କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର: ବିଜେଡିର ନୂତନ ଆଶାୟୀ ବନାମ ହେଭିୱେଟ

Straight to the Point

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା କ୍ଷତ୍ରେ ନିମନ୍ତେ ବିଜେଡିରେ ଆଶାୟୀମାନଙ୍କ ଭିତରେ ଥିବା ନୂଆ ମୁହଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ତାର ପ୍ରାର୍ଥିଙ୍କ ନାମ ଘୋଷଣା କରିସାରିଛି । କଂଗ୍ରେସ ଦଳର ହେଭି ୱେଟନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସହ ବିଜେଡି ଦଳର ନୂତନ ଯୁବ ପ୍ରାର୍ଥିଙ୍କ ଚଳିତ ଥର ଲଢାଇ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡିର ଯୁବନେତାମାନେ ଏବେ ଆଶାୟୀଙ୍କ ଭିତରେ ଆଗରେ ଥିବାର ଦେଖାଯାଇଛି । ଏମିତି ବି ଅନ୍ୟ ରାଜନୈତିକ ଦଳ ଅପେକ୍ଷା ବିଜେଡି ଟିକେଟ୍ ରୁ ନିର୍ବାଚନ ଲଢିବା ପାଇଁ ଅନେକ ଯୁବପ୍ରାର୍ଥୀ ନିଜନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିବାର ଦେଖାଯାଇଛି । କିନ୍ତୁ ନୂଆ ମୁହଁକୁ ସୁଯୋଗ ଦେବା ନେଇ କେନ୍ଦ୍ରାପଡା ଭୋଟର ସକାରାତ୍ମକ ମାନସିକତା ପ୍ରଦର୍ଶନ କରିବା ଆରମ୍ଭ କରିଦେଲେଣି ।

କେନ୍ଦ୍ରାପଡା ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ଆଉ ଦିନ କେଇଟା ପରେ ଘୋଷଣା ହେବ ବିଜେଡି ସମେତ ବିଜେପିର ଦଳୀୟ ପ୍ରାର୍ଥୀ ତାଲିକା । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା କ୍ଷେତ୍ର ଅଂଚଳ । ତେବେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଆଶାୟୀଙ୍କ ଧାଡିରେ ଅନେକ ନୂଆ ମୁହଁର ଆବିର୍ଭାବ ଘଟିସାରିଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ଦାସ ଆଶାୟୀଙ୍କ ଦୌଡରେ ସର୍ବାଗ୍ରେ ରହିଥିବାର ଦେଖାଯାଇଛି । ଦୀର୍ଘବର୍ଷ ଧରି ଦଳର ସଂଗଠନ ସହିତ ଜୋଡି ହୋଇ ରହିଥିବା ଏବଂ ସର୍ବୋଚ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଏକମାତ୍ର ଅନୁସୂଚିତ ଜାତିର ଆଶାୟୀ ପ୍ରାର୍ଥି ହୋଇଥିବା ଯୋଗୁ ଦଳମୁଖିଆ ତାଙ୍କୁ ଟିକେଟ୍ ଦେବା ନେଇ ସେ ଆଶାବାଦୀ ଥିବା ଜଣାପଡିଛି । ଛାତ୍ର ଜୀବନରୁ ରାଜନୀତି ସହିତ ସଂପୃକ୍ତ ରହିଆସିଥିବା ଶ୍ରୀ ଦାସ ଜଣେ ଟାଣୁଆ ଯୁବ ନେତା ଭାବେ ପରିଚିତି ହାସଲ କରିଛନ୍ତି । ଏହାଛଡା ବିଜେଡିର ଜଣେ ଆଗଧାଡିର ଯୁବ କର୍ମୀ ତଥା ସମାଜସେବୀ ଦୁଷ୍ମନ୍ତ ମଲ୍ଲିକ୍ଙ୍କ ନାମ ମଧ୍ୟ ଆଶାୟୀଙ୍କ ତାଲିକାରେ ରହିଛି ।

