ନୂତନ ନିଯୁକ୍ତି ପରେ ଜିଲ୍ଲାକୁ ଆସିବେ ୪୪ଡ଼ାକ୍ତର ; ସୁଧୁରିବ ତ ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା!

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ସାଧାରଣ ନିର୍ବାଚନ ଅବ୍ୟବହିତି ପୂର୍ବରୁ ରାଜ୍ୟ ସରକାର ୧୫୬୦ ଡ଼ାକ୍ତରଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସରକାର ୯୩୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୨୨ ଡ଼ାକ୍ତରଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି । ସେମାନଙ୍କୁ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ସୂତ୍ର କହୁଛି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଭାଗ ପଡ଼ିଛି ୪୪ । ମିଳିଥିବା ତଥ୍ୟ ଅନୁଯାୟୀ ଜିଲ୍ଲାର ଚାନ୍ଦବାଲି ବ୍ଲକକୁ ୯ଟି, ତିହିଡିକୁ ୬ଟି, ଭଦ୍ରକ ବ୍ଲକକୁ ୯ଟି, ବାସୁଦେବପୁରକୁ ୬ଟି, ଭଣ୍ଡାରିପୋଖରୀକୁ ୭ଟି, ଧାମନଗରକୁ ୩ଟି ଓ ବନ୍ତ ବ୍ଳକର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୪ଟି ଡାକ୍ତର ପଦ ମିଳିଛି ।

ଏହି ନୂତନ ନିଯୁକ୍ତି ଫଳରେ ସ୍ୱାସ୍ଥ୍ୟ ସମସ୍ୟା ଜର୍ଜରିତ ଭଦ୍ରକ ଜିଲ୍ଲାର ସମସ୍ୟାରେ କିଛିଟା ସୁଧାର ଆସିବ ବୋଲି ଆଶା କରାଯାଉଛି । କାରଣ ଜିଲ୍ଲାର ବହୁ ଉପାନ୍ତ ଅଞ୍ଚଳରେ ନୂତନ ଭାବେ ଖୋଲିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ କେତେକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏ ସମସ୍ତ ନିଯୁକ୍ତି ମିଳିଛି । ନିଯୁକ୍ତି ପାଇଥିବା ଡାକ୍ତରଙ୍କ ମଧ୍ୟରୁ କେତେଜଣ କାର୍ଯ୍ୟରେ ଯୋଗ ଦେଉଛନ୍ତି ତାହା ଅବଶ୍ୟ ସମୟ କହିବ । ଏଠାରେ ସୂଚନାଯୋଗ୍ୟ ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟ ସମେତ ଗୋଟିଏ ଚକ୍ଷୁ ଚିକିତ୍ସାଳୟ, ୮ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ଏହା ବ୍ୟତୀତ ଗ୍ରାମାଞ୍ଚଳରେ ରହିଛି ୫୦ରୁ ଅଧିକ ଡ଼ିସପେନସେରି ।

କିନ୍ତୁ ଏ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଆବଶ୍ୟକ ପଡ଼ୁଥିବା ସେବା ଯୋଗାଇ ପାରୁ ନାହାନ୍ତି । କାରଣ ସବୁଠି ଡ଼ାକ୍ତରଙ୍କ ଅଭାବ । ଜିଲ୍ଲାରେ ମୋଟ ୧୬୬ ଡ଼ାକ୍ତରଙ୍କର ଆବଶ୍ୟକତା ଥିବାବେଳେ, ଏବେ ଅଛନ୍ତି ମାତ୍ର ୬୮ ଜଣ । ନୂତନ ନିଯୁକ୍ତି ପରେ ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ତେଣୁ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିବା ଦିଗରେ ଏହା କିଛିଟା ସୁଧାର ଆଣିପାରେ । ଡ଼ାକ୍ତର ନଥିବା ହେତୁ କେତେକ ଗ୍ରାମାଞ୍ଚଳର ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିବର୍ତ୍ତେ ସ୍ଥାନୀୟ ଡ଼ାକ୍ତରଙ୍କ ଉପରେ ନିର୍ଭର କରିବେ ବୋଲି ଆଶା କରାଯାଉଛି । ତେଣୁ ସ୍ୱାଭାବିକ୍ ଭାବରେ ଜିଲ୍ଲା ଚିକିତ୍ସାଳୟ ଉପରୁ ଚାପ କମିବାର ସମ୍ଭବାନା ରହିଛି ।

ସରକାର ଜାରୀ କରିଥିବା ବିଜ୍ଞପ୍ତି ଅନୁଯାୟୀ ନୁତନ ଭାବେ ନିଯୁକ୍ତ ସମସ୍ତ ୪୪ ଡ଼ାକ୍ତର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଗୋଷ୍ଠି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ଜଣେ ହେଲେ ବି ଡ଼ାକ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ମିଳିନି । ତେଣୁ ଜିଲ୍ଲା ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର କୌଣସି ସମାଧନ ହେବାର ଆଶା କ୍ଷୀଣ । ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗ ପାଇଁ ୬୬ଜଣ ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । କିନ୍ତୁ ଅଛନ୍ତି ୩୪ଜଣ । ନୂତନ ନିଯୁକ୍ତି ସତ୍ତେ୍ୱ ଏହି ସଂଖ୍ୟା ଏବେ ଅଅପରିବର୍ତ୍ତିତ ରହିଛି । ଏନଏଚଆରଏମର ସକଳ ଉଦ୍ୟମ ସତ୍ତେ୍ୱ ପରିସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନାର୍ହି । ଏପରିପ୍ରେକ୍ଷୀରେ ନୂତନ ନିଯୁକ୍ତି ପରେ ମଧ୍ୟ ମୁଖ୍ୟ ଚିକିତ୍ସାଳୟରେ ଲାଗି ରହିଥିବା ସମସ୍ୟାର କୌଣସି ସମାଧାନ ହେବାର ଲକ୍ଷଣ ଦେଖାଯାଉ ନାର୍ହି ।

