ଚିତ୍ରୋତ୍ପଳା ନଦୀ ପଠା ଖାଇ ବନ୍ଧକୁ ଛୁଇଁଗଲାଣି:ଦ୍ୱୀପାଞ୍ଚଳର ୧୮ ଟି ଗ୍ରାମ ପ୍ରତି ବିପଦ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): କିଶନନଗର ତହସିଲ ଅନ୍ତର୍ଗତ ଚିତ୍ରୋତ୍ପଳା ନଦୀବନ୍ଧର ଦକ୍ଷିଣ ପାଶ୍ୱର୍ର ମେହେନ୍ଦିପୁରଠାରୁ ମହମ୍ମଦପୁର ପର୍ଯ୍ୟନ୍ତ ନଦୀବନ୍ଧ ୫୦୦ ମିଟର ପର୍ଯ୍ୟନ୍ତ ପଠା ଖାଇଯାଇ ବନ୍ଧ ଖାଇବାକୁ ୁ ବସିଛି । ଏହାକୁ ରୋକାନଗଲେ ଦ୍ୱୀପାଚଂଳର ୧୮ଟି ଗ୍ରାମ ଚିତ୍ରୋତ୍ପଳାନଦୀରେ ଲୀନହେବାର ଯଥେଷ୍ଟ ଆଶଙ୍କା ରହିଛି । ପ୍ରକାଶ ଥାଉକି, ଜଳ ସଂପଦ ବିଭାଗ ମହାନଦୀ ଉତ୍ତର ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ଚିତ୍ରୋତ୍ପଳା ନଦୀବନ୍ଧର ମେହେନ୍ଦିପୁର ଠାରେ ଗତ ୫ ବର୍ଷ ମଧ୍ୟରେ ଏହି ବନ୍ଧ ଠାରୁ ୧୦୦ମିଟର ଦୂରରେ ପଠା ଥିଲା ।

ତାହା ଚିତ୍ରୋତ୍ପଳା ନଦୀର ବନ୍ୟାଜଳର କରାଳ ସ୍ରୋତରେ ଖାଇଯାଇ ବନ୍ଧ ଖାଇବାକୁ ବସିଛି । ଏଠାରେ ପଥର ପ୍ୟାକିଙ୍ଗ ନାମରେ ମିଥ୍ୟାବିଲ କରାଯାଇ ପ୍ରତିବର୍ଷ ଲକ୍ଷ ଲକ୍ଷଟଙ୍କା ହରିଲୁଟ କରିଚାଲିଛନ୍ତି । ଏଠାରେ ବୁରୁଜ ନିର୍ମାଣ ନିମନ୍ତେ ଆଜକୁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲେ ମଧ୍ୟ ବୁରୁଜ ନିର୍ମାଣ କରାଯାଉନାହିଁ । ପ୍ରତିବର୍ଷ ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ମେହେନ୍ଦିପୁରଠାରେ ନଦୀବନ୍ଧରେ ଘଳିଆ ପଡି ବିପଦ ସୃଷ୍ଟି କରିଥାଏ ।

ସ୍ଥାନୀୟ ଲୋକମାନେ ନିଜ ଉଦ୍ୟମରେ ବାଲିବସ୍ତା ପକାଇ ଉକ୍ତ ଘଳିଆକୁ ବନ୍ଦ କରିଥାନ୍ତି, କିନ୍ତୁ ଜଳ ସଂପଦ ବିଭାଗ ତରଫରୁ ଏବାବଦରେ ଲକ୍ଷ ଲକ୍ଷ ଟଙ୍କାର ବିଲ କରି ଠିକାଦାର ଯନ୍ତ୍ରୀ ମାଲେମାଲ ହେବାରେ ଲାଗିଛନ୍ତି । ଚିତ୍ରୋତ୍ପଳା ନଦୀର ମେହେନ୍ଦିପୁର ଠାରେ ନଦୀବନ୍ଧରେ ଘାଇହେଲେ ମହେନ୍ଦିପୁର ସମେତ ଚମ୍ପା, ସଂଗ୍ରାମପରୁ, ଉତ୍ତରକୂଳ, ଦୁଲୁପୁର, ବାବୁଜଙ୍ଗା, ପାରିକୁଶ ମଣ୍ଡଳ, ସଫିପୁର, ବାରିମୂଳ, ପିଁପୁର, ମୁଗୁରିଆ, ସାହାସପୁର, ବିରିବନ୍ଧ, ଧାରିବିଲ, ମଣିଜଙ୍ଗ, ମହମ୍ମଦପୁର, ବିଶ୍ୱନାଥପୁର, ଓଡଖଣ୍ଡ ପ୍ରଭୃତି ଗ୍ରାମ ଜଳମଗ୍ନ ହୋଇ ବହୁ ଧନ ଜୀବନ କ୍ଷୟ ହେବ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଉକ୍ତ ନଦୀବନ୍ଧର ମେହେନ୍ଦିପୁର ଓ ଦୁଲୁପୁର ଠାରେ ୨ଟି ବୁରୁଜ ନିର୍ମାଣ କରିବା ସହିତ ଦୁଲୁପୁର ଏବଂ ମେହେନ୍ଦିପୁର ଠାରେ ହୋଇନଥିବା ପଥର ପ୍ୟାକିଙ୍ଗ କାର୍ଯ୍ୟ ତୁରନ୍ତ କରିବାକୁ ଦ୍ୱୀପାଚଂଳ ବାସୀ ଦାବି କରିଛନ୍ତି ।

error: Thank You Keep Visiting