କନିଷ୍ଠ ଯନ୍ତ୍ରୀଙ୍କ ଇଙ୍ଗିତରେ ଗୋଟିଏ ବର୍ଷରେ ଗୋଟିଏ କାମକୁ ୨ଥର କାର୍ଯ୍ୟାଦେଶ

Straight to the Point

ଭଦ୍ରକ- ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର କେବଳ କନିଷ୍ଠଯନ୍ତ୍ରୀଙ୍କ ଇଙ୍ଗିତରେ ଚାଲୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହି ବିଭାଗ ଚରଦିଆ ପଂଚାୟତରେ ଚଳିତ ବର୍ଷରେ ଗୋଟିଏ କାମକୁ କିଭଳି ୨ଥର କାର୍ଯ୍ୟାଦେଶ ଦେଇ କାମ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ଗୋବିନ୍ଦପୁର-ଚରଦିଆ ଗ୍ରାମ୍ୟ ଉନ୍ନୟନ ରାସ୍ତାର ଲମ୍ବ ୫ କି.ମି । ଏହି ରାସ୍ତା ଉପରେ ଚରଦିଆ ପଂଚାୟତ ସମେତ ଧାମରା ଅଂଚଳର ବହୁ ପଂଚାୟତ ବାସୀ ନିର୍ଭର କରିଥାନ୍ତି । ଏହି ରାସ୍ତାର ଗଳିଆ ନଦୀ ନିକଟସ୍ଥ ବାଂଛାନିଧିପୁର ଠାରେ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡିଥିବା ବେଳେ କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ରାସ୍ତାକୁ ଚଳିତ ଆର୍ଥିକ ବର୍ଷରେ ୨ ଥର ନିର୍ମାଣ କରିବାକୁ କାର୍ଯ୍ୟଦେଶ ଦିଆଯାଉଛି ଏବଂ ଏହି ଅଂଚଳରେ ଅନ୍ୟ ରାସ୍ତା ଏହାଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ହୋଇ ପଡିଥିବା ବେଳେ ତାହା ବିଭାଗର ଦୃଷ୍ଟି ଗୋଚର ହେଉନାହିଁ ତାହା ବୁଦ୍ଧିଜିବୀ ମାନଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି ।

ଏହି ୪୦୦ମିଟର ଲମ୍ବ ରାସ୍ତାର ଗୋଟିଏ ପାଖରେ ଚିଙ୍ଗୁଡି ଘେରି ରହିଥିବା ବେଳେ ସେହି ମାଫିଆ ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଦଖଲକୁ ନେଇଥିବା ବେଳେ ଅନ୍ୟ ପାଖରେ ସାଧାରଣ ଜନତା ବସବାସ କରିଥାନ୍ତି । ଫଳରେ ଏହି ରାସ୍ତା ଉପରେ ବର୍ଷା ପାଣି ସବୁ ସମୟରେ ଜମା ହୋଇ ରହିଥାଏ ।ଏହି ରାସ୍ତା ଉପରେ ବର୍ଷା ପାଣି ଜମି ରହୁଥିବା ବେଳେ ବିଭାଗୀୟ ଅଧିକାରୀ ଚଳିତ ବର୍ଷର ଏପ୍ରିଲ ମାସରେ ଏହି ରାସ୍ତାକୁ ପିଚୁ କରିଦେଲେ ମାତ୍ର ୧୫ ଦିନ ମଧ୍ୟରେ ଏହି ପିଚୁ ଉଠିଯାଇଥିଲା । ପୁନଶ୍ଚ ଚଳିତ ମାସ ଏହି ୪୦୦ ମିଟର ରାସ୍ତାକୁ ପିଚୁ କରିବା ପାଇଁ ଏକ ଠିକାଦାରକୁ ଆଦେଶ ଦିଆ ଯାଇଛି । ଏହି ରାସ୍ତାରେ ପାଣି ଜମି ରହୁଥିବା ଯୋଗୁ ଏହି ରାସ୍ତାକୁ କଂକ୍ରିଟ କରିପାରିଲେ ତାହା ସବୁଦିନ ଯାତାୟତ ଉପଯୋଗୀ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ଏବଂ ଏହି ବିଷୟରେ ଅଂଚଳବାସୀ ବିଭାଗୀୟ କର୍ତୁପକ୍ଷଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

ମାତ୍ର ତାହା ବିଭାଗୀୟ ଅଧିକାରୀଙ୍କ ପାଖରେ ପହଂଚି ନଥିବା ଜଣାଯାଇଛି । ଅନ୍ୟ ପଟରେ ଏହି ରାସ୍ତା ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଚିଙ୍ଗୁଡି ମାଫିଆ ଦଖଲ କରି ରଖିଥିବା ବିଭାଗୀୟ ରାସ୍ତାକୁ ନିଜ ଦଖଲକୁ ଆଣିବାକୁ ପ୍ରୟାଶ କରୁ ନଥିବା ଜଣାଯାଇଛି । ଏହି କାର୍ଯ୍ୟ ବିଭାଗର ତେଣୁ ସେଥିରେ ଆମର ମୁଣ୍ଡ ପୁରାଇବା ଠିକ ନୁହେଁ ବୋଲି ମତ ରଖିଥିଲେ । ଅନ୍ୟ ପକ୍ଷରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ଏହି ରାସ୍ତାକୁ ନେଇ କଣ ହୋଇଛି ତାହାର ତଦନ୍ତ କରିବେ ବୋଲି କହିବା ସହ ଚରଦିଆ ପଂଚାୟତରେ ଥିବା ଅନ୍ୟ ସମସ୍ତ ରାସ୍ତାର ମରାମତି ଖୁବଶୀଘ୍ର ହେବ ବୋଲି କହିଥିଲେ ।ମାତ୍ର ଗୋଟିଏ ୪ଶହ ମିଟର ରାସ୍ତାକୁ କିପରି କନିଷ୍ଠଯନ୍ତ୍ରୀଙ୍କ କଥାରେ ଗୋଟିଏ ବର୍ଷରେ ଦୁଇ ଦୁଇ ଥର କାର୍ଯ୍ୟାଦେଶ ଦିଆଯାଇଥିବା ପ୍ରଶ୍ନକୁ ଏଡାଇ ଯାଇଥିଲେ ।

error: Thank You Keep Visiting