ବୋଲଗଡ଼,ରାଜନଗରରେ ୨ ଚାଷୀ ମୃତ,୧ ଗୁରୁତର

Straight to the Point

ବୋଲଗଡ/ରାଜନଗର: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତ ମାଣିକପୁର ଗ୍ରାମର ଭଗବାନ ସାହୁ (୩୫) ନାମକ ଜଣେ ଚାଷୀଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ଚାଷୀ ମୁରଲୀଧର ବିଶୋଇ(୪୫) ଆହତ ହୋଇଥିବା ଜଣାପଡ଼ିଛି।
ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଭଗବାନ ଓ ମୁରଲୀଧର ଗାଁ ମୁଣ୍ଡରେ ଥିବା ନିଜ ଜମିରେ ତଳି ପକାଉଥିବା ସମୟରେ ବଜ୍ରପାତ ହେବା ଯୋଗୁଁ ଉଭୟ ବିଲରେ ଟଳି ପଡ଼ିଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା କେତେକ କଲେଜ ଛାତ୍ର ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍କୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଗୁରୁତର ଦ୍ୱୟଙ୍କୁ ତୁରନ୍ତ ଖୋର୍ଦ୍ଧାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ। ଖୋର୍ଦ୍ଧା ମେଡିକାଲରେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିବାବେଳେ ମୁରଲୀଧର ଚିକିତ୍ସାଧୀନ ଅଛନ୍ତି। ବାଙ୍କୋଇ ପୁଲିସ ଶବ ବ୍ୟବଚ୍ଛେଦ କରାଇଛି। ବାଙ୍କୋଇ ରାଜସ୍ୱ ନିରୀକ୍ଷିକା ଘଟଣାର ତଦନ୍ତ କରିଛନ୍ତି।
ସେହିପରି ରାଜନଗର ବ୍ଲକ ବ୍ରାହ୍ମଣସାହି ଗ୍ରାମରେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସକାଳ ପ୍ରାୟ ୬ଟା ୩୦ ମିନିଟ୍‍ ସମୟରେ ଏହି ଗ୍ରାମର ଚାଷୀ ନୃସିଂହଚରଣ ଜେନା (ଜଗବନ୍ଧୁ)୫୧ ଘରୁ ବାହାରି ବାଡିପଟରେ ଚାଷଜମିକୁ ଯାଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ନୃସିଂହ ସେହିଠାରେ ଟଳିପଡ଼ିଲେ। ଲୋକମାନେ ତାଙ୍କୁ ଘରକୁ ଆଣି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ; ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

error: Thank You Keep Visiting