୫ ଲକ୍ଷରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ନିଲାମ

An Independent Media

ତାଳଚେର: ତାଳଚେର ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପ୍ରଭୁ ଗଜାନନଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ କାର୍ଯ୍ୟକ୍ରମ । ଚଳିତ ବର୍ଷ ଆୟୋଜକ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନିଲାମ ଉପଲକ୍ଷେ ୫ କ୍ୱିଣ୍ଟାଲ ଓଜନର ଆଜ୍ଞାଲଡୁ ନିର୍ମାଣ କରାଯାଇଥିଲା । ଏକ ସ୍ୱତନ୍ତ୍ର ଗାଡିରେ ଆଜ୍ଞାଲଡୁ ତାଳଚେର ଚିତ୍ରକୁଟ ଗଣେଶ ମନ୍ଦିରଠାରେ ପହଞ୍ôଚବା ପରେ କେନ୍ଦ୍ରୀୟ ପୂଜା କମିଟିର ଉପଦେଷ୍ଟା ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଆଜ୍ଞା ଲଡୁ ପୂଜା କରାଯାଇଥିଲା । ସେଠାରୁ ବିଧାୟକ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ଆଜ୍ଞାଲଡୁ ଆଣି ମେଳଣପଡିଆରେ ପହଞ୍ଚାଇଥିଲେ । ଏହା ପରେ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ ଆରମ୍ଭ ହୋଇଥିଲା ।

ନିଲାମ ଡାକ ଉତ୍ସବର ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ମୁଖ୍ୟ ଅତିଥି , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ନଗରପାଳ ପବିତ୍ର ଭୁତିଆ କେନ୍ଦ୍ରୀୟ ପୂଜା କମିଟିର ସାଧାରଣ ସଂପାଦକ ଜୟନ୍ତ ଭୁତିଆ ଏସ୍ଡିପିଓ ହେମନ୍ତ ପଣ୍ଡା, ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ, ନିର୍ବାହୀ ଅଧିକାରୀ ଅତସୀ ପରିଡା, ଯୁଗ୍ମ ସଂପାଦକ ଡ଼. ରଶ୍ମି ରଂଜନ ମିଶ୍ର ମଂଚାସୀନ ଥିଲେ । ତାଳଚେର ଉପଜିଲ୍ଲାପାଳ ତଥା କେନ୍ଦ୍ରୀୟ ପୂଜା କମିଟିର ସଭାପତି ପରେଶ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ।ଦେବୀ ମିଶ୍ର ଓ ପ୍ରିୟଦର୍ଶୀ ସାହୁ ନିଲାମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଶେଷରେ ନିସଲାମ ଡାକ ସିଦ୍ଧି ବିନାୟକ ଗଣେଷ ପୂଜା କମିଟି ୫ ଲକ୍ଷ ୫ ହଜାର ଟଙ୍କାରେ ଆଜ୍ଞାଲଡୁ ଓ ଆଜ୍ଞାମାଳ ହାତେଇଥିଲେ । କମିଟିର ସଭାପତି ମହେଶ ଅଗ୍ରୱାଲ ଓ ସଂପାଦକ ପବନ ଜୈନଙ୍କୁ ସ୍ୱତନ୍ତ୍ର ଭାବେ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା । ସମସ୍ତ ମଂଚାସୀନ ଅତିଥିମାନେ ଅଜ୍ଞାମାଳ ଓ ଲଡୁକୁ ସିଦ୍ଧି ବିନାୟକ ପୂଜା କମିଟିର ସଭାପତି ଶ୍ରୀ ଅଗ୍ରୱାଲ, ସଂପାଦକ ଶ୍ରୀ ଜୈନ, ଉପଦେଷ୍ଟା ମନୋଜ ଅଗ୍ରୱାଲ, କାର୍ଯ୍ୟକାରୀ ସଦସ୍ୟ ମୁରାରି ଅଗ୍ରୱାଲ, କିଷନ ଅଗ୍ରୱାଲ, କିଶୋ ଅଗ୍ରୱାଲ, ସରଜ ଅଗ୍ରୱାଲ, ସମୀର ଜୈନଙ୍କୁ ହସ୍ତାନ୍ତର କରିଥିଲେ । ପରେ ସୁସଜ୍ଜିତ ଗାଡିରେ ଲଡୁକୁ ସହର ପରିକ୍ରମା କରାଇବା ସହ ସହରବାସୀଙ୍କୁ ବଣ୍ଟନ କରାଯାଇଥିଲା ।

error: Thank You Keep Visiting