ନିର୍ମାଣ ହୋଇଛି ୩୯୬ ପ୍ରକଳ୍ପ

Straight to the Point

ଅନୁଗୋଳ : ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଯୋଜନା ପ୍ରସ୍ତୁତି ସମ୍ପର୍କରେ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ନିମନ୍ତେ ସମସ୍ତଙ୍କର ସକ୍ରିୟ ସହଯୋଗ ଓ ପ୍ରସ୍ତାବିତ ଯୋଜନାକୁ ନେଇ ଏକ ସହଭାଗିତା ଯୋଜନା ପ୍ରସ୍ତୁତି ଉପରେ ଅଧ୍ୟକ୍ଷ ମତ ପ୍ରକାଶ କରିଥିଲେ । ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପ୍ରତି ଗ୍ରାମରୁ ପଞ୍ଚାୟତକୁ ରାସ୍ତା ସଂଯୋଗୀକରଣକୁ ଅଗ୍ରାଧିକାର ଦିଆଯିବା ସହ ସାଧାରଣ ଲୋକଙ୍କ ଆବଶ୍ୟକତା ଓ ଜିଲ୍ଲାରେ ଉପଲବ୍ଧ ଥିବା ସମ୍ବଳକୁ ନେଇ ଯୋଜନା ପ୍ରସ୍ତୁତ କରାଯିବ । ସମୁଦାୟ ଅନୁଦାନର ୮୦ ପ୍ରତିଶତ ସଡକ ଓ ୨୦ ପ୍ରତିଶତ ବିଜୁଳି ସଂଯୋଗ କାର୍ଯ୍ୟ ନିମନ୍ତେ ପ୍ରସ୍ତାବ ଦେବାକୁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଗୋପବନ୍ଧୁ ଗ୍ରାମୀଣ ଯୋଜନା ୨୦୦୬-୦୭ ରେ ଶୁଭାରମ୍ଭ ହୋଇଥିଲା ।

ରାସ୍ତା, ବିଜୁଳି, ସଂଯୋଗ ଓ ପାନୀୟ ଜଳ ଯୋଗାଣ ୩ଟି ପ୍ରମୁଖ ଯୋଜନା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ମିଳିଥିବା ୧୦ କୋଟି ୬୮ ଲକ୍ଷ ଟଙ୍କାରେ ୪୯୬ ଟି ପ୍ରକଳ୍ପ ମଧ୍ୟରୁ ୩୯୮ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ଚଳିତ ବର୍ଷ ପାଇଁ ୧୭ କୋଟି ୮୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ନିମନ୍ତେ ବୈଠକରେ ଉପସ୍ଥାପନ କରାଯାଇଥିଲା । ସମସ୍ତ ବିଭାଗୀୟ ଅଧିକାରୀ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସହ ଉତ୍ତମ ସମନ୍ୱୟ ରଖି ଜିଲ୍ଲାର ବିକାଶ ନିମନ୍ତେ ଏକ ସହଭାଗିତା ଯୋଜନା ପ୍ରସ୍ତୁତି କରିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ, ଉପାଧ୍ୟକ୍ଷ ଇନ୍ଦ୍ରମଣୀ ଗଡନାୟକ, ଢେଙ୍କାନାଳ ଲୋକସଭା ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ପ୍ରମୁଖ ଯୋଗ ଦେଇଥିଲେ ।

ଜିଲ୍ଲାପାଳ ଅନିଲ କୁମାର ସାମଲ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଗାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ବିଗତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍ କାର୍ଯ୍ୟ କରିଥିବା ବିଭାଗ ଗୁଡିକୁ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କହିଥିଲେ । ଗତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ ଅନୁଦାନରୁ କେତେ ଖର୍ଚ୍ଚ ହୋଇଛି ଓ ଆଗାମୀ ଆର୍ଥିକ ବର୍ଷ ପାଇଁ ଯୋଜନାର ଆଭିମୁଖ୍ୟ କ’ଣ ରହିଛି ସେ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାର ୫ଟି ବ୍ଲକର ଅପହଞ୍ଚ ଗ୍ରାମ ଗୁଡିକରେ ଗୋପବନ୍ଧୁ ଗ୍ରାମୀଣ ଯୋଜନାକୁ ଅଗ୍ରାଧିକାର ଭିିତ୍ତିରେ କାର୍ଯ୍ୟକାରୀ କରାଯିବା ପାଇଁ ସ୍ଥିର ହୋଇଛି ।ବାକି ଥିବା ତାଳଚେର, ଛେଣ୍ଡିପଦା ଓ କଣିହାଁ ଖଣି ଅଞ୍ଚଳର ୩ଟି ବ୍ଲକ ଅଞ୍ଚଳରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହାର ଉପାନ୍ତ ଅଞ୍ଚଳ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।

