ଦାବି ପୂରଣର ପ୍ରତିଶୃତି ପରେ ୪ ଜାନୁୟାରୀ ତାଳଚେର ବନ୍ଦ ସ୍ଥଗିତ

An Independent Media

ତାଳଚେର- ଦାବି ପୂରଣ ପାଇଁ ଉପଜିଲ୍ଲାପାଳ, ଆଞ୍ଚଳିକ ପରିବହନ ଅଧିକାରୀ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ଅଧିକାରୀ, ଏମ୍.ସି.ଏଲ କତ୍ତୃପକ୍ଷ ଓ ତାଳଚେର ପରିବେଶ ସୁରକ୍ଷା ସମିତି ତରଫରୁ ଆଜି ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘ ତରଫରୁ ଦୁଇ ଦଫା ଦାବି ନେଇ ଆଗାମୀ ୪ ତାରିଖ ଦିନ ଆନ୍ଦୋଳନ କରିବେ ବୋଲି ସଂଘ ତରଫରୁ ତାଳଚେର ବନ୍ଦ ଡାକରା ଦେଇଥିଲା । ମାତ୍ର ଉପଜିଲ୍ଲାପାଳ ଦାବି ଗୁଡିକ ଯୁକ୍ତି ଯୁକ୍ତ ଓ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ପାଇଁ ବୈଠକରେ ପ୍ରତିନିଧି ମଣ୍ଡଳୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ତାଳଚେର ଠାରେ ନିର୍ମିତ ମେଡିକାଲ କଲେଜକୁ ସରକାରୀ ପରିଚାଳନା ୨୦୧୯-୨୦ ଶିକ୍ଷା ବର୍ଷ ଠାରୁ ଆରମ୍ଭ କରିବା ଏବଂ ତାଳଚେର ଉପଖଣ୍ଡକୁ ପ୍ରଦ୍ୟୁଷଣ ମୁକ୍ତ କରିବା ଦାବିରେ ଗତ ୧୯ ନଭେମ୍ବର ୨୦୧୮ ରେ ତାଳଚେର ଉପଜିଲ୍ଲାପାଳ ଙ୍କୁ ଏହି ବନ୍ଦ ଆନ୍ଦୋଳନ ପାଇଁ ଲିଖିତ ନୋଟିସ୍ ପ୍ରଦାନ କରାଯାଇଥିଲା । ଆଜିର ଏହି ଆଲୋଚନା ସଭାରେ ସମିତି ପକ୍ଷରୁ ଉପସ୍ଥାପିତ ଏହି ଦୁଇ ଦଫା ଦାବି ସମ୍ପର୍କରେ ଆଲୋଚନା ହୋଥିଲା ।

ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସପିଟାଲର ସି.ଏମ୍.ଏସ୍ ସ୍ପଟିକରଣ ଦେଇଥିଲେ ଯେ ତାଳଚେର ମେଡିକାଲରେ ନିର୍ମାଣ କାର୍ଯ୍ୟ ଶତକଡା ୯୦ ଭାଗ ଶେଷ ହୋଇଛି । ଉପକରଣ ଓ ଆସବାବ ପତ୍ର, କିଣିବାର ନିର୍ଦ୍ଦେଶାବଳୀ ଦିଆସରିଛି । ମେଡିକାଲ କଲେଜ ଆରମ୍ଭ ପାଇଁ ଏକ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ନିଆଯିବ । ମେଡିକାଲ କଲେଜରେ ତାଳଚେର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଚିକିତ୍ସା ଓ ଔଷଧ ଯୋଗାଣର ବ୍ୟବସ୍ଥା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯିବ ତତ୍ସହିତ ଟିଟିପିଏସ୍ ମେଡିକାଲରେ ୮୦% ଭାଗ ଔଷଧ ମୂଲ୍ୟକୁ ଟି.ଟି.ପି.ଏସ୍ କତ୍ତୃପକ୍ଷ ବହନ କରିବେ ଓ ୨୦% ଭାଗ ଚିକିତ୍ସାଧାରୀ ବହନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଅବଗତି କରାଯିବ । ଅଂଚଳର ପ୍ରଦ୍ୟୁଷଣ ହ୍ରାସ ପାଇଁ ଆଚଂଳିକ ପରିବହନ ଅଧିକାରୀ ପୋଲିସ୍ ସହାୟତାରେ କୋଇଲା ପରିବହନ ଭାରିଯାନ ଗୁଡିକର ବେଣ ଘଣ୍ଟା ପ୍ରତି ୨୦ କିମି କରିବା ନେଇ ତଦାରଖ କରିବେ ।

ଏପ୍ରିଲ୍ ୨୦୧୯ ମଧ୍ୟରେ କୋଇଲା ପରିବହନ ଯାନ ଗୁଡିକର ଚକା ଧୋଇବା ବ୍ୟବସ୍ଥା ଓ ଫେବୃୟାରୀରେ ୨ ଟି ନୂତନ ସ୍ୱାଇପ୍ ମେସିନ୍ କାର୍ଯ୍ୟକାରୀ କରାଯିବା ସହିତ ରାସ୍ତା ଦୁଇ ପାଶ୍ୱର୍କୁ ସିମେଣ୍ଟ କଂକ୍ରିଟ୍ କରାଯିବ ଓ ବ୍ୟପକ ବୃକ୍ଷରୋପଣ କରାଯିବ ବୋଲି ଏମ୍.ସି.ଏଲ୍ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ଏନ୍.ଟି.ପି.ସି. ଜେ.ଆଇ.ଟି.ପି.ଏଲ, ଟିି.ଟି.ପି.ଏସ୍ର ପାଉଁଶ ପାଣି ଦ୍ୱାରା ନଦୀ ଜଳ ପ୍ରଦ୍ୟୁଷଣକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ । ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶୃତି ଦେବା ପରେ ସଂଘ ଏହାକୁ ହୃଦୟଙ୍ଗମ କରି ୪ ଜାନୁୟାରୀ ତାଳଚେର ବନ୍ଦକୁ ସ୍ଥଗିତ କରିଦେଇଛନ୍ତି ।

ତେବେ ଉପରୋକ୍ତ ସମସ୍ୟା ଗୁଡିକ ପ୍ରତିଶୃତି ମୁତାବକ କାର୍ଯ୍ୟକ୍ଷମ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ତରଫରୁ ପ୍ରକାଶ । ଉକ୍ତ ବୈଠକରେ ପଦ୍ମ ଚରଣ ସାମଲ, ବାଉରୀ ବନ୍ଧୁ ବେଜ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ସନାତନ ଧୀର, ନୃସିଂହ ଚରଣ ଗୋଚ୍ଛାୟତ, ରାଜକିଶୋର ସାହୁ, ଦେବରାଜ ମହାରଣା, ବିପିନ୍ ବିହାରି ଦାସ୍, ରଞ୍ଜିତ୍ କୁମାର ମହାପାତ୍ର, ମାନସୀ ସ୍ୱାଇଁ, ସାବିତ୍ରୀ ରଥ, ପଠାଣୀ ବାରିହା, ବୃନ୍ଦାବନ ସାହୁ, ଅଲେଖ ସାହୁ, ପ୍ରଦ୍ୟୁମ୍ନ ଦାସ୍, ପରମାନନ୍ଦ ସାହୁ, ଅନିଲ କୁମାର ନାଏକ, ଦୁଃଖିଶ୍ୟାମ୍ଲ୍ଲ୍ିକ୍, ପବିତ୍ର ମୋହନ ନାଏକ, ଜୟସେନ୍ ମେହେର, ଆନନ୍ଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting