ପ୍ରାକ୍-ନିର୍ବାଚନୀ ପ୍ରସ୍ତୁତି ବୈଠକ : ନୂତନ ଭୋଟର ପଞ୍ଜୀକରଣକୁ ଗୁରୁତ୍ୱ

An Independent Media

ବାଲେଶ୍ୱର: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷଠାରେ ପ୍ରାକ୍-ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ପ୍ରସ୍ତୁତି ସହ ଜଡିତ ସମସ୍ତ ଅଧିକାରୀମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଯାଇଥିଲା ।

ପ୍ରାରମ୍ଭରେ ସୂଚନା ପ୍ରଦାନ କରି ଜିଲ୍ଲାପାଳ ଅ।।ଗାମୀ ନିର୍ବାଚନ ଅନ୍ୟ ନିର୍ବାଚନଗୁଡିକ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିବା ସହ ନୂତନ ଭୋଟର ପଞ୍ଜୀକରଣ ପ୍ରକ୍ରିୟାକୁ ଯେପରି ନିର୍ଭୁଲ ଏବଂ ତ୍ୱରିତଭାବେ କରାଯାଇପାରିବ ସେ ନେଇ ବୁଥ୍ସ୍ତରୀୟ ଅଧିକାରୀ, ସୁପରଭାଇଜର ନିଯୁକ୍ତ, ସେକ୍ଟର ଗଠନ, ସେକ୍ଟର ଅଧିକାରୀ ନିଯୁକ୍ତି, ଭି.ସି.ଏଫ. ଫାଇଲ ପ୍ରସ୍ତୁତି, ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନା ପ୍ରସ୍ତୁତି, ସମସ୍ୟାପ୍ରବଣ ସ୍ଥାନ ଚିହ୍ନଟ, ରୋଡମ୍ୟାପ ପ୍ରସ୍ତୁତି, ଦିବ୍ୟାଙ୍ଗ ଭୋଟରଙ୍କୁ ସାମିଲ କରିବା, ମୃତ ଭୋଟରଙ୍କୁ ବାଦ ଦେବା, ନିର୍ବାଚନ ପରିଚାଳନା କର୍ମଚାରୀ ତଥ୍ୟ ସଂଗ୍ରହ ପ୍ରଭୃତି ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ କୌଣସି ପ୍ରକାର ପରିଚାଳନାଗତ ତ୍ରୁଟି ଯେପରି ନ ହୁଏ ସେଥିପାଇଁ ତୀକ୍ଷଣ ଦୃଷ୍ଟି ରଖିବାକୁ ଉଭୟ ବାଲେଶ୍ୱର ଓ ନୀଳଗିରି ଉପଜିଲ୍ଲାପାଳ ତଥା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଷ୍ଟ୍ରଙ୍ଗରୁମ ନିମନ୍ତେ ସ୍ଥାନୀୟ ଫକୀରମୋହନ ମହାବିଦ୍ୟାଳୟର କମର୍ସ ବ୍ଲକକୁ ନିରୂପଣ କରାଯାଇଥିବା ସେ ପ୍ରକାଶ କରିଥିଲେ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଜିଲ୍ଲା ନିର୍ବାଚନ ପରିଚାଳନା ଯୋଜନାର ଚିଠା ପ୍ରସ୍ତୁତ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ସମାନଭାବେ ବିଧାନସଭା ନିର୍ବାଚନ ମଣ୍ଡଳୀୱାରୀ ମଧ୍ୟ ଅନୁରୂପ ଯୋଜନା ପ୍ରସ୍ତୁତ କରାଯିବ । ଏଥିପାଇଁ ସମ୍ପୃକ୍ତ ଅଂଚଳର ବି.ଡି.ଓ., ତହସିଲଦାର, ଆଇ.ଆଇ.ସି, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀମାନେ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ସେହିପରି ଯୋଜନା ପ୍ରସ୍ତୁତରେ କେତେକ ସମସ୍ୟାପ୍ରବଣ ଅଂଚଳ ଚିହ୍ନଟ କରି ସେ ଅଂଚଳରେ ବା ସ୍ଥାନରେ କି ଧରଣର ସମସ୍ୟା ରହିଛି ବା ଉପୁଜିବାର ଆଶଙ୍କା ରହିଛି ତାକୁ ଆକଳନ କରି ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

