ବନ୍ଧୁମିଳନ ଆଳରେ ପଞ୍ଚାନନଙ୍କ ଶକ୍ତି ପ୍ରଦର୍ଶନ,ଭଣ୍ଡାରିପୋଖରୀ ବିଜେପି ରାଜନୀତିକୁ ଝଟକା

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଜେପି ରାଜନୀତିକୁ ଶକ୍ତ ଝଟକା ଲାଗିଛି । ଟିକେଟ୍ ଘୋଷଣା ପୂର୍ବରୁ ଦଳର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ବନ୍ଧୁ ମିଳନ ଆଳରେ ଏକାଠି ହେଲେ ଦଳର ସହସ୍ରାଧିକ ଅସନ୍ତୁଷ୍ଟ । ବରିଷ୍ଠ ସଂଘୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ରାଉତଙ୍କ ନେତୃତ୍ୱରେ ଏକାଠି ହେଲେ ଅସନ୍ତୁଷ୍ଟ । ପଂଚାନନଙ୍କ ପ୍ରାର୍ଥିୀତ୍ୱକୁ ନେଇ ପରୋକ୍ଷରେ ହେଲା ସହମତି । ଗୋଟିଏ ପଟରେ ଗତଥରର ପରାଜିତ ପ୍ରାର୍ଥୀ ତଥା ବିଜେପି ଜିଲା ସଭାପତି ବଦ୍ରୀ ଧଳଙ୍କୁ ଚଳିତ ନିର୍ବାଚନରେ ଏଠାରୁ ପୁଣି ପ୍ରାର୍ଥିୀ କରିବାକୁ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜୋରଦାର ଲବି ଚଳାଇଥିବାବେଳେ ତାଙ୍କ ରାସ୍ତାରେ ଏବେ କଣ୍ଟା ସାଜିଛନ୍ତି ଦଳର କେନ୍ଦ୍ରୀୟ ସଂଘୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ରାଉତ ।

ଦଳୀୟ ଟିକେଟ୍କୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଲାଗିଥିବାବେଳେ ପଂଚାନନଙ୍କର ବନ୍ଧୁମିଳନ ନାମରେ ଏହି ଶକ୍ତି ପ୍ରଦର୍ଶନ ଏବେ ଭଣ୍ଡାରିପୋଖରୀ ବିଜେପି ରାଜନୀତିକୁ ସରଗରମ କରିଦେଇଛି । ବରିଷ୍ଠ ସଂଘୀୟ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ରାଉତଙ୍କ ନେତୃତ୍ୱରେ ଏକ ବଡଧରଣର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଅନ୍ୟୁନ ୨ ହଜାରରୁ ଉଦ୍ଧ୍ୱର୍ ସମର୍ଥକ ଏକାଠି ହୋଇଥିଲେ । ଭଣ୍ଡାରିପୋଖରୀର ବ୍ଲକ୍ ଆଦାମପୁର କପାଳୀ ନଦୀ କୂଳ ବନ୍ୟ ପ୍ରକଳ୍ପ ଜଂଗଲରେ ଏହି ବନ୍ଧୁମିଳନ ଆୟୋଜନ କରାଯାଇଥିଲା । ବରିଷ୍ଠ ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନ୍ଧୁ ମିଳନରେ ପୂର୍ବତନ ବିଜେପି ଜିଲା ସଭାପତି ଅକ୍ଷୟ ସାହୁ, ଜିଲା ବିଜେପି ସାଧାରଣ ସଂପାଦକ ବାମଦେବ ଦାସ, ରାମକୃଷ୍ଣ ସେବାଶ୍ରମ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱାମୀ ଆଶ୍ରୟାନନ୍ଦ ଜୀ ମହାରାଜ, ସୁଧାକର ଧଳ, ପତଞ୍ଜଳି କରଶର୍ମା, ଅମର ଜେନା, ବ୍ରହ୍ମଚାରୀ ଚିନ୍ତାମଣି ପଣ୍ଡା ପ୍ରମୁଖ ବହୁ ଛାମୁଆ ନେତା ଯୋଗ ଦେଇଥିଲେ ।

