୩ ହଜାର ଟ୍ରକ ମାଲିକଙ୍କ ମୁଣ୍ଡରେ ଚଡକ:ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ

An Independent Media

ତାଳଚେର: ତାଳଚେର ଖଣି ଅଞ୍ଚଳରେ ଦେଖା ଦେଇଛି କୋଇଲା ପରିବହନ ସଙ୍କଟ । ଆଉ ୩ ରୁ ୪ ଦିନ ମଧ୍ୟା ବିଭିନ୍ନ ଖଣିରେ ଷ୍ଟକ ଥିବା ସମସ୍ତ କୋଇଲା ଶେଷ ହୋଇଯିବ । ଆଗାମୀ ଦିନରେ ଟ୍ରକ ଦ୍ୱାରା ପରିବହନ ପାଇଁ କୋଇଲାର ଅଭାବ ଦେଖାଦେବ । ଏହା ପରେ କୋଇଲା ବ୍ୟବସାୟରେ ନିୟୋଜିତ ପ୍ରାୟ ୩ ହଜାର ଟ୍ରକ ମାଲିକ କ’ଣ କରିବେ ସେ ଚିନ୍ତା ସମସ୍ତଙ୍କୁ ଘାରିଛି । କିଭଳି ଉପାୟରେ ଆର୍ଥିକ କ୍ଷତିରୁ ମୁକୁଳିବେ ତାକୁ ନେଇ ଚାଲିଛି ତନାଘନା । ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଟ୍ରକ ମାଲିକ, ବିଭିନ୍ନ ସଂଘ ଓ ପ୍ରଶାସନ ମଧ୍ୟରେ ତୁହାକୁ ତୁହା ବୈଠକ ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ଯଥାଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଟ୍ରକ ମାଲିକମାନେ ସଜବାଜ ହେଉଥିବା ଜଣା ପଡିଛି ।
ପ୍ରକାଶ ଯେ ତାଳଚେରଠାରେ ରହିଛି ମହାନଦୀ କୋଲ କଂପାନିର ସାତଟି ଖୋଲା କୋଇଲା ଖଣି । ଏହି ଖଣି ଗୁଡିକରୁ ଟ୍ରକ ଦ୍ୱାରା କୋଇଲା ରାଜ୍ୟର ବିଭିନ୍ନ ସ୍ଥାନକୁ ପରିବହନ କରି ସ୍ଥାନୀୟ ଶିକ୍ଷିତ ବେକାର ଯୁବକମାନେ ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ଦୀର୍ଘ ପଚିଶ ବର୍ଷରୁ ଅଧିକ ସମୟ ଧରି ସ୍ଥାନୀୟ ବିସ୍ଥାପିତ ପ୍ରଜାମାନେ ମଧ୍ୟ ଟ୍ରକ ବ୍ୟବସାୟରେ ସାମିଲ ଅଛନ୍ତି । ତାଳଚେର ଅଞ୍ଚଳରେ ପ୍ରାୟ ତିନି ହଜାର ଟ୍ରକ ମାଲିକଙ୍କ ସମେତ ଦଶ ହଜାର ଚାଳକ ଓ ହେଲପରଙ୍କ ପରିବାର ଏହି ବ୍ୟବସାୟ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଖଣିରୁ ଇ-ଅକ୍ସନ ଓ ଫରୱାର୍ଡ ଅକ୍ସନ ପଦ୍ଧତିରେ ସ୍ଥାନୀୟ ଟ୍ରକ ବ୍ୟବସାୟୀ ମାନେ ଖଣିରୁ ପରିବହନ ସହ କୋଇଲା ବ୍ୟବସାୟ କରିଥାନ୍ତି । ଖଣି କର୍ତ୍ତୁପକ୍ଷ ଇ-ଅକ୍ସନ ମାଧ୍ୟମରେ ମାସିକ ୧୦ ରୁ ୧୨ ଲକ୍ଷ ଟନ୍ ଓ ଫରୱାର୍ଡ ଅକ୍ସନ ମାଧ୍ୟମରେ ୬ ରୁ ୭ ଲକ୍ଷ ଟନର କୋଇଲା ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି ।

