୨୦୮୨ କୋଟିର ୧୩୯ ପ୍ରକଳ୍ପ ଉଦ୍ଘାଟିତ

Straight to the Point

ହିନ୍ଦୋଳ (ଓଡ଼ିଶା ଜର୍ଣ୍ଣାଲ) : ଓଡିଶାର ଚାଷୀ ଭାଇଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ପଞ୍ଚୁପଡାଠାରେ ଅନୁଷ୍ଠିତ ଏକ ବିଶାର ସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯୋଜନା ଦ୍ୱାରା ଛୋଟ ଚାଷୀ, ଭାଗ ଚାଷୀ ଓ ଭୂମିହୀନ ୩୦ ଲକ୍ଷ ଚାଷୀ ଉପକୃତ ହୋଇ ପାରିବେ । ଚାଷୀଙ୍କୁ ସହାୟତା ଯୋଗାଇଦେବା ପାଇଁ କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ଦିଆଯାଇଥିବା ବେଳେ ବିନା ସୁଧରେ ସେମାନଙ୍କ ପାଇଁ ଋଣ ବ୍ୟବସ୍ଥା ମଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ପଚାରିଥିଲେ, ‘ଆପଣମାନେ ଖୁସି ତ?’ ଜନସାଧାରଣଙ୍କ ପ୍ରତି ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବୋଲି କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଞ୍ଚାସୀନ କେତେକ ପୁରୁଷ, ମହିଳା ଚାଷୀ ଓ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜଣେ ମଧ୍ୟବିତ୍ତ ବର୍ଗର ମହିଳା ଚାଷୀ ପ୍ରଥମେ ଉଦ୍ବୋଧନ ଦେଇ ସେ କାଳିଆ ଯୋଜନାର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ଏପରିକି ୯ମ ଶ୍ରେଣୀରେ ପାଠ ପଢୁଥିବା ତାଙ୍କୁ ଝିଅକୁ କାଳିଆ ଛାତ୍ର ବୃତ୍ତି ପ୍ରଦାନ କରିବାକୁ ନିବେଦନ ରଖିଥିଲେ । ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ୍ ଘୋଷଣା କରି କହିଥିଲେ ଯେ ଏପ୍ରିଲ୍ ୧ ରେ ଦ୍ୱିତୀୟ ପର୍ଯ୍ୟାୟର ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୨୦୮୨ କୋଟି ଟଙ୍କାର ୧୩୯ ଟି ପ୍ରକଳ୍ପ ଉଦ୍ଘାଟିତ କରିଥିଲେ । ହିନ୍ଦୋଳ ବ୍ଲକ ଖଜୁରିଆକଟା ସ୍ଥିତ ୧୩୨/୩୩ କେଭି ଗ୍ରିଡ୍ ସହ ହିନ୍ଦୋଳ ଓ ଓଡାପଡା ଅଞ୍ଚଳବାସୀଙ୍କ ସକାଶେ ବସୁଧା ଯୋଜନାରେ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ୨୦ ଜଣ ସଫଳ ଚାଷୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୌଣସି ନେତୃବୃନ୍ଦଙ୍କୁ ମଞ୍ଚରେ ଦେଖିବାକୁ ମିଳି ନଥିଲା । ଏହି ସମାବେଶରେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ଼ଃ ନୃସିଂହ ଚରଣ ସାହୁ, ଢେଙ୍କାନାଳ ସାଂସଦ ତଥାଗତ ସତପଥୀ, ଢେଙ୍କାନାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପାଲଲହଡା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହେଶ ସାହୁ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ସଂଞ୍ଜିବ କୁମାର ସାହୁ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସୁଧୀର ସାମଲ, ରାଜ୍ୟ ସେବା ସମବାୟ ସମିତି ସଭାପତି ଅକ୍ଷୟ କୁମାର ମହାନ୍ତି, ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ସସ୍ମିତା ମହାନ୍ତି, ହିନ୍ଦୋଳ ବ୍ଲକ ବିଜେଡି ସଭାପତି ବରୁଣ କୁମାର ସର, ହିନ୍ଦୋଳ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭାପତି ପ୍ରଦୀପ କୁମାର ସାହୁ ପ୍ରମୁଖ ବହୁ ବିଜେଡି ନେତୃବୃନ୍ଦ ମଞ୍ଚ ସମ୍ମୁଖରେ ସାଧାରଣ ଜନତାଙ୍କ ମଧ୍ୟରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ବିସିଥିବାର ଦେଖିବାକୁ ମିଳିଥିଲା ।

ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ତଥା ସିନେ ଅଭିନେତା କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଅନୁଗୋଳ ଜିଲ୍ଲାପାଳ ମନୋଜ ମହାନ୍ତି, ଢେଙ୍କାନାଳ ଏସ୍ପି ଅନୁପମା ଜେମ୍ସ, ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟାରେ ସଭାସ୍ଥଳରେ ନିର୍ମିତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଥିଲେ । ସେଠାରୁ ସିଧାସଳଖ ଯାଇ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ୧୩୯ ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ସମାବେଶରେ ଲକ୍ଷ୍ୟାଧିକ ଲୋକଙ୍କ ସମାବେଶ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜନସାଧାରଣ ଓ ଚାଷୀମାନେ ଆସୁଥିବା ବେଳେ ଓଡାପଡା ଓ ତେଲିଭୂଇଁରେ ବିବାଦମାନ ପରିସ୍ଥ୍ିତି ସୃଷ୍ଟିହୋଇ ରାସ୍ତାରୋକ ହୋଇଥିଲା । ଫଳରେ ସଭାସ୍ଥଳକୁ ଆସିବାକୁ ଥିବା ଲୋକମାନେ ସେଠାରେ ଅଟକି ରହିଥିଲେ ।

error: Thank You Keep Visiting