ଆବାସ ଓ ପାଇଖାନା ଯୋଜନାର ତଦନ୍ତ କଲେ ତିର୍ତ୍ତୋଲ ବିଡ଼ିଓ
ତିର୍ତ୍ତୋଲ: ସରକାର ଗରିବ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ଘର ଓ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ହିତାଧିକାରୀମାନେ ୩ ରୁ ୪ ବର୍ଷ ପୂର୍ବେ ଆବାସ ଯୋଜନାରେ ଘର ଓ ପାଇଖାନ ପାଇଁ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ କରିପାରିନାହାନ୍ତି । ଏହି ଯୋଜନାର ଅର୍ଥକୁ ହିତାଧିକାରୀମାନେ ନେଇ ଅନ୍ୟ ଖର୍ଚ୍ଚରେ ବ୍ୟବହାର କରୁଥିବାବେଳେ ଅଧପନ୍ତରିଆ ହୋଇ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ଅନେକ ଘର ପଡ଼ିରହିଛି ।
ହିତାଧିକାରୀମାନଙ୍କୁ ଡ଼ିସେମ୍ବର ୩୦ ତାରିଖ ମଧ୍ୟରେ ଆବାସ ଯୋଜନାରେ ଘର ଓ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପୂର୍ଣ୍ଣାଙ୍ଗ କରିବାପାଇଁ ସରକାରୀ ସ୍ତରରେ ସୁଚନା ଦିଆଯାଇଛି । ୩୦ ତାରିଖ ମଧ୍ୟରେ ଯଦି ହିତାଧିକାରୀମାନେ ସେମାନଙ୍କର ଘର ଓ ପାଇଖାନ ସମ୍ପୁଣ୍ଣ କରିନପାରନ୍ତି ତାହାହେଲେ ପାଇଥିବା କାର୍ଯ୍ୟାଦେଶ ତାଲିକାରୁ ବାଦ୍ ଦିଆଯାଇ ସରକାରଙ୍କ ତରଫରୁ ହିତାଧିକାରଙ୍କୁ ଦିଆଯାଇଥିବା ଅର୍ଥର ସୁଧ ମୂଳ ସହ ଆଦାୟ କରାଯିବବୋଲି ବ୍ଲକ ତରଫରୁ ସୁଚନା ମିଳିଛି । ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ପ୍ରକଳ୍ପ ପ୍ରତିନିଧି ପ୍ରିୟମ୍ବଦା ପଶାୟତଙ୍କ ସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ତେନ୍ତୁଲିପଦା, କନକପୁର, ତରଜଙ୍ଗା, ଇବ୍ରିସିଂ, ମୁଳିସିଂ, ବିରିତୋଳ, ଦାଇଁଲୋ, କନିମୂଳ, ବିଷନପୁର, ଗୋପାଳପୁର(ଶ) ସମେତ ସମସ୍ତ ପଞ୍ଚାୟତରେ ପରିଦର୍ଶନ କରି ହିତାଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି ।