ଧର୍ମ, ସଂସ୍କୃତି ଓ ସାହିତ୍ୟକୁ ସୁରକ୍ଷା ଦେବ ପୁସ୍ତକ ମେଳା

Straight to the Point

କଣିହାଁ : କଣିହାଁ ପବିତ୍ରମୋହନ ନାଗରିକ ମଞ୍ଚ ଆନୁକୂଲ୍ୟରେ ବିଜିଗୋଳ ରାମ ମନ୍ଦିର ନିକଟ ରଙ୍ଗବେଡା ପଡିଆରେ ୯ ଦିନ ଧରି ଚାଲିଥିବା ପୁସ୍ତକମେଳା ଓ ଲୋକ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବିଭୂଧେନ୍ଦ୍ର ପ୍ରତାପ ଦାସ ଯୋଗଦେଇ ବର୍ତ୍ତମାନ ମୋବାଇଲ ଫୋନ୍ରେ ଥିବା ନେଟ୍ ଓ ଆପ୍ ଆମର ଧର୍ମ, ସଂସ୍କୃତି ଓ ସାହିତ୍ୟକୁ ଧ୍ୱଂସ କରୁଥିବା ବେଳେ ପୁସ୍ତକମେଳା ତାକୁ ସୁରକ୍ଷା ପ୍ରଦାନ କରିବ ବୋଲି ମତପ୍ରଦାନ କରିଥିଲେ । ଦେଶ ପାଇଁ ତାଳଚେର ଅବଦାନ ଅତୁଳନୀୟ । ମୁଖ୍ୟତଃ ସାହିତ୍ୟ କ୍ଷେତ୍ରରେ ସାରା ରାଜ୍ୟରେ ତାଳଚେରର ଅବଦାନ ମହାନ ଓ ଓଡିଆ ଭାଷାର ୨ୟ ବୃହତ୍ତମ ଭାଷାକୋଷ ତାଳଚେରରୁ ଜନ୍ମ ନେଇଥିଲା ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ କହିବା ସହ ତାଳଚେରକୁ ସରଷ, ସୁନ୍ଦର କରି ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଯୋଗଦେଇ ପୁସ୍ତକ ଜ୍ଞାନର ଭଣ୍ଡାର । ପୁସ୍ତକରୁ ଇତିହାସ ସଂପର୍କରେ ସୂଚନା ମିଳୁଥିବା ବେଳେ ପୁସ୍ତକକୁ ଆମର ପରମବନ୍ଧୁ ଭାବରେ ଆଦରି ନେଲେ ମଣିଷର ସାମଗ୍ରିକ ବିକାଶ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ତାଳଚେର ବିଧାୟକ ତଥା ପୁସ୍ତକ ମେଳାର ସଭାପତି ବ୍ରଜ କିଶୋର ପ୍ରଧାନ ଯୋଗଦେଇ ପୁସ୍ତକ ମଣିଷ ଜୀବନରେ ଜ୍ଞାନର ଆଲୋକ ଦେଖାଇଥାଏ ଓ ଲୋକ ମହୋତ୍ସବ ଅଂଚଳର ଲୁକାୟିତ ପ୍ରତିଭାକୁ ବିକଶିତ କରିଥାଏ ବୋଲି କହିଥିଲେ । ଅତ୍ୟତମ ସମ୍ମାନିତ ଅତିଥି ଏନଟିପିସି, କଣିହାଁର ମୁଖ୍ୟ ମହାପ୍ରବନ୍ଧକ ସନ୍ତୋଷ ଜେମ୍ସ ଅଂଚଳରେ ପ୍ରଥମ କରି ପୁସ୍ତକମେଳା ପାଇଁ ଆୟୋଜକଙ୍କୁ ଧନ୍ୟବାଦ ଜଣାଇବା ସହ ପୁସ୍ତକମେଳା ପାଇଁ ସହଯୋଗ ଜାରି ରହିବ ବୋଲି କହିଥିଲେ । ଅତିଥିମାନେ ସ୍ମରଣୀକା ‘ସଂଗ୍ରାମୀ’କୁ ଉନ୍ମୋଚିତ କରିଥିଲେ ।

ସଂପାଦକ ମନୋଜ ଶତପଥୀ ବିବରଣୀ ପ୍ରଦାନ କରିଥିବା ବେଳେ ପୁସ୍ତକ ମେଳା ସଂପାଦକ ଅବସରପ୍ରାପ୍ତ ଅଧ୍ୟାପକ ନିଳମଣି ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଚନ୍ଦ୍ର ବିଜୟ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ମେଳାର ଅଂଚଳର ବୁଦ୍ଧିଜୀବୀ, ସାମ୍ବାିଦକ, ପ୍ରତିଭାବରନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ମେଳାରେ ମଞ୍ଚ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପବିତ୍ରମୋହନ ନାଗରିକ ମଞ୍ଚର ସଭାପତି ପ୍ରହ୍ଲାଦ ଚନ୍ଦ୍ର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପୁରୀ ରଘୁରାଜପୁରସ୍ଥ କଳାକାରମାନେ ଆକର୍ଷଣୀୟ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ । ଗାନ୍ଧି ଜୟନ୍ତୀ ଠାରୁ ୯ ଦିନ ଧରି ଉକ୍ତ ମେଳା ଚାଲିଥିଲା । ମେଳା ପରିଚାଳନାରେ ପବିତ୍ର ମୋହନ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

error: Thank You Keep Visiting