ଜିଲ୍ଲାପାଳଙ୍କ ଆଦେଶକୁ ଅମାନ୍ୟକରି ଦେବୋତ୍ତର ପୋଖରୀ ପୋତାଯିବା ଓ ଶ୍ରୀବଳଦେବ ଜୀଉଙ୍କ ସମ୍ପତି ଦଖଲ ଉଦ୍ୟମ

Straight to the Point

କେନ୍ଦ୍ରାପଡା (ଓଡ଼ିଶା ଜର୍ଣ୍ଣାଲ) କେନ୍ଦ୍ରାପଡା ସହରର ଜନୈକ ବିଲଡର ତଥା ସରକାରୀ ଦଳର ପୂର୍ବତନ କାଉନସିଲର ରାଜସ୍ୱ ନିରୀକ୍ଷକଙ୍କୁ ହାତବାରିସୀ କରି ଶ୍ରୀବଳଦେବଜୀଉଙ୍କ ପାଦପଦ୍ମ ବିଜେସ୍ଥଳି ଭାବେ ସୂଚିତ ଏବଂ ଭଗବାନପୁର ଗ୍ରାମର ମହାପୁରୁଷ ସିଦ୍ଧ ଦାସ ମନ୍ଦିରର ଏକମାତ୍ର ପୁଷ୍କରିଣୀ ଜମିକୁ ଯୋର ଜବରଦସ୍ତି ଅକ୍ତିଆର କରିବା ସହ ସେହି ପୋଖରୀକୁ ପୋତି ସେହି ଜମିର ପଛ ପଟରେ ଥିବା ତାଙ୍କର ଜମିକୁ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି । ଏମିତିକି ସେହି ପୋଖରୀକୁ ନପୋତିବା ପାଇଁ ପୂର୍ବତନ ଜିଲ୍ଲାପାଳ ରଘୁଜୀଙ୍କ ନିର୍ଦେଶ ଥିବା ସତ୍ତେ୍ୱ ତାହାକୁ ଭୁକ୍ଷେପ ନକରି ବେଆଇନ ଭାବେ ଏଭଳି କାର୍ଯ୍ୟ କରାଯାଉଛି ।

ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଭଗବାନପୁର ମୈାଜାର ଖାତା ନମ୍ବର ୧୫୭ରେ ଥିବା ପ୍ଲଟ ନମ୍ବର ୨୧୪ କିଷମ ଦେବସ୍ଥଳି ଥାଇ ଶ୍ରୀବଳଦେବଜୀଉଙ୍କ ପାଦପଦ୍ମ ବିଜେସ୍ଥଳି ବୋଲି ମନ୍ତବ୍ୟ ନୋଟଥିବା ଏବଂ ଭଗବାନପୁର ଗ୍ରାମର ମହାପୁରୁଷ ସିଦ୍ଧ ଦାସ ମନ୍ଦିରର ଏକମାତ୍ର ପୁଷ୍କରିଣୀ ଭାବେ ବ୍ୟବହୃତ ହେଉଥିବା ପୋଖରୀକୁ ପୋତିବା ଉଦ୍ୟମ କରି ସେହି ପୂର୍ବତନ କାଉନସିଲର ଜଣକ ପୁଷ୍କରିଣୀ ପଛରେ ଥିବା ନିଜ ଜମିକୁ ରାସ୍ତା ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିବାରେ ଗ୍ରାମବାସୀଙ୍କ ପକ୍ଷରୁ ନରହରି ପତି, ନୃସିଂହ ଚରଣ ପତ୍ରୀ, ନିତ୍ୟାନନ୍ଦ ସୂଆର, ସତ୍ୟନାରାୟଣ କର, ନବ କିଶୋର ପାଣି, ନିଳମଣି ପତ୍ରୀ, ନିରଞ୍ଜନ କର, ଗୋବିନ୍ଦ ଚନ୍ଦ୍ର କର, ଚନ୍ଦ୍ରଶେଖର ମିଶ୍ର, କଳିଙ୍ଗ କେଶରୀ ପତି ପ୍ରମୁଖ ଶତାଧିକ ଗ୍ରାମବାସୀ ଏ ସମ୍ପର୍କରେ ତଦନାନ୍ତୀନ ଜିଲ୍ଲାପାଳ ରଘୁଜୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବାରେ ଜିଲ୍ଲାପାଳ କେନ୍ଦ୍ରାପଡା ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେବା ସହିତ ସେହି ରିପୋର୍ଟ ପାଇବା ପରେ ଶ୍ରୀଜୀଉଙ୍କ ପାଦପଦ୍ମ ପୋଖରୀକୁ ନପୋତିବା ନିମନ୍ତେ ନିର୍ଦେଶ ଦେଇଥିଲେ ।

