ଶିକ୍ଷାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ

Straight to the Point

ତାଳଚେର: ତାଳଚେର ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ତାଳଚେର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରାଜସ୍ୱ ବୃଦ୍ଧି କରୁଥିବା ବେଳେ ଅନୁରୂପ ଭାବେ ଏମ୍ସିଏଲ ଏହି ଅଞ୍ଚଳର ଶିକ୍ଷାର ବିକାଶ ପାଈଁ ଦୃଢ ଭିତ୍ତିଭୂମି ନିର୍ମାଣ କରିବାକୁ ବଦ୍ଧ ପରିକର । ଆସନ୍ତାବର୍ଷ ଶେଷ ବେଳକୁ କୋଲିୟରୀ ହାଇସ୍କୁଲର ନୂତନ ଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ । ତାଳଚେର ଡେରା ସ୍ଥିତ କୋଲିୟରୀ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

ଏଥିସହ ଡେରା ଠାରୁ ହିଙ୍ଗୁଳା ମନ୍ଦିର ଦେଇ କଣିହାଁ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବହୁ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ, ସମ୍ମାନୀତ ହୋଇଥିଲେ । ଅନେକ ଆହ୍ୱାନ ମାଧ୍ୟରେ ଏହି ବିଦ୍ୟାଳୟ ତାର ଗରିମା ବଜାୟ ରଖିଥିବାରୁ ଶ୍ରୀ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପୁଲିସ ଡିଜି ଶରତ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ଏମସିଏଲ କାର୍ମିକ ନିର୍ଦ୍ଦେଶକ ଏଲ ଏନ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ଜେ.ପି ସିଂ, ନୋଡାଲ ପ୍ରବନ୍ଧକ ଏମ ଜି ବ୍ରହ୍ମପୁରକର, ପ୍ରତିଭା ମିଶ୍ର ମଞ୍ଚାସୀନ ଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦ କୋଷାଧ୍ୟକ୍ଷ କ୍ଷୀରୋଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ବିଜୟ ଦାସ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶଙ୍କର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଂଗାରଂଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ଡ଼ ଉପେନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ ।

error: Thank You Keep Visiting