୮୨୩ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ପ୍ରଦାନ
କଣିହାଁ: ଦୀର୍ଘ ୪୫ ବର୍ଷର ଅନୁଷ୍ଠାନ ଉକ୍ରଳମଣି ଗୋପବନ୍ଧୁ ଦୃଷ୍ଟିହୀନ କଲ୍ୟାଣ ସମିତି ପକ୍ଷରୁ ସବୁ ବର୍ଷ ପରି ଜାନୁୟାରୀ ପ୍ରଥମ ରବିବାରରେ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏନ୍ଟିପିସି ସହଯୋଗରେ କଣିହାଁ ସ୍ୱାଧୀନତା ସଂଗ୍ରାମୀ ଟ୍ରଷ୍ଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣିହାଁ ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସନ୍ତୋଷ ଜେମସ୍, ସମ୍ମାନିତ ଅତିଥି ସିଏଚ୍ସି ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ପଟେଲ, ପ୍ରକଳ୍ପ ପଦାଧିକାରୀ କେ.ଏସ.ଶର୍ମା, ପି. କେ. ସାହୁ, ଜାକିର ଖାନ, ଏ.କେ. ଦାସ, ଭି.ଏ. ରାଓ ଯୋଗ ଦେଇଥିଲେ । ସେବା ଶ୍ରେଷ୍ଠ ଧର୍ମ ।
ଏହାକୁ ଅଧିକ ବ୍ୟାପକ କରିବା ସହ ଦିବ୍ୟାଙ୍ଗ ମାନଙ୍କୁ ସାମାଜିକ ସୁସ୍ଥ ପରମ୍ପରା ସହ ଆତ୍ମନିର୍ଭରଶିଳ କରାଇବାକୁ ପ୍ରୟସ ଜାରି ରହିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନ ସଭାପତି ସୁଧାକର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ କାଳନ୍ଦୀ ପ୍ରଧାନ ବିବରଣୀ ପାଠ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮୨୩ ଜଣ ଦୃଷ୍ଟିହୀନ ତଥା ଦିବ୍ୟାଙ୍ଗ ମହିଳା ପୁରୁଷଙ୍କୁ ଶାଲ୍ ସହ ଶାଢି, ଧୋତି, ଗାମୁଛା ଆଦି ପ୍ରଦାନ କରାଯାଇଥିଲା । ବହୁ ବଦାନ୍ୟ ବ୍ୟକ୍ତି କାର୍ଯ୍ୟକ୍ରମ ପରିଚାଳନା ଓ ଭୋଜନ ବ୍ୟବସ୍ଥାରେ ସହଯୋଗ କରିଥିଲେ । ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ବୁଦ୍ଧଦେବ ସାହୁ ଧନ୍ୟବାଦ ଦେଇଥିଲେ ।