୩୦ ହଜାରରୁ ଉଦ୍ଧ୍ୱର୍ ଟଙ୍କାର ସାମଗ୍ରୀ ଜବତ, ୨ ହଜାର ଜରିମାନା ଆଦାୟ

Straight to the Point

ଅନୁଗୋଳ : ପ୍ଲାଷ୍ଟିକ୍ ସାମଗ୍ରୀ, ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି ସତ୍ତେ୍ୱ ଅନୁଗୋଳ ଜିଲ୍ଲାରେ ଲୁଚା ଚୋରାରେ ଚାଲିଛି ପ୍ଲାଷ୍ଟିକ ବେପାର । ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପୌର ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି । ଚଢାଉରେ ୩୦ ହଜାର ରୁ ଉଦ୍ଧ୍ୱର୍ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି । ଏଥିସହ ବ୍ୟବସାୟୀ ମନୋଜ ସାହୁଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ପଲିଥିନ୍ ମିଳିଥିବା ଦୋକାନୀମାନଙ୍କୁ ପୌର ପ୍ରଶାସନ ଚେତାବନୀ ଦେବା ସହ ଆଗାମୀ ଦିନରେ ପଲିଥିନ ବ୍ୟବହାର ନ କରିବାକୁ ମଧ୍ୟ ବାରଣ କରିଛି ।

ପୌର ପ୍ରଶାସନ ଅଧିକାରୀମାନେ ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସଞ୍ଜିବନୀ ମାର୍କେଟ୍, ଲକ୍ଷ୍ମୀ ବଜାର ଓ ବଜାର ଛକ ପର୍ଯ୍ୟନ୍ତ ଥିବା ବିଭିନ୍ନ ଦୋକାନରେ ଚଢାଉ କରିଥିଲେ । ବିଶେଷ କରି ତେଜରାତି ଦୋକାନ ଓ ହୋଟେଲ ଗୁଡିକରେ ତନାଘନା ଜୋରଦାର କରାଯାଇଥିଲା । ଲକ୍ଷ୍ମୀ ବଜାର ଅଞ୍ଚଳରେ କୁଢ କୁଢ ପ୍ଲାଷ୍ଟିକ ସମାଗ୍ରୀ ଗଦା ହୋଇଥିବା ଦେଖି ପୌର କର୍ତ୍ତୁପକ୍ଷ ଏହାକ ଜବତ କରିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ନିକଟରୁ ଜରିମନା ଆଦାୟ କରିଥିଲେ । ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ପୌର ଯନ୍ତ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ସିମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

ଆଗାମୀ ଦିନରେ ସମସ୍ତ ଦୋକାନରେ ଚଢାଉ କରାଯାଇ କଟକଣା କଡାକଡି କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଜେନା ସୂଚନା ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ବ୍ୟବସାୟୀ ମାନଙ୍କୁ ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

error: Thank You Keep Visiting