ତାଳଚେର ବିଜୁଳି ଉପଭୋକ୍ତା ମଂଚ ଗଠିତ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ତାଳଚେରରେ ରହିଥିବା ବିଦ୍ୟୁତ ଉପଭୋକ୍ତାମାନଙ୍କୁ ପ୍ରତିଟି କ୍ଷେତ୍ରରେ ସାହାଯ୍ୟ କରିବାସହ ଏ କ୍ଷେତ୍ରରେ ସେମାନେ ଦୀର୍ଘ ବର୍ଷ ଧରି ସମ୍ମୁଖୀନ ହୋଇ ଆସୁଥିବା ବିଭିନ୍ନ ସମସ୍ୟାର ମୁକାବିଲା କରିବା ନିମନ୍ତେ ତାଳଚେର ବିଜୁଳି ଉପଭୋକ୍ତା ମଂଚ ଗଠିତ ହୋଇଛି ବୋଲି ଏହାର କାର୍ଯ୍ୟକର୍ତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ହୋଟେଲ ବୃନ୍ଦାବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମଂଚର ସଭାପତି ଇଂ ବିଷ୍ଣୁମୋହନ ରଥ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଂଚର ଉଦ୍ଦେଶ୍ୟ ଏବଂ ଅଭିପ୍ରାୟ ସମ୍ପର୍କରେ ପ୍ରକାଶ କରିଥିଲେ ।

ତାଳଚେର ଅଂଚଳରେ ବିଦ୍ୟୁତ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଜୁଳି ଉତ୍ପାଦନକାରୀ କେନ୍ଦ୍ର ଏଠାରେ ରହିଥିଲେ ସୁଦ୍ଧା ସାମାନ୍ୟ ପବନ ହେଲେ ଏଠାରେ ବିଦ୍ୟୁତ କାଟ ହେଉଛି । ଫଳରେ ଉପଭୋକ୍ତା ଆବଶ୍ୟକୀୟ ବିଜୁଳି ସେବା ପାଇବାରେ ବଂଚିତ ହେଉଛନ୍ତି । ସେହିପରି ଅନ୍ୟ ରାଜ୍ୟ ତୁଳନାରେ ବିଦ୍ୟୁତ ଉପଭୋକ୍ତାମାନେ ଏଠାରେ ପ୍ରତି ୟୁନିଟ ପିଛା ଅଧିକ ଶୁଳ୍ପ ଦେଉଛନ୍ତି । କିନ୍ତୁ ଓଡ଼ିଶାରୁ ବିଦ୍ୟୁତ କିଣୁଥିବା ରାଜ୍ୟଗୁଡ଼ିକ ଶସ୍ତାରେ ବିଜୁଳି ଦେଉଛନ୍ତି । ଏହା ବିରୋଧରେ ମିଳିତ ସଂଗ୍ରାମ କରିବାର ସମୟ ଆସିଛି । ଏଣୁ ରାଜନୈତିକ ଚିନ୍ତାଧାରାରୁ ଉଦ୍ଧ୍ୱର୍ରେ ରହି ତାଳଚେର ଅଂଚଳକୁ ଆଲୋକିତ କରିବା ତଥା ଉପଭୋକ୍ତାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଂଚ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ ।

ଏଣୁ ତାଳଚେର ନିର୍ବାଚନ ମଣ୍ଡଳୀ ଅଧିନରେ ବାସ କରୁଥିବା ଗରିବ ପରିବାରଗୁଡ଼ିକୁ ମାଗଣାରେ ବିଜୁଳି ସଂଯୋଗ କରାଯିବା ତଥା ସମସ୍ତ ପରିବାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ଓ ଲୋ ଭୋଲଟେଜ ସମସ୍ୟାର ସମାଧାନ କରାଯିବା,ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ସାମୁହିକ ଏବଂ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ମାଗଣା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ,ଉକ୍ତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପରିବାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବିଦ୍ୟୁତ ଶୁଳ୍କରେ ୫୦% ରିହାତି ପ୍ରଦାନ,ତାଳଚେର ନିର୍ବାଚନ ମଣ୍ଡଳୀ ୍ରନ୍ତର୍ଗତ ସମସ୍ତ ଗ୍ରାମଗୁଡ଼ିକରେ ରହିଥିବା ବିଦ୍ୟୁତ ଖୁଂଟିରେ ମାଗଣାରେ ଲାଇଟ ଲଗାଯିବା ଆଦି ୫ଟି ଲକ୍ଷ୍ୟ ପୂରଣ କରାଯିବା ପାଇଁ ମଂଚ ପକ୍ଷରୁ ଦାବୀ କରାଯାଇଛି ।

ସେହିପରି ଏନ୍.ଟି.ପି.ସି ତାଳଚେର ଥର୍ମାଲ ଏବଂ କଣିହାଁ ପ୍ରକଳ୍ପ ଦ୍ୱାରା ୧ମ,୨ୟ ଏବଂ ୩ୟ ନଂ ଲକ୍ଷ୍ୟକୁ ପୂରଣ କରାଯିବା ଏବଂ ଏମ୍.ସି.ଏଲ ଦ୍ୱାରା ୪ର୍ଥ ଏବଂ ୫ମ ଲକ୍ଷ୍ୟକୁ ପୂରଣ କରାଯିବା ପାଇଁ ମଂଚ ପକ୍ଷରୁ ଏହି ଅବସରରେ ଦାବୀ କରାଯାଇଥିଲା । ଏମ୍.ସି.ଏଲ ଏକ କୋଇଲା ଉତ୍ପାଦନକାରୀ ସଂସ୍ଥା ହୋଇଥିବା ବେଳେ ଏନ୍.ଟି.ପି.ସି ଏଠାରେ ସ୍ଥାପିତ ହୋଇ ଉକ୍ତ କୋଇଲାକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିଆସୁଛି । ତାଳଚେରର ସମ୍ପୂର୍ଣ୍ଣ ବିକାଶ ପାଇଁ ଉଭୟ ଉଦ୍ୟୋଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମଂଚ ପକ୍ଷରୁ ମତବ୍ୟକ୍ତ କରାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମଂଚର ସଭାପତି ଇଂ ବିଷ୍ଣୁମୋହନ ରଥ,ସାଧାରଣ ସମ୍ପାଦକ ଭାଗିରଥୀ ସାହୁ, ଉପଦେଷ୍ଟା ଜୟନ୍ତ କୁମାର ସାହୁ,ଯୁଗ୍ମ ସମ୍ପାଦକ ଜୀବନଜ୍ୟୋତି ଗଡ଼ନାୟକ,ପ୍ରଚାର ତଥା ପ୍ରସାର ଦାୟିତ୍ୱରେ ଥିବା ହେମନ୍ତ କୁମାର ଦେହୁରୀ,ଶ୍ରବଣ କୁମାର ସାମଲ,ନିରଞ୍ଜନ ସାମଲ ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।

error: Thank You Keep Visiting