ଆଳିପିଙ୍ଗଳ ପୋଲର ସ୍ଥାୟୀତ୍ତ୍ୱ ଓ ରକ୍ଷଣାବେକ୍ଷଣ ନେଇ ପୋଲ ଉଭୟ ପାଶ୍ୱର୍ରେ ରାସ୍ତାରୋକ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ବ୍ଲକ ଅଧିନସ୍ଥ ଆଳିପିଙ୍ଗଳ ଠାରେ ଥିବା ଆଳିପିଙ୍ଘଳ ପୋଲ ଉପରେ ଭାରୀଯାନ ଚଳାଚଳ ଉପରେ ପ୍ରଶାସନ ଅଙ୍କୁସ ଲଗାଇ ଏକ ଲୁହାଗେଟ ନିର୍ମାଣକୁ ବିରୋଧ କରି ଆଜି ପୋଲର ଉଭୟ ପାଶ୍ୱର୍ରେ ପୃଥକ ପୃଥକ ଭାବେ ରାସ୍ତା ରୋକ କରାଯାଇଥିଲା । ଗୋଟିଏ ପଟେ ତଥା ଆଳିପିଙ୍ଗଳବଜାର ନିକଟରେ ସଚେତନ ନାଗରିକ ଓ ନିର୍ବାଚିତ ଜନପ୍ରତିନିଧି , ବୁଦ୍ଧିଜୀବୀ ତଥା ପୋଲ ସନ୍ନିକଟ ଯଁକୋଟୀ, ଯଶୋବନ୍ତପୁର, ଖଇରଙ୍ଗ, ତୁମ୍ବା ଅଣ୍ଡେଇସାହି , ଆଳିପିଙ୍ଗଳ ପଞ୍ଚାୟତବାସୀ ଯଥା ଜିଲ୍ଲାପରିଷଦ ସଭ୍ୟ ଜଗନ୍ନାଥ ମୁଦୁଲି, ଯଁକୋଟୀ ସରପଞ୍ଚ ମାନସ ସେଠୀ ସୌମ୍ୟ ରାୟ, ରାକେଶ ମହାନ୍ତି , ବସନ୍ତକୁମାର ନାୟକ, ଚନ୍ଦ୍ରକାନ୍ତ ଦାସ, କନକ ସ୍ୱାଇଁ, ନିରଞ୍ଜନ ସାହୁ, ଜ୍ୟୋତିରଂଜନ ମୁଦୁଲି, ଖଇରଙ୍ଗ ସରପଞ୍ଚ ଅସମିତା ରାୟ, ସୁରେନ୍ଦ୍ର ମହାରଣା, ଯଶୋବନ୍ତପୁର ସରପଞ୍ଚ ମାନସୀ ତ୍ରୀପାଠୀ, ଓଡିଶୋ ସରପଞ୍ଚ ଅହଲ୍ୟା ସେଠୀ, ପିଏସ ମେମ୍ବର ପୁଷ୍ପଲତା ମଲ୍ଲିକ, ସାଂସଦଙ୍କ ପ୍ରତିନିଧି କାଳନ୍ଦି ପତି ପ୍ରମୁଖ ଶତାଧିକ ଜନସାଧାରଣ ରାସ୍ତାରୋକରେ ସାମିଲ ହୋଇ କହିଥିଲେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଳିପିଙ୍ଗଳ ସେତୁ ଏବେ ବିପଦ ସଂକୁଳ ଅବସ୍ଥାରେ ଅଛି ।

ଏଠାରେ ଦିର୍ଘଦିନ ହେବ ଶହଶହ ସଂଖ୍ୟାରେ ଓଭର ଲୋଡିଂ ବାଲି ହାଇୱା ଚଳାଚଳ କରିବା ଦ୍ୱାରା ପୋଲର ସ୍ଥାୟୀତ୍ୱ ହରାଇଛି । ଏସଂପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳୁ ନାହିଁ । ଏପରିକି ପୋଲ ପ୍ରଥମ ମୁଣ୍ଡରେ ପ୍ରଶାସନ ପକ୍ଷରୁ ଏକ ଲୁହା ବ୍ୟାରିକେଡ ନିର୍ମାଣ କରିଥିବାରୁ ବସ, ଆମ୍ବୁଲାନ୍ସ, ଦମକଳ ଗାଡି ଚଳାଚଳ କରିବାରେ ବାଧା ଉପୁଜିଛି । ତେଣୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟାରିକେଡକୁ ହଟାଯାଇ ବସ, ଆମ୍ବୁଲାନ୍ସ, ଦମକଳଗାଡି ଚଳାଚଳ କରିବା ସହ ଓଭର ଲୋଡିଂ ଯାନ ଚଳାଚଳଉପରେ ନିଷେଧ କରାଯାଉବୋଲି ଦାବୀ କରିଥିଲେ । ସେହି ଭଳି ଅନୁରୂପ ଭାବେ ପୋଲର ଅପର ପାଶ୍ୱର୍ରେ ଦ୍ୱୀପାଞ୍ଚଳର ସଏମାଜସେବୀ ତଥା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ୟାରିୟରକୁ ବିରୋଧ କରି ରାସ୍ତା ରୋକ କରିଥିଲେ ।

ଦ୍ୱୀପାଞ୍ଚଳ ନାଗରିକ ମଞ୍ଚର ଭବାନି ଶେଖର ପରିଜା, ସିଠାଳୋ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ,ସଂଗ୍ରାମ କେଶରୀ ବଡୁ, ସରୋଜ କୁମାର ବିଶ୍ୱାଳ, ନିଶାକର ବାରିକ ଦୁର୍ଗାଚରଣ ସାହୁ, କୈଳାସ ଚନ୍ଦ୍ର ସ୍ୱାଇଁ , କାଳନ୍ଦୀ ସ୍ୱାଇଁ ପ୍ରମୁଖ କହିଥିଲେ ବ୍ୟାରିୟରକୁ ତୁରନ୍ତ ହଟାଯାଉ, ଉପଯୁକ୍ତ ସମୟ ମଧ୍ୟରେ ସେତୁକୁ ଅଭିଜ୍ଞ ଠିକାଦାରଙ୍କ ହାତରେ ମରାମତି କରାଯାଉ, ଏକ ନୂତନ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦିଅନ୍ତୁ,ଉଭୟ ବାଲିଘାଟର ନିଲାମ ଧାରୀଙ୍କୁ ସେତୁରୁ ବାଲି ସଫା ପାଇଁ ବିଧିବଦ୍ଧ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅଡିବସିଥିଲେ । ଯଦି ଏସବୁ କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପାଳନ କରାନଯାଏ ତେବେ ଆଗାମୀଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ ।

error: Thank You Keep Visiting