ଲାଗି ରହିଛି ଲଗାଣ ବର୍ଷା,ଜନଜୀବନ ଅସ୍ତବ୍ୟସ୍ତ, ବନ୍ୟାଜଳରେ ଉବୁଟୁବୁ ରଇଁନ୍ତିରା ଗାଁ

Straight to the Point

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଓ ଖଇରା ତହସିଲ ଅଂଚଳରେ ଆଜକୁ ୩ ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଏହାଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବାର ପରିଲଖିତ ହୋଇଛି । କାଁ ଭାଁ ଗାଡିମୋଟର ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା । ୨ ଦିନ ପାଇଁ ଅଙ୍ଗନୱାଡି,ସ୍କୁଲ ଓ କଲେଜ ବନ୍ଦନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶନାମାକୁ ଖଇରା ଅଂଚଳରେ କାର୍ଯ୍ୟକାରୀ କରାଯାଇଥିଲା । ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ନଥିଲେ ମଧ୍ୟ କାଁ ଭାଁ ଖୋଲାଥିଲା ।

ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ବଢିନାହିଁ କି ଚଢାଦରରେ କୌଣସି ବୟବସାୟୀ ବିକ୍ରୀ କରୁଥିବାର ଦେଖିବାକୁ ମିଳିନାହିଁ । ସ୍ଥାନୀୟ କୃଷି ଅଧିକାରୀ ବାସୁଦେବ ଶତପଥୀ ଏବଂ ଜିଲ୍ଲା କୃଷି ଅଧିକାରୀ ସିମୁଳିଆ ଗୋରେନ୍ଦ୍ର ନାଥ ସିଂଙ୍କୁ ଯୋଗାଯୋଗ କରିଥିଲେ ତାଙ୍କଠାରୁ କୌଣସି ତଥ୍ୟ ମିଳିପାରି ନଥିଲା । ବାଲେଶ୍ୱର ଜିଲ୍ଲା କୃଷି ଉପନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପରିଡାଙ୍କୁ ଯୋଗାଯୋଗ କରିବାରୁ ଖଇରା କୃଷି ଅଫିସରେ ଥିବା ଗ୍ରାମ ସେବକ ବିଜୟ କୁମାର ଦାସଙ୍କ ସହିତ ଯୋଗାଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ପରେ ଶ୍ରୀ ଦାସଙ୍କୁ ଯୋଗାଯୋଗ କରିବାରୁ ଖଇରା ଅଂଚଳରେ କୌଣସି ଚାଷଜମି କ୍ଷତି ହୋଇନଥିବାର କହିଥିଲେ ।

ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ବାବଦରେ ପଚାରିବାରେ ତହସିଲ ଅଧିନରେ ଥିବା ମୋଟ ୩୬୧ଟି ରାଜସ୍ୱ ଗ୍ରାମ ଓ ୯ଗୋଟି ଆର ଆଇ ସର୍କଲରୁ କ୍ଷୟକ୍ଷତି ବିଷୟରେ ରିପୋର୍ଟ ଆସିନାହିଁ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଗ୍ରାମବାସୀଙ୍କଠାରୁ ଖବରନେବାରୁ ଜଣାପଡିଛି ଅମରିଆ ଅଗ୍ନିପୁର ପଞ୍ଚାୟତ,ଡୁଙ୍ଗୁରା ଆର ଆଇ ଅଧିନସ୍ତ ରଇଁନ୍ତିରା ଗ୍ରାମର ୧ ନମ୍ବର ୱାର୍ଡରେ ରାସ୍ତା,ସ୍କୁଲ ଓ ଭାଗବତ ଟୁଙ୍ଗି ବର୍ଷାଜଳରେ ବୁଡିରହିଛି । ଲୋକମାନେ ଘରୁ ବାହାରି ପାରୁ ନାହାଁନ୍ତି । ଯୋଗାଯୋଗ ବିଛିନ୍ନ ହୋଇପଡିଥିବାରୁ ଲୋକମାନେ ବହୁ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ରଇଁନ୍ତିରା ଗ୍ରାମରେ ପହଞ୍ଚି ନ ପାରିବା ବଡ ଦୁଃଖର ବିଷୟ ।

ତହସିଲଦାରଙ୍କ ପାଖରେ କୌଣସି ଖବର ନଥିବାବେଳେ ଗ୍ରାମବାସୀଙ୍କଠାରୁ ଖବର ମିଳୁଛି ,ଏଭଳି ବିଚିତ୍ର କଥା ଖଇରା ତହସିଲ ଅଂଚଳବାସୀଙ୍କୁ ଆଚମ୍ବିତ କରିପକାଇଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଲମ୍ବୋଦର ରାଉଳ,ନରେନ୍ଦ୍ର ଧିନ୍ଦା,ଜଗବନ୍ଧୁ ସେଣ୍ଢ,ରବିନ୍ଦ୍ର ସ୍ୱାଇଁ,ସଂଜୟ ଧିନ୍ଦା,ପୁନିଆ ସ୍ୱାଇଁ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ଆଜି ସକାଳ ୮ଟା ସୁଧା ଖଇରାରେ ୭୬ମିମି ବାର୍ଷା ହୋଇଥିବାର ସରକାରୀ ରେକର୍ଡରୁ ଜଣାପଡିଛି ।

error: Thank You Keep Visiting