ଜି.ଏସ୍.ଟି ପ୍ରଭାବ, ବିଡି ଶ୍ରମିକଙ୍କ ହାତ ବନ୍ଦ

Straight to the Point

ଛେଣ୍ଡିପଦା : କେନ୍ଦ୍ର ସରକାରଙ୍କ ଜିଏସ୍ଟି ପ୍ରଭାବରେ ବିଡି ଶ୍ରମିକଙ୍କ ହାତବନ୍ଦ ହେବାକୁ ଯାଉଛି । ଛେଣ୍ଡିପଦା ବ୍ଲକରେ ୩୦ ହଜାର ବିଡି ଶ୍ରମିକ ଏହାକୁ ବୃତ୍ତି ଭାବେ ଗ୍ରହଣ କରି ଜୀବିକା ନିର୍ବାହ କରୁଛନ୍ତି । ସେଥି ମଧ୍ୟରୁ ସରକାରଙ୍କ ନିକଟରେ ୧୫ ହଜାର ପଞ୍ଜୀକୃତ ଶ୍ରମିକ ଅଛନ୍ତି । ଏହି ଶ୍ରମିକ ମାନେ ନିଜ ଜମିରୁ କେନ୍ଦୁପତ୍ର ସଂଗ୍ରହ କରିବା ପରେ ବର୍ଷସାରା ଘରେ ବସି ବିଡି ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ । ପରିବାର ମଧ୍ୟରେ ଏକାଧିକ ଶ୍ରମିକ ନିୟୋଜିତ ହୋଇ ଦୈନିକ ଆଠ ଶହରୁ ୧ ହଜାର ବିଡି ତିଆରି କରୁଥିଲେ । ଶ୍ରମିକ ମାନେ ବିଭିନ୍ନ କମ୍ପାନୀ ଠାରୁ ହଜାରେ ବିଡିକୁ ୧୦୦ ଟଙ୍କାରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ । ତେବେ ଜିଏସ୍ଟି ଲାଗୁ ପରଠାରୁ ପୂର୍ବାପେକ୍ଷା ବିଡିର ଚାହିଦା କମିଛି । କମ୍ପାନୀମାନଙ୍କୁ ହଜାରେ ବିଡିକୁ ୨୮ ପ୍ରତିଶତ ଟିକସରେ ୭୮ ଟଙ୍କା ଜିଏସଟି ବାବଦରେ ସରକାରଙ୍କୁ ଦେବାକୁ ପଡୁଛି ।

ଫଳରେ ଜିଏସ୍ଟି ଯୋଗୁ ଦରବୃଦ୍ଧି ଘଟି ବିଡି ବିକ୍ରିରେ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ଅଞ୍ଚଳରୁ କାରବାର କରୁଥିବା ୨୦ ଟି କମ୍ପାନୀ ଶ୍ରମିକ ମାନଙ୍କ ଠାରୁ ମାସକୁ ପ୍ରାୟ ୪୦ କୋଟି ବିଡି ସଂଗ୍ରହ କରୁଥିଲେ । ଶହ ଶହ ଏଜେଣ୍ଟ ମଧ୍ୟ ଶ୍ରମିକ ମାନଙ୍କ ଠାରୁ ସପ୍ତାହକୁ ସପ୍ତାହ ବିଡି ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ । ସ୍ଥାନୀୟ ବ୍ୟବସାୟୀ ମାନେ ସଂଗୃହୀତ ବିଡିକୁ ରାଜ୍ୟ ମଧ୍ୟରେ ଓ ଗୁଜୁରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ବାହାରକୁ ପଠାଇ ଉପକୃତ ହେଉଥିଲେ । ଜିଏସ୍ଟି ପ୍ରଭାବରେ ବଜାରରେ ମାନ୍ଦାବସ୍ଥା ଯୋଗୁଁ ବିଡି ଚାଲାଣ ମାସରେ ୨୫ କୋଟିକୁ କମି ଯାଇଥିବାରୁ ଏହାର ପ୍ରଭାବ ଶ୍ରମିକଙ୍କ ଉପରେ ପଡିଛି । ବହୁ ଶ୍ରମିକଙ୍କ ହାତ ବନ୍ଦ ହୋଇଥିବା ବେଳେ ବିକଳ୍ପ ବ୍ୟବସ୍ଥା ନଥିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡିଛି ।

error: Thank You Keep Visiting