ତିର୍ତ୍ତୋଲ ଉଦ୍ୟାନ କୃଷିରେ ବ୍ୟାପକ ଦୂର୍ନିତୀ ଅଭିଯୋଗ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକରେ ଥିବା ଉଦ୍ୟାନ କୃଷି (ହର୍ଟିକଲଚର ଫାର୍ମ)ରେ ବ୍ୟାପକ ଦୂର୍ନିତୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କା ନୂତନ ଚାରା ସୃଷ୍ଟି କରିବା, ସାର, ଔଷଧ ପ୍ରଭୃତି କିଣିବା ଆଳରେ ଏଠାରେ ଦୀର୍ଘ ୨୦ ବର୍ଷ ଧରି ଥିବା କର୍ଷ ସମ୍ପ୍ରସାରଣ ଅଧିକାରୀ ବଡ଼ ଧରଣର ଘୋଟାଲା କରିଥିବା ନେଇ ସ୍ତାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଫାର୍ମରୁ ଉତ୍ପନ ହେଉଥିବା କଲିମି ଚାରା, ନଡ଼ିଆ ଚାରା, ଆମ୍ବ, ପଣଷ, କଦଳୀ, ଅମ୍ବୃତଭଣ୍ଡା, ମାଛ ପୋଖରୀରୁ ମାଛ, ଜାଳେଣୀ କାଠ ସମେତ ବିଭିନ୍ନ କିସମର ଫଳମୂଳ ପନିପରିବା ବିକ୍ରି କରି ସରକାରୀ ଜମା ଖାତାରେ କିଞ୍ଚିତ୍ ମାତ୍ରାରେ ଜମା ଦେଇ ପ୍ରତ୍ୟେ ବର୍ଷ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ବିଶ୍ୱସ୍ତ ସୁତ୍ରରୁ ଜଣାପଡ଼ିଛି । ଏମିତିକି ଫାର୍ମ ଭିତରେ ମହିଁଷି ଓ ଗାଇଗୋରୁ ଚରାଳିଙ୍କୁ ପୁରାଇ ସେମାନଙ୍କ ଠାରୁ ଅର୍ଥ ଆଦାୟ କରି ନିଜ ପକେଟ୍କୁ ନେଉଛନ୍ତି ।
ସରକାରଙ୍କଠାରୁ ଆସୁଥିବା ସାର, ପିଡ଼ିଆ, ଔଷଧ ଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି । ଫଳରେ ଗଛ ମାଛ ଗୁଡ଼ିକ ଉପଯୁକ୍ତ ଭାବରେ ପରିପକ୍ୱ ହୋଇ ପାରୁ ନାହିଁ । ପ୍ରତିବର୍ଷ ବିଭିନ୍ନ ପଞ୍ଚାୟତକୁ ବନିକରଣ ଆଳରେ ଆସୁଥିବା ଅର୍ଥକୁ ଅଭିନବ ଉପାୟରେ ଏହି କର୍ମଚାରୀ ଜଣକ ଆତ୍ମସାତ କରୁଛନ୍ତି । ଉଦ୍ୟାନ କୃଷି ପାଇଁ କୃଷକ ମାନଙ୍କଠାରୁ ବ୍ୟାପକ ଅର୍ଥ ଆଦାୟ କରୁଥିବା ଅଭିଯୋଗ ମଧ୍ୟ ରହିଛି । ସରକାରୀ ଯୋଜନାରେ କୃଷକ ମାନଙ୍କ ପାଇଁ ଆସୁଥିବା ଯୋଜନା ଅର୍ଥକୁ ହେର୍ ଫେର କରିବାରେ ଏହି କର୍ମଚାରୀ ଜଣକ ମାହିର୍ ସାଜିଛନ୍ତି । ଫାର୍ମରେ ଚାକିରି କରାଇଦେବା ଆଳରେ ଅର୍ଥ ଆଦାୟ କରିବା, ମଜୁରି ଲାଗିବାପାଇଁ ଆସୁଥିବା ମଜୁରିଆଙ୍କୁ ଉପଯୁକ୍ତ ମଜୁରି ଦେବା ବଦଳରେ ଅଧିକାଂଶ ସମୟ ଖଟାଉଛନ୍ତି ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।
ସରକାରଙ୍କ ନିତୀ ନିୟମ ଅନୁସାରେ ପ୍ରତି ୩ ବର୍ଷରେ କର୍ମଚାରୀଙ୍କ ବଦଳିହେବାକୁ ଥିବାବେଳେ ଦୀର୍ଘ ୨୦ ବର୍ଷ ଧରି ଏହି ଫାର୍ମରେ ରହିଥିବା ଏହି କର୍ମଚାରୀ ଜଣକ ମେରି ରାୟ ନିତୀରେ ଫାର୍ମ ଚଳାଉଛନ୍ତି । ଏହି କୃଷି କର୍ମଚାରୀଙ୍କ ପାଇଁ ଉଦ୍ୟାନ କୃଷି ଫାର୍ମ ଶ୍ରୀହିନ ହେବାକୁ ଯାଉଛି । କେତେକ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ସହିତ ବନ୍ଦୁତା ସ୍ଥାପନ କରି ନିଜ ପତିଆରା ଜାହିର କରିବାରେ ସକ୍ଷମ ଏହି କର୍ମଚାରୀଙ୍କ କାର୍ଯ୍ୟକଳାପରେ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ଜାହିର କରିବା ସହିତ ଫାର୍ମରେ ହେଉଥିବା ଦୁର୍ନିତୀର ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ସମେତ ଅଞ୍ଚଳବାସୀ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଛନ୍ତି । ଅପରପକ୍ଷରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଏକ ଜନଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରିବ ନାହିଁବୋଲି ବିଶ୍ୱସ୍ତ ସୁତ୍ରରୁ ସୁଚନା ମିଳିଛି ।