ରୋଗୀ ଭିଡାଭିଡି, ଡାକ୍ତର ମରୁଡି

Straight to the Point

ଭଦ୍ରକ : ଏହି ଜିଲାର ଧାମରା ଅଚଂଳରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅଂଚଳବାସୀ ବ୍ୟସ୍ତ ଓ ବିବ୍ରତ । ଏଠାରେ ଡାକ୍ତର ଅଭାବ ସାଙ୍ଗକୁ ଆମ୍ବୁଲାନ୍ସ ସେବା ଅପହଞ୍ଚ । ଫଳରେ ରୋଗୀମାନେ ମୃତ୍ୟୁ ମୁଖରେ ପଡୁଥିବାବେଳେ ରାଜ୍ୟ ସରକାର କେବଳ ଯୋଜନା କରି ଚାଲିଛନ୍ତି । ଧାମରା ୫୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ କେହି ଜଣେ ଡାକ୍ତର ନଥିବାରୁ କ୍ୱାକ ଓ ଆୟୁଷଙ୍କ ହାତରେ ରୋଗୀଙ୍କ ଜୀବନ । ଧାମରା ଅଂଚଳର ପଂଚୁଟିକ୍ରୀ ପଂଚାୟତରେ ୧୯୮୦ ମସିହାରେ ଖୋଲିଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯୯୨ ପରଠାରୁ ଦୀର୍ଘ ୨୬ ବର୍ଷ ହେବ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣେ ଏମ୍ବିବିଏସ୍ ଡାକ୍ତର ଆସିନାହାଁନ୍ତି । ସ୍ଥାନୀୟ ରୋଗୀଙ୍କ ଜୀବନ ଡୋର ଜଣେ ଫାର୍ମାସିଷ୍ଟ ଏବଂ ଜଣେ ଆୟୁଷଙ୍କ ହାତରେ ବନ୍ଧାପଡିଛି । ସେହିପରି ବଇଞ୍ଚାଠାରେ ୧୯୯୪ ମସିହାରେ ନିର୍ମିତ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ଏହା ଉପରେ ନିର୍ଭର କରୁଥିବା ରୋଗୀମାନେ କେବଳ ଭଗବାନଙ୍କ ଭରସାରେ ବଂଚିଛନ୍ତି । ଏଠାରେ ୨୦୦୩ ମସିହାରୁ ନିରବଚ୍ଛିନ୍ନ ଭାବରେ ଡା. କୈଳାସ ବେହେରା ସେବା ଯୋଗାଇ ଆସୁଥିଲେ । ମାତ୍ର ୨୦୧୬ ମସିହାରେ ତାଙ୍କୁ ଏଠାରୁ ବଦଳି କରାଯାଇଥିଲା । ଅଂଚଳର ରୋଗୀ ସେହିଭଳି ଜଣେ ଡାକ୍ତରଙ୍କୁ ଖୋଜି ଚାଲିଛନ୍ତି । ବାଂଶଡା ପଂଚାୟତରେ ୧୯୬୪ ରେ ଖୋଲିଥିବା ଡିସପେନସାରୀ ୨୦୧୫ ରେ ପିଏଚ୍ସି ନିୟୁର ମାନ୍ୟତା ପାଇଥିଲା । ଏହି ମାନ୍ୟତା ପୂର୍ବରୁ ୨ ଜଣ ଏମ୍ବିବିଏସ୍ ଡାକ୍ତର ନିଯୁକ୍ତି ପାଇଥିବାବେଳେ ବେଳେ ପିଏଚ୍ସି ନିୟୁର ମାନ୍ୟତା ପରେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଡାକ୍ତରଙ୍କୁ ଅଂଚଳବାସୀ ଦେଖିବାକୁ ପାଇଲେ ନାହିଁ । ଧାମରା ଡାକ୍ତରଖାନା ୧୯୮୬ ରେ ସ୍ଥାପନ ହୋଇଥିଲା । ସେବେଠାରୁ ଜଣେ ହେଲେ ଏମ୍ବିବିଏସ୍ ଡାକ୍ତରଙ୍କ ପାଦ ଏହି ପିଏଚ୍ସି ନିୟୁରେ ପଡିଲା ନାହିଁ । ଫଳରେ ଅଂଚଳବାସୀ କେବଳ କ୍ୱାକଙ୍କ ଭରସାରେ ପଡି ରହିଛନ୍ତି । ଅଂଚଳବାସୀ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବାବେଳେ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ସଦର ମହକୁମାକୁ ଡାକ୍ତର ଆସିଲେ ଗ୍ରାମାଞ୍ଚଳକୁ ପଠାଇବେ ବୋଲି କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଏହି ୫୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଜଣେ ହେଲେ ଏମ୍ବିବିଏସ୍ ଡାକ୍ତରଙ୍କୁ ନିଯୁକ୍ତି ଦେଇପାରିନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଶାସକ ଦଳକୁ ସଂପୂର୍ଣ୍ଣ ଦାୟୀ କରୁଥିବା ଜଣାପଡିଛି ।

error: Thank You Keep Visiting