ଏହାପରେ ପୋଖରୀ ପୋତା ବନ୍ଦ ହୋଇଯାଇଥିବା ବେଳେ ଜିଲ୍ଲାପାଳ ରଘୁଜୀଙ୍କ ବଦଳି ହୋଇଯିବା ପରେ ସେହି ବିଲଡର ଜଣକ ପୁଣି ପୋଖରୀ ପୋତିବା କାର୍ଯ୍ୟ ଆରମ୍ଭ କରିଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପୂର୍ବତନ କାଉନସିଲର ଜଣକ ଏତେ ପ୍ରଭାବଶାଳି ହୋଇପଡିଛନ୍ତି ଯେ ଆର.ଆଇଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଏସବୁ ବେଆଇନ କାର୍ଯ୍ୟ ନିଦ୍ୱନ୍ଦରେ କରିନେବାକୁ ବସିଛନ୍ତି । ଜିଲ୍ଲା ପ୍ରଶାସନ ସବୁ ଜାଣି ଶୁଣି ଚୁପ ହୋଇ ବସିଥିବା ବେଳେ ତହସିଲଦାର ମଧ୍ୟ ନୀରବ ରହୁଥିବାର ଦେଖାଯାଇଛି । ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି ସେହି ଜମିଟି ଶ୍ରୀବଳଦେବଜୀଉଙ୍କ ପାଦପଦ୍ମ ବିଜେସ୍ଥଳି ଭାବେ ପରିଚିତ ଥାଇ ମଧ୍ୟ ସ୍ଥାନୀୟ ଦେବୋତ୍ତର ବିଭାଗ ସବୁ ଜାଣିବି କିଛି ନଜାଣିବାର ଅଭିନୟ କରୁଥିବା ଦେଖାଯାଇଛି । ସରକାରୀ କର୍ମଚାରୀ,ପ୍ରଶାସନ,ଜନପ୍ରତିନିଧି ଓ ସର୍ବପରି ଦେବୋତ୍ତର ବିଭାଗର ଜାଣତରେ ଏସବୁ ବେଆଇନ କାର୍ଯ୍ୟ ଚାଲିଥିବା ବେଳେ କେହି କିଛି ନଜାଣିବାର ଅଭିନୟ କରିଚାଲିଥିବା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଛି ।

ଶ୍ରୀବଳଦେବଜୀଉଙ୍କ ଟ୍ରଷ୍ଟ ବୋର୍ଡରେ ପୂର୍ବତନ ନଗରପାଳ ସଦସ୍ୟ ଭାବେ ରହିଥିବା ବେଳେ ପୂର୍ବତନ କାଉନସିଲର ଜଣକ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ସହଯୋଗ ପାଇ ଏଭଳି ଭାବରେ ଶ୍ରୀଜୀଉଙ୍କ ପୋଖରୀକୁ ବେଆଇନ ଭାବେ ପୋତିଦେଇ ପଛରେ ଥିବା ତାଙ୍କ ଜମିକୁ ପ୍ଲଟିଂ କରି ବହୁ ଉଚ୍ଚା ମୂଲ୍ୟରେ ବିକି ଲାଭବାନ ହେବାକୁ ପ୍ରୟାସ ଜାରିରଖିଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଭଗବାନପୁର ଓ ଈଶ୍ୱରପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତୁରନ୍ତ ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଆଦରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ଭିତରେ ତୀବ୍ର ଉତ୍ତେଜନା ସୃଷ୍ଟି ହେଉଥିବାର ବିଶେଷ ସୁତ୍ରରୁ ଜଣାପଡିଛି । ତେଣୁ ବେଳ ଥାଉଁ ଥାଉଁ ଜିଲ୍ଲା ପ୍ରଶାସନ ସଜାଗ ହୋଇ ଏସମ୍ପର୍କରେ ବିହିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

error: Thank You Keep Visiting