ ପ୍ରକାଶିତ Stories of Light and Delight ପୁସ୍ତକ ଅଧିକାଂଶ ଭାରତୀୟ ଭାଷାରେ ଅନୁଦିତ ହୋଇ ସର୍ବାଧିକ ଜନପ୍ରିୟ କିଶୋର ସାହିତ୍ୟ ରୂପେ ପରିଗଣିତ । ପ୍ରଫେସର ମନୋଜ ଦାସ ଦୁଇଥର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ‘ଫେଲୋସିପ୍‌’ ସମ୍ମାନ,ସରସ୍ୱତୀ ସମ୍ମାନ , ଭାରତ ସରକାରଙ୍କ ତରଫରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ଚଳିତ ବର୍ଷ ପଦ୍ମଭୂଷଣ ଉପାଧିରେ ସମ୍ମାନିତ । ଜୀବନବ୍ୟାପି ସାରସ୍ୱତ ସାଧନା ନିମନ୍ତେ ଉତ୍କଳ, ରେଭେନ୍ସା, ଫକୀରମୋହନ, ଉତ୍ତର ଓଡିଶା ଏବଂ ସଂସ୍କୃତି ବିଶ୍ୱବିଦ୍ୟାଳୟ, ତାଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି ପ୍ରଦାନ କରିଛନ୍ତି ଏବଂ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ‘ମନୋଜ-ସାହିତ୍ୟ’ର ଭିନ୍ନ ଭିନ୍ନ ଦିଗ ଉପରେ ଗବେଷଣା କରି ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଛନ୍ତି । ସଂପାଦନା କ୍ଷେତ୍ରରେ ରହିଛି ମନୋଜ ଦାସଙ୍କର ଅନନ୍ୟ ଅବଦାନ । ତାଙ୍କରି କାଉଁରୀ ପରଶରେ ‘ଚନ୍ଦାମାମା’ ପତ୍ରିକାର ଇଂରାଜୀ ସଂସ୍କରଣର ପ୍ରସାରଣ ସାତ ହଜାରରୁ ଏକ ଲକ୍ଷ ଟପି ଯାଇଥିଲା । ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ତାଙ୍କ ସଂପାଦିତ ‘ଦି ହେରିଟେଜ୍‌’ ଆଜି ମଧ୍ୟ ମୂଲ୍ୟବୋଧଭିତ୍ତିକ ପତ୍ରିକାର ମାନଦଣ୍ଣ ଭାବେ ବିବେଚିତ । ପଦ୍ମଭୂଷଣ ମନୋଜ ଦାସଙ୍କ ୮୬ତମ ଜୟନ୍ତୀ ଅବସରରେ ଭଦ୍ରାଣୀ ଅନୁଷ୍ଠାନର ସଭାପତି ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଆୟୋଜିତ ‘ମନୋଜ ସାହିତ୍ୟ ସନ୍ଧ୍ୟା’ରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏବଂ ଡଃ ସୁକାନ୍ତି ମହାପାତ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ମନୋଜ ସାହିତ୍ୟର ଉପରୋକ୍ତ ମାର୍ମିକ ତତ୍ତ୍ୱ ଉପସ୍ଥାପନା କରିବା ସହିତ ତାଙ୍କର ଜୀବନାଲେଖ୍ୟ ପ୍ରଦାନ କରିଥିଲେ । ତାଙ୍କର ସାରସ୍ୱତ କୃତି କିପରି ଓଡିଆ ଏବଂ ଇଂରାଜୀ ଭାଷା ସହିତ୍ୟକୁ ସମୃଦ୍ଧ ଓ ପରିପୁଷ୍ଟ କରିଛି, ତାହାର ଚିତ୍ରରୂପ ଉତ୍ତୋଳନ କରିଥିଲେ । ଏହି ଅବସରରେ ରୋଟାରିୟାନ ଅଭିଜିତ ନାୟକ ଉତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ପ୍ରତିବର୍ଷ ମନୋଜ ଦାସଙ୍କ ଜୟନ୍ତ୍ରୀ ସମାରୋହ ପାଳିତ ହେବ ବୋଲି ମତ ପ୍ରଦାନ କରିଥିଲେ । ଇଂ ଅଭୟ କୁମାର ପଣ୍ଡା ଏବଂ ବ୍ରଜ କିଶୋର ନାୟକ ସଭା ପରିଚାଳନା କରିଥିବାବେଳେ ଗାଳ୍ପିକ ରାଧାବିନୋଦ ନାୟକ,ଫାରୁକ ଭାଇ,ଲଲାଟେନ୍ଦୁ ମହାନ୍ତି, ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଣା,ରାମଚନ୍ଦ୍ର ନାୟକ, କବୀ ପ୍ରଭାତ ନଳିନୀ ମହାପାତ୍ର, ରାଧାରାଣୀ ମହାପାତ୍ର, ଶ୍ରୀହର୍ଷ ସ୍ୱାଇଁ , ଅଭିମନ୍ୟୁ ସାହୁ, ମହେନ୍ଦ୍ର ପ୍ରସାଦ ନାୟକ ,ଅଜୟ କୁମାର ନାୟକ ,ସୀତାକାନ୍ତ ଦାସ , ଗଦାଧର ପଣ୍ଡା ପ୍ରମୁଖ ଭଦ୍ରକର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

error: Thank You Keep Visiting