ଓଡ଼ିଶାର ଧାନ ରାତି ଅଧିଆ ଆନ୍ଧ୍ର ଚାଲାଣ ; ଆରଏମସି ଗେଟ୍ ଉଚ୍ଛେଦରୁ ଟିକସ ଫାଙ୍କୁଛନ୍ତି ବେପାରୀ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଆରଏମ୍ସି ଗେଟ୍ ଉଚ୍ଛେଦ ପରେ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି ଆନ୍ଧ୍ର ଧାନ ବେପାରୀ । ବିନା ଟିକସରେ ଜିଲାରୁ ଶହ ଶହ ଟ୍ରକ୍ ଧାନ ବେପାରୀଙ୍କ ଜରିଆରେ ଆନ୍ଧ୍ର ଚାଲାଣ ହୋଇଯାଉଥିବା ବେଳେ ଜିଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ସରକାରୀ ଭାବେ ଏବେ ଜିଲାରୁ ପ୍ରାୟ ୧୭ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବାବେଳେ ଆନ୍ଧ୍ର ବେପାରୀଙ୍କ ଜରିଆରେ ଜିଲାରୁ ପ୍ରାୟ ୧୫ ଲକ୍ଷ କ୍ୱିଣ୍ଟାଲରୁ ଉଦ୍ଧ୍ୱର୍ ଧାନ ଆନ୍ଧ୍ର ଚାଲାଣ ହୋଇସାରିଥିବା କୁହାଯାଉଛି । ଯେଉଁଥିରୁ ଭଦ୍ରକ ଆରଏମ୍ସିଙ୍କୁ ଅନ୍ୟୁନ ପକ୍ଷେ ୫ କୋଟି ଟଙ୍କାର ଧାନ ଟିକସ ମିଳିବା କଥା ।

ହେଲେ ଆରଏମ୍ସି ସୂଚନା ଅନୁଯାୟୀ ଏହି ବାବଦକୁ ଆରଏମ୍ସିକୁ ମାତ୍ର ୬୦ ଲକ୍ଷ ଟଙ୍କାର ଧାନ ଟିକସ ମିଳିଛି । ଅର୍ଥିାତ୍ ବିନା ଟିକସରେ ଜିଲାରୁ ଅନ୍ୟୁନପକ୍ଷେ ସାଚେ ଚାରିକୋଟି ଟଙ୍କାର ଧାନ ଜିଲା ବାହାରକୁ ଚୋରା ଚାଲାଣ ହୋଇଯାଇଛି । ଆରଏମ୍ସି କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଗେଟ୍ ଉଠିଯାଇଥିଲେ ମଧ୍ୟ ଜିଲା ବାହାରକୁ ଯାଉଥିବା ଧାନରୁ ଆରଏମ୍ସି ୨ ପ୍ରତିଶତ କରି ଧାନ ଟିକସ ସଂଗ୍ରହ କରିଥାନ୍ତି । ହେଲେ ଆରଏମ୍ସି କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଆନ୍ଧ୍ର ବେପାରୀ ମାନେ ରାତିଅଧିଆ ଜିଲାରୁ ଧାନ ଚାଲାଣ କରିଦେଉଥିବା ଯୋଗୁଁ ଆରଏମ୍ସିଙ୍କୁ ଏହି ଟିକସର ହାତ ଧୋଇବାକୁ ପଡିଛି ।

ଅନୁରୂପ ପ୍ରତିବର୍ଷ ଭଦ୍ରକ ଜିଲାରୁ ଉଭୟ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଧାନ ଚାଲାଣ ହୋଉଥିବାବେଳେ ଚଳିତବର୍ଷ କିନ୍ତୁ ସ୍ଥିତି ଭିନ୍ନ ଧରଣର ହୋଇଛି । ଜିଲାରୁ ବେଂଗଲ ଧାନ ଚାଲାଣ ଏକ ପ୍ରକାର ବନ୍ଦ ହୋଇଯାଇଥିବାବେଳେ ୯୦ ପ୍ରତିଶତ ଧାନ କେବଳ ଆନ୍ଧ୍ର ଚାଲାଣ ହୋଇଛି । ଧାନ ଅମଳ ହେବା ଠାରୁ ଗାଁ ଗାଁରେ ଆନ୍ଧ୍ର ବେପାରୀମାନେ ସେମାନଙ୍କ ଜାଲ ବିଛାଇ ଦେଇଛନ୍ତି । କୁହାଯାଇଛି ସରକାରୀ ନେଟ୍ୱାର୍କିଂ ଠାରୁ ଆନ୍ଧ୍ର ଧାନ ବେପାରୀଙ୍କ ନେଟ୍ୱାର୍କିଂ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବାରୁ ସରକାରଙ୍କ ଅପେକ୍ଷା ଆନ୍ଧ୍ର ବେପାରୀଙ୍କ ଜରିଆରେ ଅଧିକ ଧାନ ଆନ୍ଧ୍ର ଚୋରା ଚାଲାଣ କରାଯାଇଛି ।

ଆରଏମ୍ସି ସୂଚନା ଅନୁଯାୟୀ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ସରକାରୀ ଧାନ ସଂଗ୍ରହରୁ ଆରଏମ୍ସିଙ୍କୁ ପାଖାପାଖି ସାଢେ ତିନି କୋଟି ଟଙ୍କାର ଧାନ ଟିକସ ମିଳିଥିବା ବେଳେ ବେସରକାରୀ ଧାନ ସଂଗ୍ରହରୁ ମାତ୍ର ୬୦ ଲକ୍ଷ ଟଙ୍କା ମିଳିଛି । ସେହିଭଳି ଚଳିତବର୍ଷ ସରକାରୀ ଧାନ ସଂଗ୍ରହରୁ ଆରଏମ୍ସିଙ୍କୁ ଅନ୍ୟୁନ ପକ୍ଷେ ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଧାନ ଟିକସ ସଂଗ୍ରହ କରିବ ବୋଲି ଆରଏମ୍ସି କର୍ତ୍ତୃପକ୍ଷ ସମ୍ଭାବନା ପ୍ରକଟ କରିଥିବାବେଳେ ବେସରକାରୀ ଧାନ ସଂଗ୍ରହ କ୍ଷେତ୍ରରେ ଟିକସ ହାନିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ ସରକାରୀ ଭାବେ ଚଳିତବର୍ଷ ଜିଲାରେ ବଳକାଧାନ ପରିମାଣ ପ୍ରାୟ ୪୦ ଲକ୍ଷ କ୍ୱିଣ୍ଟାଲ ହୋଇଥିବା ଯୋଗୁଁ ସେଥିରୁ ଆରଏମ୍ସିଙ୍କୁ ୨ ପ୍ରତିଶତ ଧାନ ଟିକସ ହିସାବରେ ଅନ୍ୟୁନ ପକ୍ଷେ ୧୪ କୋଟି ଟଙ୍କାର ଧାନ ଟିକସ ସଂଗ୍ରହ ହେବା କଥା । ହେଲେ ଆନ୍ଦ୍ର ବେପାରୀଙ୍କ ହାତରେ ଧାନର ଚୋରା ଚାଲାଣ ଯୋଗୁଁ ଧାର୍ଯ୍ୟଲକ୍ଷ୍ୟର ୫୦ ପ୍ରତିଶତ ଟିକସ ସଂଗ୍ରହ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

error: Thank You Keep Visiting