ସଡକ ଦୁର୍ଘଟଣାରେ ଜୀବନ ହାରିଲେ ଢିଙ୍କିଆ ସରପଞ୍ଚଙ୍କ ପୁତ୍ର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଂଚାୟତ ପୂର୍ବତନ ସରପଂଚ ସ୍ୱର୍ଗତ ବସନ୍ତ ନାୟକ ଓ ବର୍ତମାନ ସରପଂଚ ସଲିଳା ନାୟକଙ୍କ ଏକମାତ୍ର ପୁତ୍ର ସୁବ୍ରତ ନାୟକ(ଲାଲଟୁ)ଙ୍କ ଗତକାଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୁବ୍ରତ ସଂଧ୍ୟାରେ କୁଜଙ୍ଗରୁ କାମସାରି ଘରକୁ ଫେରୁଥିବା ସମୟରେ ବାଟରେ ବାଲିତୁଠ ବିଜିପୁର ଓମ୍ଫେଡ୍ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମଗ୍ର ଢିଙ୍କିଆ ଗୋବିନ୍ଦପୁର ସହିତ ଏରସମା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ଶବ ବ୍ୟବଚ୍ଛଦ ପରେ ପରିବାର ଲୋକ ଓ ଗୋବିନ୍ଦପୁର ଯୁବକ ମାନଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଖବର ପାଇ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟା.ଅଦୈତ ଭୂୟାଁ କଟକ ବଡ ଡାକ୍ତରଖାନାରେ ପହଂଚି ଭଲମନ୍ଦ ବୁଝିବା ସହିତ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ସାଂସଦ ଡଃ. କୁଳମଣି ସାମଲ, ବ୍ଲକ ବିଜେଡି ସଭାପତି ପୀତବାସ ଗଛାୟତ,ବ୍ଲକ ଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ,ପୂର୍ବତନ ସରପଂଚ ଶିଶିର କୁମାର ବିଶ୍ୱାଳ,ରଂଜନ ବର୍ଦ୍ଧନ,କିଶୋର କୁମାର ପରିଡା,ଅକ୍ଷୟ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ସ୍ଥାନୀୟ ଲୋକେ ଉପସ୍ଥିତ ରହି ତାଙ୍କ ମୃତ୍ୟୁରେ ସମବେଦନା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ ,ପୂର୍ବତନ ବିଧାୟକ ବିଜୟ ନାୟକ ଓ କମ୍ୟୁନିଷ୍ଟ ନେତା ରମାକାନ୍ତ ନାୟକଙ୍କ ସେ ପୁତୁରା ଅଟନ୍ତି । ତାଙ୍କର ଅକାଳ ବିୟୋଗରେ ଢିଙ୍କିଆ,ନୂଆଗାଁ ଓ ବାଲିତୁଠ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।