ଆରଏମସିର ନାଲିଫିତା ତଳେ ବନ୍ଧାପଡିଛି ବହୁ ପ୍ରତୀକ୍ଷିତ ଶୀତଳଭଣ୍ଡାର

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ) : ଗତ ଦୁଇବର୍ଷ ତଳେ ପଂଚାୟତରାଜ ବିଭାଗ ପକ୍ଷରୁ ତତ୍କାଳୀନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦ୍ୱାରା ଭଦ୍ରକ ଆର.ଏମ୍.ସି. କ୍ୟାମ୍ପସ୍ରେ ନିର୍ମାଣ ହେବାକୁ ଥିବା ବହୁ ଚର୍ଚ୍ଚିତ ଶୀତଳ ଭଣ୍ଡାର ଏବେ କେବଳ ସେହି ଫଳକରେ ଅଟକି ରହିଛି । ଗତ ୨୦୧୬ ଡିସେମ୍ବର ୨୫ ତାରିଖ ଦିନ ତତ୍କାଳୀନ ପଂଚାୟତରାଜ ମନ୍ତ୍ରୀ ଦାମୋଦର ରାଉତଙ୍କ ଦ୍ୱାରା ୧ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ଅତ୍ୟାଧୁନିକ ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟରେ ଭୂମିପୂଜନ ଏବଂ ଏହି ଫଳକ ସ୍ଥାପନ କରାଯାଇଥିଲା । ମାତ୍ର ଏହା କେବଳ ଭଦ୍ରକ ଆରଏମ୍ସି ଶୀତଳଭଣ୍ଡାରର ନାଲିଫିତା ତଳେ ବନ୍ଧା ହୋଇପଡିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଆଳୁ ମିଶନ ଫେଲ୍ ମାରିବା ପରେ ସରକାରଙ୍କ ଚିନ୍ତା ପଶିଥିଲା । ଜିଲା ତଥା ରାଜ୍ୟରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନଥିବାରୁ ବିପୁଳ ଆଳୁ ଉତ୍ପାଦନ ସତ୍ୱେ ଚାଷୀଙ୍କୁ ଏହାର ସୁଫଳ ମିଳିନଥିଲା । ଫଳରେ ସରକାରଙ୍କ ସମସ୍ତ ଉଦ୍ୟମ ଓ ପ୍ରୋତ୍ସାହନ ସତ୍ୱେ ଏହା ଫେଲ୍ ମାରିଥିଲା । କେବଳ ଆଳୁ ନୁହେଁ, ପରନ୍ତୁ ପ୍ରଚୁର ପନିପରିବା ଉତ୍ପାଦନ ସତ୍ୱେ ଏହାର ସଂରକ୍ଷଣ ସୁବିଧା ଚାଷୀଙ୍କୁ ଉପଲବ୍ଧ ନହେବାରୁ ସେମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇ ଶେଷରେ ଚାଷ ଚାଡିବାକୁ ବାଧ୍ୟ ହୋଇଥିବାବେଳେ ସରକାର ଏଥିପ୍ରତି ଆଖି ବୁଜିଦେଇଛନ୍ତି । ଖରାଟିଆ ଚାଷକୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ସରକାର ଚାଷୀକୁ ଶହ ଶହ କୋଟି ଟଙ୍କାର କୃଷିଋଣ ଯୋଗାଇ ଦେଉଥିବାବେଳେ ଚାଷୀଙ୍କ ଉତ୍ପାଦନର ବଜାର ନଥିବାରୁ ଜିଲାରେ ସେମାନେ ଖରାଟିଆ ଚାଷ ପ୍ରତି ନିରୁତ୍ସାହିତ ହେଉଥିବାର ଜଣାପଡିଛି ।

ଭଦ୍ରକ ଜିଲାରେ ପ୍ରାୟ ୧ ଲକ୍ଷ ୭୦ ହଜାର ହେକ୍ଟର ଜମିରେ ଖରିଫ ଚାଷ କରାଯାଉଥିବାବେଳେ ରବି ଚାଷ ବେଳକୁ ତାହା ଫସର ଫାଟୁଛି । ଶହ ଶହ କୋଟି ଟଙ୍କାର କୃଷିଋଣ ନେଇ ଚାଷୀ ଅଣଚାଷରେ ଅର୍ଥ ବିନିଯୋଗ କରୁଛି । ଏହି ଜିଲାରେ ପ୍ରତିବର୍ଷ ୪୦ ରୁ ୪୫ ହଜାର ହେକ୍ଟର ଜମିରେ ରବି ଚାଷ କରିବାକୁ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷଧାର୍ଯ୍ୟ ହେଉଛି । ମାତ୍ର କୌଣସି ବର୍ଷ ଜିଲାରେ ରବିଚାଷ ୩୦ ହଜାର ହେକ୍ଟର ଛୁଇଁପାରୁନାହିଁ । ଏଥିପାଇଁ ଜିଲା କୃଷି ବିଭାଗ ଜଳସେଚନକୁ ଆଳ କରୁଥିଲେ ମଧ୍ୟ ବାସ୍ତବରେ ଉତ୍ପାଦନର ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ ଖରାଟିଆ ଚାଷରୁ ଲାଭାନ୍ୱିତ ହୋଇପାରୁନାହିଁ ।

ଭଦ୍ରକ ଭଳି ଏକ କୃଷିଭିତ୍ତିକ ଜିଲାରେ ୮୦ ପ୍ରତିଶତ ଲୋକଙ୍କ ମୁଖ୍ୟ ଜୀବିକା ଚାଷ ହୋଇଥିଲେ ମଧ୍ୟ ପାରମ୍ପରିକ ଧାନଚାଷ ଛଡା ଜିଲାରେ ଅନ୍ୟ କୌଣସି ବାଣିଜ୍ୟିକ ଫସଲ ସମ୍ଭବପର ହୋଇପାରୁନାହିଁ । ଏଥିପାଇଁ ଜିଲାର ଆଗୁଆ ଚାଷୀମାନେ ଜିଲାରେ ଶୀତଳଭଣ୍ଡାର ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉଛନ୍ତି । ଉତ୍ପାଦନର ଉଚିତ୍ ବଜାର ଦର ପାଇବାକୁ ହେଲେ ପନିପରିବାର ସଂରକ୍ଷଣ ନିତ୍ୟାନ୍ତ ଜରୁରୀ ହୋଇଥିବାବେଳେ ସରକାର ଏଥିପ୍ରତି ଆଖିବୁଜିଦେଇ ଏହାର ନିର୍ମାଣ କେବଳ ଭୂମିପୂଜା ଓ ଫଳକରେ ସୀମିତ ରଖିବା ଘଟଣା ଜିଲାରେ ବର୍ଷ ବର୍ଷ ଧରି ଶୀତଳ ଭଣ୍ଡାର ନିର୍ମାଣ ପ୍ରକ୍ରିୟାକୁ ବିଳମ୍ବିତ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି ।

error: Thank You Keep Visiting