ନିର୍ବାଚନ ବେଳେ ଅକ୍ଳେଶରେ ପୁଲିଂ ପାର୍ଟି ଯାତାୟତ ନିମନ୍ତେ ଆବଶ୍ୟକ ରାସ୍ତାଘାଟ, ପୋଲ ପ୍ରଭୃତିର ଉନ୍ନତିକରଣ କରିବା ପାଇଁ ମଧ୍ୟ ସଂପୃକ୍ତ ବିଭାଗଗୁଡିକୁ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଥିଲା । ନୂତନ ଭୋଟରମାନେ ଯେପରି ଅନୁସୃତ ପଦ୍ଧତିରେ ସହଜରେ ତାଙ୍କର ନାମ ତାଲିକାରେ ପଞ୍ଜୀକରଣ କରିପାରିବେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଥିଲା । କୌଣସି ପ୍ରକାର ତ୍ରୁଟିର ସମାଧାନ ପାଇଁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତିନି ଦିନ ମଧ୍ୟରେ ଯାଂଚ ରିପୋର୍ଟ ପ୍ରଦାନ ଦିଗରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଦିବ୍ୟାଙ୍ଗମାନଙ୍କୁ ଭୋଟର ତାଲିକାରେ ସାମିଲ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହ ସହଜରେ ଯେପରି ଭୋଟଗ୍ରହଣ କେନ୍ଦ୍ର ଯାଇ ଭୋଟ ଅଧିକାର ସାବ୍ୟସ୍ତ କରିପାରିବେ ସେ ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତା ଛଡା ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ଆବଶ୍ୟକସ୍ଥଳେ ସେମାନଙ୍କ ନିମନ୍ତେ ବିଶ୍ରାମସ୍ଥଳ ନିର୍ମାଣ, ପାନୀୟ ଜଳ ଯୋଗାଣ, ପାଇଖାନା ଭଳି ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ନୂତନ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ବି.ଏଲ.ଓ., ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ନାଗରିକ କମିଟିଗୁଡିକର ସହାୟତା ଲୋଡାଯାଇପାରେ । ଏପରିକି ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ନିକଟରୁ ମଧ୍ୟ ସୂଚନା ସଂଗ୍ରହ କରାଯାଇପାରେ ବୋଲି ବୈଠକରେ ଅବଗତ କରାଯାଇଥିଲା । ଏଥିସହିତ ନିର୍ବାଚନ ପାଇଁ ଦିନ ଘୋଷଣା ପରେ ପରେ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ସାଜ ସରଞ୍ଜାମ କ୍ରୟ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ଟେଣ୍ଡର ପ୍ରକ୍ରିୟାର ଚୂଡାନ୍ତ କରିବେ ବୋଲି କୁହାଯାଇଛି ।

ଇତିମଧ୍ୟରେ ଇ.ଭି.ଏମ. ମେସିନର ପ୍ରଥମ ଚରଣ ଯାଂଚ କାର୍ଯ୍ୟ ଚାଲିଥିବା ପ୍ରକାଶ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ପି.ଡି., ଡି.ଆର.ଡି.ଏ. ଶ୍ରୀ ତ୍ରିଲୋଚନ ପ୍ରଧାନ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ ବି.ଡି.ଓ., ତହସିଲଦାର,ଜି.ପି.ଇ.ଓ ଏବଂ ଅନ୍ୟାନ୍ୟ ଲାଇନ ଡିପାର୍ଟମେଂଟ ଅଧିକାରୀମାନେ ଉପସ୍ଥିତ ଥିଲେ ।

error: Thank You Keep Visiting