ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଜଗତସିଂହପୁର: ଟାଉନହଲ ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସହଯୋଗରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାରଙ୍କ ପରିକଳ୍ପନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ କହିଲେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାର ସଫଳ ରୂପାୟନ ଏବଂ ଲୋକ ମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ଗୁରୁତ୍ୱ ପ୍ରଦାନ କରୁଛନ୍ତି ।
ବାଲିକୁଦା -ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଲେ ୧୯୯୯ ମହାବାତ୍ୟାରେ ଜିଲ୍ଲାରେ ଗ୍ରାମାଞ୍ଚଳର ଗୃହ ଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଇନ୍ଦିରା ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ,ଗ୍ରାମାଞ୍ଚଳ ଗୃହ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ପିଠା ଯୋଜନାରେ ଜନସାଧାରଣଙ୍କୁ ସରକାରୀ ଯୋଜନା ସଂପର୍କରେ ସିଧାସଳଖ ସଚେତନ କରାଯାଉଛି । ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟ ଦର୍ଶିନୀ ବିଶ୍ୱାଳ ଯୋଗଦେଇ କହିଲେ ଗ୍ରାମାଞ୍ଚଳ ବିକାଶ ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଗୃହ ନିର୍ମାଣ ପକ୍କାରାସ୍ତା,ବିଦ୍ୟୁତ୍ ସଂଯୋଗ ଓ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଠା ଯୋଜନାରେ ଗତ ଜାନୁୟାରୀ ମାସରେ ପାରଦର୍ଶିତା ଲାଭ କରିଥିବା ସର୍ବୋତ୍ତମ ପଂଚାୟତକୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନୂତନ କାର୍ଯ୍ୟପାଇଁ ୫ଲକ୍ଷଟଙ୍କା ପ୍ରଦାନ କରାଯାଇଥିଲା ।
ଜଗତସିଂହପୁର ବ୍ଲକର ସିଂହାରପୁର,ବିରିଡିର ଷଢେଇ ଶାସନ,ରଘୁନାଥପୁରର ବରାଗୋଳ,ତିର୍ତ୍ତୋଲର ଗୋପାଳପୁର,କୁଜଙ୍ଗର ଭୁତମୁଣ୍ଡେଇ,ନାଉଗାଁର ଓଷକଣା,ବାଲିକୁଦାର ରାହାଣ ଓ ଏରସମାର ପଇଦା ପଂଚାୟତର ସରପଂଚ ଓ ପିଓଙ୍କୁ ଅତିଥିମାନେ ଏହିରାଶି ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଚୟନ ହିତାଧିକାରୀଙ୍କୁ ଗ୍ରାମାଞ୍ଚଳ ଗୃହ ନିର୍ମାଣ ପାଇଁ ୧ଲକ୍ଷ ୨୦ ହଜାର ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ଯେଉଁ ହିତାଧିକାରୀମାନେ ୪ମାସରେ ନିର୍ମାଣ ସଂପୂର୍ଣ୍ଣ କରିଥିଲେ,ସେମାନଙ୍କୁ ୨୦ ହଜାର ଟଙ୍କା ଓ ୬ ମାସରେ ସଂପୂର୍ଣ୍ଣ କରିଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନାରେ ନୂତନପୋଖରୀ ଖନନ ପାଇଁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।
ଏହି ଯୋଜନାରେ ହେକ୍ଟର ପିଛା ୮ଲକ୍ଷ ୫୦ ହଜାର ଟଙ୍କା ଓ ରିହାତି ୫୦ ପ୍ରତିଶତ ଅନୁପାତରେ ପାଇବେ । ୪୯ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଜୀବିକା ମିଶନରେ ଉକୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ ଯୋଜନାରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯାଇ ଗତ ୩ ବର୍ଷରେ ଜିଲ୍ଲାର ୨୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ପାଇଥିବା ହିତାଧିକାରୀଙ୍କ ଅବିଭାବକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷୀ ବେହେରା,ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ପରିଚାଳନା କରିଥିଲେ । ଓରମାସ୍ ସହକାରୀ ନିର୍ଦ୍ଦେଶକ ସତ୍ୟସୁନ୍ଦର ଶିବରାମ ପାଇଟାଳ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ,ରୁରାଲ ହାଉସିଂ ଓ ଜୀବିକା ମିଶନମାନେ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡିଓ ଲଗ୍ନଜିତ୍ ରାଉତ,ବିରିଡି ଏ,ବି.ଡି.ଓ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ସମସ୍ତ ବ୍ଲକରୁ ଆସିଥିବା ହିତାଧିକାରୀ ଉପସ୍ଥିତ ଥିଲେ ।