ଗତ ଅକ୍ଟୋବର ଠାରୁ କୋଇଲା ବିକ୍ରି ପାଇଁ ଖଣି କର୍ତ୍ତୁପକ୍ଷ କୌଣସି ନୂତନ ଯୋଜନା ବାହାର କରି ନାହାଁନ୍ତି ।ଆଜିର ଦିନରେ ଟ୍ରକ ଦ୍ୱାରା ପରିବହନ ପାଇଁ ଭରତପୁର ଖଣିରେ କୋଇଲା ଷ୍ଟକ ନଥିବା ବେଳେ ଲିଙ୍ଗରାଜ ଖଣିରେ ୪ ହଜାର, ଅନନ୍ତ ଖଣିରେ ୪ ହଜାର ୫ ଶହ, ଜଗନ୍ନାଥ ଖଣିରେ ୩ ହଜାର, କଳିଙ୍ଗ ଖଣିରେ ୧୦ ହଜାର ଟନ୍ କୋଇଲା ଗଚ୍ଛିତ ଅଛି । ଆଉ ଅତି ବେଶିରେ ୩ ରୁ ୪ ଦିନ ମଧ୍ୟରେ ସମସ୍ତ କୋଇଲା ଶେଷ ହୋଇଯିବ । ଏହାପରେ ଟ୍ରକ ମାଲିକମାନେ କ’ଣ କରିବେ ସେ ନେଇ ଚିନ୍ତାରେ ପଡିଛନ୍ତି । କୋଇଲା ବ୍ୟବସାୟରେ ସଂପୃକ୍ତ ଟ୍ରକ ମାଲିକଙ୍କ କହିବା ଅନୁଯାୟୀ, ଜଣେ ଟ୍ରକ ମାଲିକ ଚାଳକକୁ ମାସିକ ୧୦ ହଜାର ଟଙ୍କା, ହେଲପରଙ୍କୁ ୬ ହଜାର ସହ ଉଭୟଙ୍କ ଖାଦ୍ୟପେୟ ବାବଦକୁ ୧୫ ରୁ ୧୮ ହଜାର ଟଙ୍କା, ବୀମା ବାବଦକୁ ମାସିକ ୬ ହଜାର, ଫିଟନେସ୍ ବାବଦକୁ ୩ ଶହ ଟଙ୍କା, ରୋଡ ଟ୍ୟାକ୍ସ ବାବଦକୁ ମାସକୁ ଦୁଇ ହଜାର ଟଙ୍କା, ଟାୟାର ବାବଦକୁ ମାସିକ ୨୫ ହଜାର, ମରାମତି ବାବଦକୁ ମାସିକ ପ୍ରାୟ ୧୫ ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥାଏ ।

ଆଉ ତିନି ଚାରିଦିନ ପରେ ଟ୍ରକ୍ ନ ଚାଲିଲେ ଏହି ବାବଦକୁ ଖର୍ଚ୍ଚ ଟ୍ରକ ମାଲିକଙ୍କୁ ଭରଣା କରିବାକୁ ପଡିବ । ଟ୍ରକ ମାଲିକମାନେ ଏ ସମସ୍ୟା ସମ୍ପର୍କରେ କେନ୍ଦ୍ର କୋଇଲା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମସିଏଲ ସିଏମଡିଙ୍କୁ ପତ୍ର ଲେଖିଲା ପରେ ମଧ୍ୟ କୌଣସି ଫଳ ମିଳି ନାହିଁ । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଟ୍ରକ ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନର ରୂପରେଖ ପ୍ରସ୍ତୁତି ପାଇଁ କୋଇଲା ବ୍ୟବସାୟରେ ଜଡିତ ସମସ୍ତ ପରିବହନ ସଂଘ ଓ ଅନୁଷ୍ଠାନକୁ ନେଇ ଖୁବ୍ ଶୀଘ୍ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣା ପଡିଛି ।

ଏହି ସମସ୍ୟା ସଂପର୍କରେ ଏମ୍ସିଏଲର ଲୋକସଂପର୍କ ଅଧିକାରୀ ଡି. ମେହରାଙ୍କୁ ପଚାରିବାରୁ ସେ କହିଲେ, ଶକ୍ତି କ୍ଷେତ୍ର (ପାୱାର ସେକ୍ଟର) ରେ ଅଧିକ କୋଇଲାର ଆବଶ୍ୟକତା ରହିଛି । ବର୍ତ୍ତମାନ ପରିସ୍ଥିତିରେ ଶକ୍ତି କ୍ଷେତ୍ରକୁ କୋଇଲା ଯୋଗାଣ ପରେ ସ୍ଥାନୀୟ ଶିଳ୍ପ ସଂସ୍ଥ୍ାଗୁଡିକୁ କୋଇଲା ଯୋଗାଣ କରାଯିବ ବୋଲି ଶ୍ରୀ ମେହେରା କହିଛନ୍ତି ।

error: Thank You Keep Visiting