ଗତ ଆର୍ଥିକ ବର୍ଷର ଅନୁଦାନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରି ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ବାକି ଥିବା କାର୍ଯ୍ୟକୁ ତୁରନ୍ତ ସାରିବା ସହ ଗୋପବନ୍ଧୁ ଗ୍ରାମୀଣ ଯୋଜନାର ନିୟମାବଳୀକୁ ଅନୁସରଣ କରି ଆରମ୍ଭ ହୋଇ ନଥିବା କାର୍ଯ୍ୟକୁ ଆସନ୍ତା ୭ ଦିନ ମଧ୍ୟରେ ଚାଲୁ କରିବାକୁ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମା ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବା ସମ୍ପର୍କରେ ସମୀକ୍ଷା କରାଯିବା ସହ ପାଲଲହଡା ଓ କଣିହାଁ ବ୍ଲକରେ ଚାଷୀଙ୍କୁ ୟୁରିଆ ସାର ଦିଆଯାଇ ନଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟିକରଣ ମଗା ଯାଇଥିଲା । ପଶୁ ସମ୍ପଦ ବିଭାଗ ଗୋ ସମ୍ପଦର ବିକାଶ ନିମନ୍ତେ କୌଣସି ଯୋଜନା ପ୍ରସ୍ତୁତ କରି ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ପ୍ରତ୍ୟେକ ବ୍ଲକ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପ୍ରସ୍ତାବିତ ଯୋଜନା ଆସନ୍ତା ୩ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀଙ୍କ୍ୁ କୁହାଯାଇଥିଲା । ଜଳ ଉତ୍ସ ଥିବା ସ୍ଥାନରୁ ପାଇପ୍ ଜଳ ଯୋଗାଣ ନିମନ୍ତେ ପାଇପ୍ ବିଛାଇବା କାର୍ଯ୍ୟ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପାଉଡିଭୂୟାଁ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ମଙ୍ଗଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯିବା ସହ ଅନ୍ୱେଷା ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଜନସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ବ୍ଲକକୁ ଦିଆଯାଇଥିବା ଅନୁଦାନକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ଥିର ହୋଇଛି । ଜିଲ୍ଲା ଯୋଜନା ଓ ପରିସଂଖ୍ୟନ ବିଭାଗର ଉପନିର୍ଦ୍ଦେଶକ ରବିନ୍ଦ୍ର ନାଥ ନାୟକ ବୈଠକରେ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିସ୍ତୃତ ଜିଲ୍ଲା ଯୋଜନାରେ ୯୫୪ କୋଟି ୬୩ ଲକ୍ଷ ଟଙ୍କାର ବିଭିନ୍ନ ବିଭାଗର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ଜଳ ସେଚନ, କୃଷି, ଗମନାଗମନ ଓ ସ୍ୱାସ୍ଥ୍ୟ ସେବାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରାପ୍ତ ହୋଇଥିବା ଅନୁଦାନ ଓ ,ହାର ବିନିଯୋଗ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବୈଠକରେ ଉପସ୍ଥିତ ସଦସ୍ୟମାନେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରାସ୍ତା, ବିଦ୍ୟୁତ ଓ ପାଇପ୍ ପାଣି ଯୋଗାଣ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ସମନ୍ୱୟ ରଖି ଉକ୍ତ ଅଞ୍ଚଳର ରାସ୍ତା ସଂଯୋଗ, ବିଜୁଳି ଓ ପାଣି ଯୋଗାଣର ବ୍ୟବସ୍ଥା କରିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

error: Thank You Keep Visiting