କଣିହାଁ ମଶୁଣିହତାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କୁ ଶୁଣିଲେ ହଜାର ହଜାର ଜନସାଧାରଣ

Straight to the Point

ତାଳଚେର (ଓଡ଼ିଶା ଜର୍ଣ୍ଣାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ ନାମରେ ମାସିକ ରେଡ଼ିଓ କାର୍ଯ୍ୟକ୍ରମର ୫୩ତମ ସଂସ୍କରଣକୁ ଗତ ରବିବାର ଦିନ ମହାଆଡ଼ମ୍ବର ସହକାରେ ପାଳନ କରିଛି ବିଜେପି । ସମଗ୍ର ଭାରତବର୍ଷ ତଥା ଓଡ଼ିଶାର ସମସ୍ତ ବୁଥ୍ ଏବଂ ଶକ୍ତିକେନ୍ଦ୍ର ସ୍ତରରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଣିହାଁ ବ୍ଲକର କଣିହାଁ ପଂଚାୟତ ଅନ୍ତର୍ଗତ ମଶୁଣିହତା ଯାତ୍ରା ପଡ଼ିଆରେ ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ରଭାବେ ଆୟୋଜନ କରାଯାଇଥିଲା । ବିରାଟ ଏଲସିଡ଼ି ସ୍କ୍ରିନ୍ ମାଧ୍ୟମରେ ହଜାର ହଜାର କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିବାର ସୁଯୋଗ ପାଇଥିଲେ । ପ୍ରଧାନମନ୍ତ୍ରୀ କାଶ୍ମୀରର ଫୁଲୱାମାଠାରେ ସହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାସହ ସହୀଦ ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମୀନାଙ୍କର ଅଦମନୀୟ ସାହସ ପ୍ରତି ଦେଶ ଅଭିବାଦନ ଜଣାଇଥିବାର ସେ ପ୍ରକାଶ କରିଥିଲେ । ମୀନା ନିଜର ଏକମାତ୍ର ପୁତ୍ରକୁ ମଧ୍ୟ ସିଆରପିଏଫରେ ଭର୍ତି କରେଇବା ପାଇଁ ନେଇଥିବା ସଙ୍କଳ୍ପ ବାସ୍ତବରେ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେହିପରି ଓଡ଼ିଶାର ଦୈତାରୀ ନାୟକଙ୍କୁ ସ୍ମରଣ କରି ନିଜ ପ୍ରଚେଷ୍ଟାରେ ପାହାଡ଼ କାଟି ୩ କି.ମି ବ୍ୟାପି ଏକ କେନାଲ ଖୋଳି ନିଜ ଗ୍ରାମରେ ପାଣି ଓ ଜଳସେଚନର ସୁବିଧା କରି ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିବାସହ ଏହାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଜନପ୍ରିୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କ ପାଇଁ ସମର୍ପିତ ଏବଂ ତାଙ୍କର ସମସ୍ତ ଯୋଜନା ଗରିବ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ । କିନ୍ତୁ ରାଜ୍ୟରେ ଥିବା ୧୯ବର୍ଷର ସରକାର କେନ୍ଦ୍ର ସରକାରଙ୍କର ଯୋଜନାଗୁଡ଼ିକୁ ଏଠାରେ ଠିକ୍ ଭାବେ ଲାଗୁ କରାଉନାହାନ୍ତି ବୋଲି ଶ୍ରୀ ସାମଲ ଅଭିଯୋଗ କରିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ଆଜି ଉତରପ୍ରଦେଶର ଗୋରଖପୁରଠାରେ ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଉପସ୍ଥିତ କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଜନସାଧାରଣ ଏଲସିଡି ସ୍କ୍ରିନ୍ ମାଧ୍ୟମରେ ଏହି ଯୋଜନା ସମ୍ପର୍କରେ ପ୍ରସାରିତ କାର୍ଯ୍ୟକ୍ରମ ଦ୍ୱାରା ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ,ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,କଣିହାଁ ସମିତି ସଦସ୍ୟ ଦେବେନ୍ଦ୍ର ବାରିକ,ସରପଂଚ ଲୋକନାଥ ସାହୁ, ତାଳଚେରର ପୂର୍ବତନ ପୈାରାଧ୍ୟକ୍ଷା ଜ୍ୟୋସ୍ନା ଦଳେଇ,ଅଳକା ସାହୁ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ମିଡ଼ିଆସେଲ ପ୍ରଭାରୀ ପର୍ଶୁରାମ ବାରିକ,ବରିଷ୍ଠ ନେତା ନବକିଶୋର ସାହୁ,ସଚ୍ଚିଦାନନ୍ଦ ପ୍ରଧାନ, ରାଜେଶ ସାହୁ,ସୁଲେଖ ଧର,ଚିକୁ ସାହୁ,ବବଲୁ ସାହୁ,ଡିଲେଶ୍ୱର ବେହେରାଙ୍କ ସମେତ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

error: Thank You Keep Visiting