ଏହା ବ୍ୟତୀତ ବିଭିନ୍ନ ପରୀକ୍ଷା ନିରୀକ୍ଷା ପାଇଁ ନିଦାନ ବିଭାଗ ପାଇଁ ନୂତନ ନିଯୁକ୍ତି ହୋଇନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି । ଏହି କାରଣରୁ ବହୁ ମୂଲ୍ୟବାନ ଉପକରଣ ମେଡ଼ିକାଲର ଗୋଦାମ ଘରେ ପଡ଼ି ରହି ଖତ ଖାଉଛି । ବିଭିନ୍ନ ରୋଗ କ୍ଷେତ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷାର ବିଶେଷ ଆବଶ୍ୟକତା ରହିଥିବାବେଳେ, ସରକାର ଜଣେ ସ୍ୱୀକୃତିପ୍ରାପ୍ତ ସୋନୋଲଜିଷ୍ଟଙ୍କୁ ନିଯୁକ୍ତି ଦେବାକୁ ଭୂଲିଯାଇଛନ୍ତି । ଫଳରେ ଏବର୍ଗର ରୋଗୀଙ୍କ ଭାଗ୍ୟ ପୂର୍ବବତ୍ ଅସମାହିତ ରହିଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ରମେ ଜଟିଳ ହୋଇଚାିଛି । ଜିଲ୍ଲାର ୧୫ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯେଗାଇ ଦେବା ପାଇଁ ଯେପରି ଭିତ୍ତିଭୂମୀ ରହିବା କଥା ବିଶେଷକରି ଡ଼ାକ୍ତର ନିଯୁକ୍ତି କ୍ଷେତ୍ରରେ ସେତକ ଜିଲ୍ଲାରେ ନାହିଁ ।

ଭଦ୍ରକବାସୀଙ୍କ ବ୍ୟତୀତ ଜିଲ୍ଲାର ସୀମାନ୍ତବର୍ତ୍ତୀ କେନ୍ଦୁଝର, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କେତେକ ଅଞ୍ଚଳର ଲୋକ ଭୌଗଳିକ ଅବସ୍ଥିତି ଦୃଷ୍ଟିରୁ ଭଦ୍ରକ ଜିଲ୍ଲାର କେତେକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ମଧ୍ୟ ନିର୍ଭରଶୀଳ । କିନ୍ତୁ ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ, ବିଭିନ୍ନ ବିଭାଗ ପାଇଁ ବୈଷୟିକ କର୍ମଚାରୀଙ୍କ ଅଭାବ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଜଟିଳ କରିପକାଇଛି । ଭଦ୍ରକରେ ସରକାରୀ ମେଡ଼ିିକାଲ କଲେଜ ଦାବି ପୂରଣ ଅସମାହିତ ହେବାପରେ ଏକ୍ଷେତ୍ରରେ ସରକାର ନୂତନ ଡ଼ାକ୍ତର ନିଯୁକ୍ତି ଦେବା ସମୟରେ ଭଦ୍ରକ ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସମ୍ଭବତଃ ରାଜନୈତିକ ଇଛାଶକ୍ତି ଅଭାବରୁ ଏହାର କୌଣସି ସମାଧାନ ହୋଇ ପାରିନି ବୋଲି ମତପ୍ରକାଶ ପାଇଛି । ଅପରପାଶ୍ୱର୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୧୬ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଥିବାରୁ ବହୁ ଦୁର୍ଘଟଣାଗ୍ରସ୍ତ ଲୋକ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି ।

କିନ୍ତୁ ଚିକିତ୍ସା ପାଇଁ ଖୋଲାଯାଇଥିବା ଟ୍ରମା ସେଣ୍ଟର କେବଳ କାଗଜ କଲମରେ ଚାଲଛି । ଏପରିକି ଏହି ଆଘାତଜନୀତ କେନ୍ଦ୍ର ଏବେ ଅସ୍ଥିଶଲ୍ୟ ବିଭାଗରେ ପରିଣତ ହୋଇଛି । ତେବେ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଅନ୍ୟତ୍ର ଉଠାଇ ନେବା ସହ ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାର ସମସ୍ତ ପରିକଳ୍ପନା ଓ ଯୋଜନା ରୋଗୀ କଲ୍ୟାଣ ସମିତିର ସଦସ୍ୟ, ସ୍ଥାନୀୟ ଲୋକପ୍ର୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ପାଇଁ ଫଳବତୀ ହୋଇ ପାରୁ ନାହିଁ । ଯାହାକି ଜିଲ୍ଲାରେ ରୋଗୀସେବାକୁ ସମ୍ପୂର୍ଣ୍ଣ ନିମ୍ନଗାମୀ କରିଛି ।

error: Thank You Keep Visiting