ନବରଙ୍ଗପୁରରେ ନବବଧୂକୁ କରୋନା ନିର୍ଯ୍ୟାତନା : ସ୍ଵାମୀ ଶଶୁର ଥାନାରେ
ନବରଙ୍ଗପୁର : ନବରଙ୍ଗପୁର ଉମରକୋଟ ଥାନା ଅନ୍ତର୍ଗତ ୟୁଭି-୩ ସନ୍ତୋଷୀନଗର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ମାତ୍ର ୧୨ ଦିନର ଜଣେ ବୋହୂ କରୋନା ସନ୍ଦେହରେ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଯୌତୁକ ନିର୍ଯାତନା ପରେ ଏବେ କରୋନା ନିର୍ଯାତନା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଅକଥନୀୟ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ଶ୍ବଶୁର ବନ୍ଧା ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ବାରମ୍ବାର ଛିଙ୍କିବାରୁ କରୋନା ହୋଇଛି ବୋଲି କହି ବୋହୂକୁ ଶାଶୁଘର ଲୋକ ଗାଳି କରୁଥିଲେ। ଏପରିକି ଖାଇବାକୁ ନ ଦେଇ ତଳେ ଶୋଇବାକୁ ସେମାନେ କହୁଥିଲେ ବୋଲି ନବବଧୂ ଜଣକ ଅଭିଯୋଗ କରିଛନ୍ତି। ଏହା ସହ ସେମାନେ ତାଙ୍କୁ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିଲେ। ଅସହ୍ୟ ମାନସିକ ଯନ୍ତ୍ରଣାରୁ ସେ ଥାନାରେ ଏତଲା ଦେଇଛନ୍ତି ବୋଲି ପୀଡିତା କହିଛନ୍ତି।ତେବେ ଏନେଇ ନବବିବାହିତାଙ୍କ ସ୍ବାମୀ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁଲ୍ ବୁଝାମଣାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆମ ପଟରୁ ଅଳ୍ପ କିଛି ଭୁଲ୍ ହୋଇଥିଲା। ସେଥିପାଇଁ ମୁଁ ଦୁଃଖିତ।