ବଢୁଛି ଏମ୍ଆରଙ୍କ ଭିଡ,ରୋଗୀ ହନ୍ତସନ୍ତ

An Independent Media

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତେ କଟକଣା କଲେ ମଧ୍ୟ ଏମ୍ଆର (ମେଡିକାଲ ରିପ୍ରେଜେଣ୍ଟିଟିଭ୍) ଙ୍କ ଦୌରାତ୍ମ କମୁ ନାହିଁ । ସେମାନେ ଅନୈତିକ ଉପାୟରେ ଡାକ୍ତରମାନଙ୍କୁ କରାୟତ୍ତ କରି ନିଜ ନିଜର ବେପାର ବଢାଇବାରେ ଲାଗିଛିନ୍ତ । ସରକାରଙ୍କ ଘୋଷଣା ଅନୁଯାୟୀ ଚିକିତ୍ସାଳୟରେ କେବଳ ଡାକ୍ତରମାନେ ନିରାମୟ ଔଷଧ ଲେଖିବେ । କିନ୍ତୁ ଡାକ୍ତରମାନେ ସାଧାରଣ ରୋଗ ପାଇଁ ମଧ୍ୟ ଅଯଥାରେ ନାମୀଦାମୀ କମ୍ପାନୀର ଓଷଧ ଲେଖି ରୋଗୀଙ୍କୁ ଖର୍ଚ୍ଚାନ୍ତ କରୁଛନ୍ତି । ସରକାରୀ ମେଡିକାଲ୍ରେ ଏମଆରମାନଙ୍କ ପ୍ରବେଶ ନିଷେଧ ବୋଲି ବୋର୍ଡ ଲଗାଯାଇଥିଲେ ମଧ୍ୟ ଡାକ୍ତରମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବୁବେଳେ ସେମାନଙ୍କର ଗହଳି ଲାଗିଛି । ଫଳରେ ରୋଗୀମାନେ ଲାଇନ୍ରେ ଘଣ୍ଟା ଘଣ୍ଟା ଛିଡା ହୋଇ ହଟହଟା ହେଉଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁରୋଗ ବିଭାଗରେ ନିକଟରେ ଏମ୍ଆରଙ୍କ ପାଇଁ ରୋଗୀମାନେ ଲାଇନ୍ରେ ଘଣ୍ଟା ଘଣ୍ଟା ଛିଡା ହୋଇ ହଇରାଣ ହୋଇଥିଲେ । ପ୍ରାୟ ୫/୬ ଜଣ ଏମଆର ଲାଇନ୍ରେ ଛିଡା ହୋଇଥିବା ବେଳେ ଜଣେ ଚକ୍ଷୁ ଡାକ୍ତର ଓ ଜଣେ ମହିଳା ଚକ୍ଷୁ ଟେକ୍ନିସିଆନ ଦୁଇ ଜଣ ଏମ୍ଆରଙ୍କ ମେଡିକାଲ ଉତ୍ପାଦ ଦେଖିବାରେ ବ୍ୟସ୍ତ ଥିଲେ । ଫଳରେ ଲାଇନ୍ରେ ଥିବା ରୋଗୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ନେଇ ସଂପୃକ୍ତ ଡାକ୍ତରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖି ନଥିଲେ । କିନ୍ତୁ ଟେକ୍ନିସିଆନ କହିଥିଲେ ପ୍ରତିମାସରେ ୧-୨ ଥର ସେମାନେ ଆସନ୍ତି ଓ ସେମାନଙ୍କର ଔଷଧ ବିଷୟରେ ଲେଖିବାକୁ କହିଥାନ୍ତି । ସେମାପେ ପ୍ରାୟ ସବୁବେଳେ ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ଆସିଥାନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ଉନ୍ନତମାନର ଯନ୍ତ୍ରପାତି ଠିକ୍ ଭାବରେ କାର୍ଯ୍ୟ କରୁନାହିଁ । ଏଥି ସହିତ ବିଭିନ୍ନ ସମୟରେ ଡାକ୍ତରମାନେ ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ସ୍ଥଳେ ରୋଗୀଙ୍କୁ ଉପେକ୍ଷା କରି ଡାକ୍ତରମାନେ ଏମଆରଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ରୋଗୀ ମାନଙ୍କ ଲାଗି କଟା ଘା’ରେ ଲୁଣ ଦେଲା ଭଳି ହେଉଛି । ଏ ନେଇ ସିଡିଏମ୍ଓ ତ୍ରିଲୋଚନ ପ୍ରଧାନଙ୍ଜକୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଚିକିତ୍ସାଳୟ ଭିତରକୁ ଏମ୍ଆର (ମେଡିକାଲ ରିପ୍ରେଜେଣ୍ଟେଟିଭ)ଙ୍କୁ ପ୍ରବେଶ ନିଷେଧ କରାଯାଇଛି । କିନ୍ତୁ ମେଡିକାଲର ଯେଉଁ କର୍ମଚାରୀ ଏଭଳି କାର୍ଯ୍ୟ କରୁଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ ଓ ତଦନ୍ତ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି ଆଗାମୀ ଦିନରେ ଡାକ୍ତରଖାନା ପରିସରରେ ଏମ୍ଆର ମାନେ ଯେଭଳି ପ୍ରବେଶ ନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।

error: Thank You Keep Visiting