ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ମିଲର,ସମିତି ଆଗରେ ପଡି ରହିଛି ଶହଶହ ବସ୍ତା ଧାନ

An Independent Media

ଭଦ୍ରକ: ଚାଷୀଙ୍କ ସହ ଖେଳ ଖେଳୁଛନ୍ତି ମିଲର । ପ୍ରଶାସନର ଅଂକୁଶକୁ ନ ମାନି ଚାଷୀଙ୍କୁ ଠକୁଛନ୍ତି । ସମବାୟ ସମିତି ମାଧ୍ୟମରେ ଚାଷୀ ସିଧାସଳଖ ସରକାରୀ ଦରରେ ଧାନ ବିକ୍ରି କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ମଧ୍ୟ ପାଇବ । ଏନେଇ ମିଲର ସେବା ସମବାୟ ସମିତିରେ ଧାନର ମାନ ପରୀକ୍ଷା କରି ଲିପ୍ଟିଂ କରିବାର ନିୟମ ରହିଛି । ସପ୍ତାହକୁ ନିର୍ଦ୍ଧାରିତ ଦିନ ଗୁଡିକରେ ମଧ୍ୟ ଧାନ ଲିପ୍ଟିଂ କରିବା ଏଥିପାଇଁ ଚାଷୀଙ୍କୁ ସୂଚନା ଦେବା ସହ ଧାନ ମଧ୍ୟ ସଂଗ୍ରହ କରିବ । ତେବେ ମିଲରମାନଙ୍କର ଧୋକାବାଜିରେ ଶୀକାର ହେଉଛନ୍ତି ସମିତି । ଚାଷୀଙ୍କ ଧାନକୁ ଓଜନ କରି ସମିତି ଆଗରେ ରଖିବା ପରେ ମିଲର ଆସୁନାହିଁ କି ଗାଡି ପଠାଉନାହିଁ । ଯାହାଫଳରେ ଉକ୍ତ ଧାନକୁ ସମିତି ସମ୍ମୁଖରେ ମହଜୁଦ୍ କରିବାକୁ ବାଧ୍ୟ ହେଉଛି ସମିତି । ବୁଲା ଷଣ୍ଢ ଓ ଗୃହ ପାଳିତ ପଶୁ ଉକ୍ତ ଧାନକୁ ଖାଇବା ସହ ନଷ୍ଟ ମଧ୍ୟ କରୁଛନ୍ତି ।

ଅନ୍ୟପଟେ କେତେକ ସମିତିରେ ଓଜନ କରାନଯାଇ ଧାନ ପଡିରହୁଛି ଏବଂ ଚାଷୀ ସେଗୁଡିକୁ ରାତିଦିନ ଜଗି ରହୁଛି । ଆଜିକାଲି କହି ମିଲର ଟାଳି ଚାଲିଥିବାବେଳେ ସମିତି ପକ୍ଷରୁ କୌଣସି ଭ୍ରୁକ୍ଷେପ ନଥିବା ପରି ଜଣାଯାଉଛି । ଭଦ୍ରକ ଜିଲା ତିହିଡି ବ୍ଲକ୍ର ଏଭଳି ଅନେକ ସମସ୍ୟା ଓ ପ୍ରତିବନ୍ଧକରେ ଚାଲିଛି ଧାନ କିଣା । ଏସବୁର ଦାୟୀ ହେଉଛନ୍ତି ଯୋଗାଣ ବିଭାଗ । ସେବା ସମବାୟ ସମିତି ଗୁଡିକୁ ପ୍ରଥମ ଲକ୍ଷ୍ୟ ଦିଆଯିବା ପରେ ପରବର୍ତ୍ତୀ ଲକ୍ଷ୍ୟ ଉପରେ ଉଠିଛି ପ୍ରଶ୍ନ । ଅଦବକ ଲିପ୍ଟିଂ କରୁଥିବା ସମିତିଗୁଡିକୁ ଆବଶ୍ୟକୀୟ ଲକ୍ଷ୍ୟ ମିଳୁନଥିବାରୁ ଚାଷୀଙ୍କ ଶରବ୍ୟରେ ଶୀକାର ହେବାକୁ ପଡୁଛି । ପାଳିଆବିନ୍ଧା ସେବା ସମବାୟ ସମିତିରେ ଏହାର ବ୍ୟତିକ୍ରମ ହୋଇଛି । ଗତବର୍ଷ ଏହି ସମିତି ୧୩ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିଥିବା ବେଳେ ଚଳିତବର୍ଷ ୩୨ ହଜାର କ୍ୱିଣ୍ଟାଲ ଧାନ କ୍ରୟ ଲାଗି ୬୪୦ ଜଣ ଚାଷୀ ଅନ୍ଲାଇନ୍ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏହି ସମିତିକୁ ୪ ହଜାର କ୍ୱିଣ୍ଟାଲ ଓ ୨ୟ ପର୍ଯ୍ୟାୟରେ ମାତ୍ର ଏକ ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ମିଳିଛି । ଚାଷୀଙ୍କ ଠାରୁ ବିଗତ ୩ ଦିନ ମଧ୍ୟରେ ପ୍ରାୟ ୧୮ ଶହ ବସ୍ତା ଧାନ ଓଜନ କରି ସମିତି କର୍ତ୍ତୃପକ୍ଷ ଷ୍ଟକ୍ କରିବା ସହ ପାଲ ପକାଇ ଉକ୍ତ ଧାନକୁ ଜଗି ରହୁଛି । ସେହିପରି ଗୁଆମାଳ ସେବା ସମବାୟ ସମିତିର ଗୁଆମାଳ ଓ ତାଳପଦାର ଚାଷୀଙ୍କୁ ଏହି ସମିତି ସହ ଟ୍ୟାଗ୍ କରାଯାଇଥିବା ଏବଂ ଚାଷୀଙ୍କ ପକ୍ଷରୁ ଅନଲାଇନ୍ କରାଯାଇଥିଲେ ମଧ୍ୟ କୌଣସି ଲକ୍ଷ୍ୟ ଆସିନଥିବା ଜଣାଯାଇଛି । ଯାହାକୁ ନେଇ ଉକ୍ତ ଚାଷୀ ସମିତିକୁ ଆସି ବାରମ୍ବାର ଫେରୁଛନ୍ତି । ସମିତି ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଫଲ ଶୂନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏମିତିରେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ସେହିପରି ଭାଟପଡା, ବାମନବିନ୍ଧା, ବାରସର, ଅମୃତସର ଆଦି ସମିତିର ପରବର୍ତ୍ତୀ ଧାନକିଣା ଲକ୍ଷ୍ୟ ମିଳିନଥିବା ଶୁଣିବାକୁ ମିଳୁଛି ।

error: Thank You Keep Visiting