କନଷ୍ଟ୍ରକସନ୍ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଧାରଣା ପାଇଁ ବୈଠକ
କେନ୍ଦ୍ରାପଡା: ଓଡିଶା କନଷ୍ଟ୍ରକସନ ୱାକର୍ସ ୟୁନିୟନର ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଧନେଶ୍ୱର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସିଟୁର ରାଜ୍ୟ ଉପ ସଭାପତି ଜଗତଜୀବନ ଦାଶ ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା ସଂପର୍କରେ ବିସ୍ତାରିତ ଆଲୋଚନା କଲାପରେ ସଂପାଦକ ଅଜିତ ପରିଡା କାର୍ଯ୍ୟକ୍ରମର ରିପୋର୍ଟ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲାର ଆଳି, ରାଜକନିକା, ରାଜନଗର, ମହାକାଳପଡା, ମାର୍ଶାଘାଇ ଓ କେନ୍ଦ୍ରାପଡାର ପ୍ରତିନିଧି ମାନେ ୩ ଦଫା ଦାବି ଯଥା ୨୦୧୫ ମସିହାରୁ ରେଜେଷ୍ଟ୍ରିସନ ପାଇଁ ଜମା ଥିବା ଦରଖାସ୍ତକାରୀଙ୍କୁ ପଞ୍ଜିକରଣ କରି ସାର୍ଟିଫିକେଟ ପ୍ରଦାନ, ଗତ ୩ ବର୍ଷ ହେବ ମଞ୍ଜୁର ହୋଇଥିବା ସମସ୍ତ ସାଇକେଲ, ଟୁଲସ୍ ଇତ୍ୟାଦିର ବକେୟା ବେନିଫିଟ୍ ପ୍ରଦାନ, ଛାତ୍ର ବୃତ୍ତି, ବିବାହ, ମୃତ୍ୟୁକାଳୀନ ସହାୟତା ପ୍ରଦାନ ସଂପର୍କିତ ଦାବି ଗୁଡିକ ସଂପର୍କରେ ଆଲୋଚନା କରିଥିଲେ ।
ଏହି ସମସ୍ତ ଦାବି ଉପରେ ଗତ ୨ ବର୍ଷ ଧରି ଲଗାତାର ଭାବେ ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳଙ୍କୁ ବାରମ୍ବାର ପୂରଣ କରିବା ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକମାନେ ବକେୟା ପ୍ରାପ୍ୟ ପାଇ ପାରିଲେ ନାହିଁ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲେ ଆଉ ମଧ୍ୟ ପ୍ରାପ୍ୟ ପାଇ ପାରିବେ ନାହିଁ । ଏଣୁ ଏହି ଦାବି ଗୁଡିକୁ ନେଇ ୟୁନିୟନ ତରଫରୁ ଆସନ୍ତା ୧୯ ତାରିଖ ବୁଧବାର ଦିନ ଠାରୁ ଲଗାତର ଭାବରେ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ ପାଇଁ ସ୍ଥିର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ମାଧବ ଦାସ, ଅର୍ଜୁନ ମଣ୍ଡଳ, ଅର୍ଜୁନ ସାହୁ, ରମେଶ ମଳିକ, ନୃସିଂହ ତରାଇ, ପରମେଶ୍ୱର ସୂତାର, ଅରୁଣ ସ୍ୱାଇଁ, ରବି ମହାକୁଡ, ଅସିତ ମିର୍ଦ୍ଧା, ମହେଶ୍ୱର ପରିଡା, ନିରାକାର ସାହୁ, ସୁଷମା ପଣ୍ଡା, ଲକ୍ଷ୍ମୀ ପଣ୍ଡା, ମଥୁରୀ ମଳିକ, ସ୍ନେହଲତା ଗାହାଣ, ବିଜୟ ମଳିକ ପ୍ରମୁଖ ଏହି ବୈଠକରେ ଭାଗ ନେଇଥିଲେ । ଏହି ବୈଠକରେ ସି.ପି.ଆଇ(ଏମ)ର ଜିଲ୍ଲା ସଂପାଦକ ଗୟାଧର ଧଳ ଏବଂ କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।