ପାଣିରେ ପଡ଼ିଲା ୯୦ ଲକ୍ଷ

Straight to the Point

ଭଦ୍ରକ: ରାସ୍ତା ନିର୍ମାଣ କାର୍ଯ୍ୟକୁ ମାତ୍ର ୫ ମାସ ହୋଇଛି । କିନ୍ତୁ ରାସ୍ତାରେ ଏବେ ବଡ଼ ବଡ଼ ଗାତ ସହ ଅନେକ ସ୍ଥାନ ଫାଟି ଧସିଗଲାଣି । ଗୋଟିଏ କି ଦୁଇଟି ଜାଗାରେ ନୁହଁ ଏ ଅବସ୍ଥା ଏକାଧିକ ସ୍ଥାନରେ ଦେଖା ଦେଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧିନରେ ଥିବା ଝାଟିଆସାହି-ମଙ୍ଗଳପୁର ସଡ଼କରେ । ଯାହା ବିପୁଳ ଅର୍ଥ ବ୍ୟୟରେ କାର୍ଯ୍ୟକାରି ହେଉଥିବା ସରକାରୀ ଯୋଜନାର ସଫଳତା ପ୍ରତି ପ୍ରଶ୍ନ ଛିଡା କରାଇଛି । ୨୦୧୮ ମସିହା ଜାନୁୟାରୀ ୫ ତାରିଖ ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଝାଟିଆସାହି-ମଙ୍ଗଳପୁର ରାସ୍ତାର ଉନ୍ନିତକରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା । ଏହାର କିଛି ଦିନ ପରେ ଅର୍ଥାତ୍ ପ୍ରାୟ ୫ ମାସ ତଳେ ୯୦ ଲକ୍ଷରୁ ଅଧିକ ବ୍ୟୟ ଅଟକଳରେ ବିପର୍ଯ୍ୟସ୍ତ ହୋଇପଡିଥିବା ମଙ୍ଗଳପୁର-ଝାଟିଆସାହି ଆର୍ ଡି ରୋଡ କାମ ଜଣେ ପ୍ରଭାବଶାଳୀ ଠିକାଦାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବିଭାଗର ତଥ୍ୟ ଅନୁଯାୟୀ ଏ ଯାଏଁ ଏହି କାର୍ଯ୍ୟ ସରିନାହିଁ । କିନ୍ତୁ ୭ କିମି ଦୂରତା ବିଶିଷ୍ଟ ଏହି ରାସ୍ତାର ବିଭିନ୍ନ ସ୍ଥାନ ଦବିବା ସହ ଧସି ଯାଇଥିବା ଦେଖିବାକୁ ମିଳିଛି । ଗୋବିନ୍ଦପୁର ସ୍ଥିତ ରେବ ସେତୁ ନିକଟରେ ୧ ମିଟର ଲମ୍ବରୁ ଅଧିକ ଏବଂ ୪ ଫୁଟ ଚଉଡାରେ ନିର୍ମାଣ ହୋଇଥିବା ନୂଆ ରାସ୍ତାଟି ଦବି ଯାଇଥିବା ଦେଖିବାକୁ ମିଳିଛି । ଦବିଥିବା ସ୍ଥାନକୁ ଲାଗି ରେବ ନଦୀ ପ୍ରବାହିତ ହେଉଥିବାରୁ ଏହା ଅଧିକ ଆକାରରେ କ୍ଷତି ହେବାର ଆଶଙ୍କା ମଧ୍ୟ ଉପୁଜିଛି । ଏହି ସ୍ଥାନରେ ଠିକାଦାର ରାସ୍ତା ଉପରେ କୁଢକୁଢ ମାଟି ପକାଇ ଥିବାରୁ ବର୍ଷାରେ ସ୍ଥାନଟି ବିପଦ ପରିସ୍ଥିତି ସୃଷ୍ଟି କରିଛି । କେବଳ ଏହି ସ୍ଥାନ ନୁହେଁ ମଙ୍ଗଳପୁର-ଝାଟିଆସାହି ସଡ଼କର ଖାରଜି କୋରୁଆ, କଲ୍ୟାଣୀ ବନସର ପ୍ରଭୂତି ସ୍ଥାନରେ ମଧ୍ୟ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳିଛି । ସେହିପରି କୋରୁଆ ଠାରେ ରାସ୍ତାର ବ୍ୟାପକ ଅଞ୍ଚଳରୁ ପିଚୁ ଉଠିଯାଇ ଦୁଇ ଫୁଟ ଗହିରରେ ବଡ଼ବଡ଼ ଖାଲ ମାନ ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଠିକାଦାରଙ୍କ ଲେଉଟିଆ କିଆରି ପାଲଟିଥିବା ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ବିପୁଳ ଅର୍ଥ ଖର୍ଚ୍ଚ ହେବା ସତ୍ୱେ ଏଭଳି ସ୍ଥିତି ଉପୁଜିବା କାର୍ଯ୍ୟର ବୈଧତାକୁ ନେଇ ସାଧାରଣରେ ପ୍ରଶ୍ନ ଛିଡା କରାଇଛି । ସରକାରୀ ନିୟମ ଅନୁଯାୟୀ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ସର୍ବସାଧାରଣ ଅବଗତି ନିମନ୍ତେ ସୂଚନା ଫଳକ ଜରିଆରି ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଥିବା ସତ୍ୱେ ଏ କ୍ଷେତ୍ରରେ ସୂଚନା ଫଳକ ନ ଲଗାଯାଇ କାର୍ଯ୍ୟ କରାଯାଇଥିବା ଦେଖାଯାଇଛି । ରାସ୍ତା ଉନ୍ନତିକରଣ ନାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜନପ୍ରତିନିଧିଙ୍କୁ ଡାକି ବିପୁଳ ଅର୍ଥ ବ୍ୟୟରେ ଶିଳାନ୍ୟାସ ଉତ୍ସବ କରିଥିବା ବେଳେ ସଡ଼କର ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇଛି ।

error: Thank You Keep Visiting