ନିଜ ଲୋକସମ୍ପର୍କକୁ ପାଥେୟ କରି ଦୁଷ୍ମନ୍ତ ଟିକେଟ୍ ହାତେଇବା ପାଇଁ ଆଶାବାନ୍ଧିଛନ୍ତି । ଉଭୟ ଏବେ କେନ୍ଦ୍ରାପଡା ବିଧାନସଭା ଅଂଚଳରେ ଲୋକସମ୍ପର୍କ ବୃଦ୍ଧି ଓ ସମର୍ଥନ ସାଉଁଟିବାରେ ଲାଗି ପଡିଛନ୍ତି । ନିର୍ବାଚନ ବର୍ଷ ଆରମ୍ଭରୁ ପୋଷ୍ଟର ବ୍ୟାନର୍ ମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିଥିବା ଆଉ ଜଣେ ନବାଗତ ଆଶାୟୀ ହେଉଛନ୍ତି ଇଂ ମୂରଲୀଧର ସେଠୀ । ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ମୂରଲୀଧର ୨୦୦୯ ମସିହାରେ ଚାକିିରୀରୁ ଅବ୍ୟାହତ ନେଇ ସମାଜସେବାରେ ପ୍ରବେଶ କରିଛନ୍ତି । ବିଜେଡି ଟିକେଟ୍ରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ପ୍ରତିନିଧ୍ୱିତ୍ୱ କରିବା ପାଇଁ ସେ ମଧ୍ୟ ଅଂଟା ଭିଡି ଦୈାଡରେ ସାମିଲ ହୋଇଥିବାର ଦେଖାଯାଇଛି । ତେବେ ଚଳିତ ନିର୍ବାଚନରେ ବିଜେଡି ଆଶାୟୀଙ୍କ ମଧ୍ୟରେ ଉଭା ହୋଇଥିବା ଏହି ନବାଗତମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରାପଡାର ଯୁବ ଭୋଟର ।

ପୁରୁଣାଙ୍କୁ ବାଦ୍ ଦେଇ ନୂଆଙ୍କୁ ସୁଯୋଗ ଦେଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ଯୁବ ଭୋଟରମାନେ ମତ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ୍ ଚଳିତ ଥର ମଧ୍ୟ ବିଜେଡି ଟିକେଟ୍ ହାତେଇବା ପାଇଁ ଦଳୀୟ ସ୍ତରରେ ଉଦ୍ୟମ ଜାରିରଖିଛନ୍ତି । ଅନ୍ୟପଟେ କଂଗ୍ରେସ ଦଳ ଗଣେଶ୍ୱର ବେହେରାଙ୍କ ଭଳି ଜଣେ ହେଭି ୱେଟ ନେତାଙ୍କୁ ପ୍ରାର୍ଥି କରିଥିବା ବେଳେ ତାଙ୍କର ମୁକାବିଲା ନିମନ୍ତେ ପୁରୁଣାଙ୍କୁ ଛାଡି ବିଜେଡି ନୂତନ ଯୁବନେତାଙ୍କ ଉପରେ ଗୁରୁତ୍ୱ ଦେଇ ପ୍ରାର୍ଥି କରିପାରିଲେ ହୁଏତ କଡା ମୁକାବିଲା ସମ୍ଭବ ହୋଇପାରିବ ବୋଲି ଆଲୋଚନା ହେଉଛି ।

ବିଗତ ନିର୍ବାଚନର ଫଲାଫଳକୁ ଦୃଷ୍ଟିରେ ରଖି ଅପରପକ୍ଷେ ଦେଖିଲେ ବିଜେପି ଦଳରେ ସେଭଳି ଟାଣୁଆ ନେତା ପ୍ରାର୍ଥି ହେବାର ସମ୍ଭାବନା କମଥିବାରୁ କେବଳ ବିଜେଡି ଓ କଂଗ୍ରେସ ପ୍ରାର୍ଥିଙ୍କ ମଧ୍ୟରେ ଲଢେଇ ହେବାର ଅଧିକ ସମ୍ଭାବନା ରହିଛି । ତେବେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରାର୍ଥୀଙ୍କ ଚେହେରା ପରିବର୍ତ୍ତନ ହେବାର ଏକ ଅଲିଖିତ ପରମ୍ପରା ରହି ଆସିଥିବା ବେଳେ ଏବେ କିନ୍ତୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ନିମନ୍ତେ ନୂତନ ଓ ନିର୍ବିବାଦୀୟ ପ୍ରାର୍ଥିଙ୍କୁ ବିଜେଡି ପ୍ରାର୍ଥି କଲେ ଚଳିତ ନିର୍ବାଚନରେ ସେହି ପ୍ରାର୍ଥିଙ୍କ ଜିତିବା ସମ୍ଭାବନା ଅଧିକ ରହିଥିବା କେନ୍ଦ୍ରାପଡାର ବୁଦ୍ଧିଜୀବ ଓ ଯୁବ ଭୋଟରମାନଙ୍କ ମଧ୍ୟରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳିଛି ।

error: Thank You Keep Visiting