ଏହି ବନ୍ଧୁ ମିଳନରେ ବନ୍ତ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ର ସହସ୍ରାଧିକ କର୍ମୀ ଯୋଗ ଦେଇଥିଲେ । ବିଜୟ ଖିଲାର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଦ୍ୟାଧର ସେଠୀ ଧନ୍ୟବାଦ ଦେଇଥିଲେ । ତେବେ ଦଳୀୟ ସଂଗଠନ ନେଇ ଏହି ବନ୍ଧୁ ମିଳନ ଡକାଯାଇଥିଲେ ମଧ୍ୟ ପରୋକ୍ଷରେ ଜିଲା ବିଜେପି ସଂଗଠନ ବିରୁଦ୍ଧରେ ଦଳର ଅସନ୍ତୁଷ୍ଟ ମାନଙ୍କର ଏହି ଯୁଦ୍ଧ ଘୋଷଣା ବୋଲି ଚର୍ଚ୍ଚା ହେଉଛି । ବିଜେପି ଜିଲା ସଂଗଠନ ଏହି ଆସନରେ ଗତଥରର ପରାଜିତ ପ୍ରାର୍ଥୀ ତଥା ଦଳର ଜିଲା ସଭାପତି ବଦ୍ରୀ ଧଳଙ୍କୁ ପୁଣି ପ୍ରାର୍ଥିୀ କରିବାକୁ ମସୁଧା ଚଳାଇଥିବା ବେଳେ ଅସନ୍ତୁଷ୍ଟମାନେ ବଦ୍ରୀଙ୍କ ବଦଳରେ ନବାଗତ ସଂଘୀୟ ନେତା ପଞ୍ଚାନନଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ଅଡି ବସିଛନ୍ତି ।

ଗୋଟିଏ ପଟରେ ବଦ୍ରୀଙ୍କ ପଛରେ ଜିଲା ଏବଂ ରାଜ୍ୟ ସଂଗଠନର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏକାଠି ହୋଇଥିବାବେଳେ ପଂଚାନନଙ୍କ ସପକ୍ଷରେ କେନ୍ଦ୍ର ଏବଂ ରାଜ୍ୟ ବିଜେପି ସଂଗଠନର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହମତି ବ୍ୟକ୍ତ କରିଛନ୍ତି । କୁହାଯାଉଛି ପଂଚାନନଙ୍କ ଟିକେଟ୍ କେନ୍ଦ୍ରରୁ ଚୂଡାନ୍ତ ସରିଥିବାବେଳେ କେବଳ ଘୋଷଣା ବାକି ରହିଛି । ଗତ ନିର୍ବାଚନରେ ଦେଶବ୍ୟାପୀ ପ୍ରବଳ ମୋଦି ହାୱା ସତ୍ୱେ କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥିୀ ହୋଇଥିବା ବଦ୍ରୀ ଧଳ କେବଳ ପରାଜିତ ହୋଇନଥିଲେ ପରନ୍ତୁ ପ୍ରତିଦ୍ୱନ୍ଦିତା ଦୌଡରେ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଚଳିତ ନିର୍ବାଚନରେ ଦଳୀୟ ଟିକେଟ୍ ଯାହା ସପକ୍ଷରେ ଯାଉନା କାହିଁକି ଘୋଷଣା ପୂର୍ବରୁ ପ୍ରାର୍ଥିୀତ୍ୱକୁ ନେଇ ଦଳ ମଧ୍ୟରେ ଏହି ଧରଣର ଗୋଷ୍ଠୀକନ୍ଦଳ ଏବେ ଭଣ୍ଡାରିପୋଖରୀ ବିଜେପି ରାଜନୀତିକୁ ବେଶ ସରଗରମ କରିଦେଇଛି ।

error: Thank You Keep Visiting