ସାମର୍ଥ୍ୟ ଓ ସମ୍ଭାବନା ଅଛି,ଉପଯୋଗ କରି ଶ୍ରେଷ୍ଠ ହୁଅ:ରାଜ୍ୟପାଳ

Straight to the Point

ଅନୁଗୋଳ: ଶିଶୁ ମାନଙ୍କ ମଧ୍ୟରେ ରହିଛି ଅସୀମ ଶକ୍ତି ଓ ସାମର୍ଥ, ସେମାନେ ଭଗବାନଙ୍କ ସାକ୍ଷାତ ସ୍ୱରୂପ । ସେହି ଶକ୍ତି ଓ ସାମର୍ଥ୍ୟର ସଫଲ ଉପଯୋଗ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ରାଜ୍ୟପାଳ ନାଲକୋନଗର ସରସ୍ୱତୀ ବିଦ୍ୟାମନ୍ଦିର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ବର୍ତ୍ତମାନ ସମୟ ସର୍ବଶ୍ରେଷ୍ଠ ଉପଯୋଗ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ଶିଶୁ ମାନଙ୍କୁ ପ୍ରକୃତି କୋଳକୁ ନେବାକୁ ସେ ପରାମର୍ଶ ଦେଇଥିଲେ । କାରଣ ପ୍ରକୃତି ହିଁ ଶ୍ରେଷ୍ଠ ଶିକ୍ଷକ ।

ପ୍ରକୃତି ଭିତରେ ମଜି ରହିଲେ ଜ୍ଞାନ ଓ ବୁଦ୍ଧି ବଢେ । ଏଣୁ ଏଥିରୁ ଶିକ୍ଷା ଲାଭ କର । ସୂର୍ଯ୍ୟ ଭଳି ଉଜ୍ଜ୍ୱଳ ହେବାକୁ ହେଲେ ସୂର୍ଯ୍ୟ ଭଳି ଜଳିବାକୁ ପଡିବ । କାହାକୁ ଅନୁକରଣ କରନାହିଁ, ତୁମେ ଭିନ୍ନ ଓ ଅନନ୍ୟ । ଏଇ ଭାବନା ମନରେ ରଖି ନିଜକୁ ପ୍ରତିପାଦିତ କର ବୋଲି ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ବସ୍ତୁ ଜଗତ ଓ ଭାବ ଜଗତ ମଧ୍ୟରେ ସମନ୍ୱୟ ଆବଶ୍ୟକ । ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡ ବିଦ୍ୟମାନ । ଏହି ଭାରତୀୟ ଦର୍ଶନ ଆମର ଧେୟ ହେବା ଉଚିତ । ମାନବିକ ଓ ମାନସିକ ସ୍ୱଚ୍ଛତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।

ପୂର୍ବାହ୍ନରେ ରାଜ୍ୟପାଳ ସର୍କିଟ୍ ହାଉସ୍ଠାରେ ପହଞ୍ôଚବା ପରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସର୍କିଟ ହାଉସ୍ ସମ୍ମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ରାଜ୍ୟପାଳ ଜିଲ୍ଲାକୁ କ୍ଷୁଧାମୁକ୍ତ, ଶିଶୁ ଶ୍ରମିକ ମୁକ୍ତ, ବେରୋଜଗାରୀ ମୁକ୍ତ ତଥା ପ୍ରଦୂଷଣ ମୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଓ ସଫଳତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ରାଜ୍ୟପାଳ ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ପ୍ରଗତିର ଧାରାକୁ ଆହୁରି ଆଗକୁ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଓ ଏସ୍ପି ମିତ୍ରଭାନୁ ମହାପାତ୍ର ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଅନିଲ କୁମାର ସାମଲ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଫଳତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସମୀକ୍ଷା ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶିଶୁ ଶ୍ରମିକ ସମସ୍ୟା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ବିଦ୍ୟୁତିକରଣ, ଖାଦ୍ୟ ସୁରକ୍ଷା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲାକୁ ଏକ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବାକୁ ସମସ୍ତ ସାମର୍ଥ୍ୟ ଓ ସମ୍ଭାବନା ରହିଛି ।

ଏହାର ପୂର୍ଣ୍ଣ ଉପଯୋଗ କରିବାକୁ ରାଜ୍ୟପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟପାଳ ବାଜିରାଉତ ଛାତ୍ରାବାସ ପରିଦର୍ଶନରେ ଯାଇ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀ ଓ ତାଙ୍କର ଧର୍ମପତ୍ନୀ ମାଳତୀ ଦେବୀ ଚୌଧୁରୀଙ୍କର ସମାଧି ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆୟୋଜିତ ସଭାରେ ଛାତ୍ରାବାସର ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଅନୁଷ୍ଠାନ ହେଉଛି ଏକ ପବିତ୍ର ମାଟି । ଏ ମାଟିକୁ ଦର୍ଶନ କରି ମୁଁ ପବିତ୍ର । ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରି ଏହି ଛାତ୍ରାବାସକୁ ପ୍ରତିଷ୍ଠା କରିଛନ୍ତି ତାଙ୍କର ଦାୟାଦମାନେ ଏହାକୁ ଚଳାଇଥିବା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଅନୁଷ୍ଠାନକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରୁଛି ବୋଲି ରାଜ୍ୟପାଳ ଘୋଷଣା କରିଥିଲେ ।

ବଅଁରପାଳ ସେବାଶ୍ରମରେ ଆୟୋଜତି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେଇ ପିଲା ମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ । ଜନ୍ମଦାତ୍ରୀ ମା’ର କୌଣସିି ବିକଳ୍ପ ନାହିଁ । ଝିଅମାନେ ଜନ୍ମ ହୁଅନ୍ତି ନାହିଁ । ସେମାନେ ଅବତରିତ ହୁଅନ୍ତି । ପୁରାଣରେ ଯେତେସବୁ ଆସୁରୀୟ ଶକ୍ତିକୁ ମାତୃଶକ୍ତି ବିନାଶ କରିଛି ତାହାକୁ ପିଲାମାନେ ମା’ ଠାରୁ ଶିଖିବା ଉଚିତ୍ । ଅପରାହ୍ନରେ ରାଜ୍ୟପାଳ ନାଲକୋ ପ୍ଲାଣ୍ଟ ପରିଦର୍ଶନ କରିବା ସହ ଅଧିକାରୀମାନଙ୍କ ସହ ପ୍ଲାଣ୍ଟର ଉଲ୍ଲେଖନୀୟ ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟପାଳଙ୍କ ଗସ୍ତ ସମୟରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସର୍ବେଶ୍ୱର ସାହୁ, ଡେପୁଟି କଲେକ୍ଟର ବାଇତୁରା ଦୂପ, ବାଜିରାଉତ ଛାତ୍ରାବାସର ସମ୍ପାଦିକା କ୍ରିଷ୍ଣା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

error: Thank You Keep Visiting