କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ,ମାଟିପୁଅ ବନାମ ପରଦେଶୀ

Straight to the Point

କେନ୍ଦ୍ରାପଡା : ବର୍ଷ ଧରି ଧରି ପ୍ରସ୍ତୁତ ହୋଇରହିଥିଲା କ୍ଷେତ । ଏବେ ଫସଲ ଅମଳ କରିବାର ବେଳ ଆସିଯାଇଛି । ଆଜ୍ଞା ହଁ, ଆମେ ଅନ୍ୟ କେଉଁ ଫସଲ କଥା କହୁ ନାହୁଁ । ଆମେ କହୁଛୁ ରାଜନିତୀରେ ଭୋଟ ଫସଲ ଅମଳ କରିବା କଥା । ପାଖେଇ ଆସିଲାଣି ନିର୍ବାଚନ ଋତୁ । ଉଷ୍ମ ହେବାରେ ଲାଗିଛି କେନ୍ଦ୍ରାପଡା ଜିଲ୍ଲାର ରାଜନୈତିକ ପାଣିପାଗ । ବିଗତ ୧୦ ବର୍ଷ ଧରି ସାଧାରଣ ଜନତାଙ୍କ ଦୃଷ୍ଟିଆକର୍ଷଣ କରିବା ପାଇଁ ନାନା କଳାକୌଶଳ ଆପେଣଇଥିବା କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀରେ ନେତା ଏବେ ଭୋଟ ମାଗିବା ପାଇଁ ସିରପା ବାନ୍ଧି ସଜବାଜ ହେଲେଣି । ଅନ୍ୟପକ୍ଷରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ସବୁ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି । ତେବେ ଏହି ନେତାମାନଙ୍କ ଭିଡଦେଖି ଭୋଟର ବି ପ୍ରତିନିଧି ବାଛିବା ନେଇ ସଚେତନ ହୋଇ ଉଠିଲେଣି ।

ଏଥର କେନ୍ଦ୍ରାପଡାବାସୀ ପରଦେଶୀ ଅପେକ୍ଷା ମାଟିପୁଅକୁ ଗୁରୁତ୍ୱ ପ୍ରଦାନ କରିବେ ବୋଲି ଶୁଣିବାକୁ ମିଳିଲାଣି । ନିର୍ବାଚନ ଋତୁ ଯେତିକି ପାଖେଇ ଆସୁଛି ସେତିକି ଚଳଚଚଂଳ ହୋଇ ପଡୁଛି କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ । ସମଗ୍ର ନିର୍ବାଚନମଣ୍ଡଳୀରେ ଏବେ ନିର୍ବାଚନୀ ଉଷ୍ମତା ଅନୁଭବ କଲେଣି ସାଧାରଣ ଜନତା । ଜୋର ଧରିଲାଣି ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ନିର୍ବାଚନୀ ପ୍ରସ୍ତୁତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀରେ ୨୦୧୯ ସିଂହାସନ ପାଇଁ ଥିବା ପ୍ରର୍ଥୀ ସମ୍ପର୍କିତ ରିପୋର୍ଟ ଦେଖିବା ପୂର୍ବରୁ ଆସନ୍ତୁ ନଜର ପକେଇ ନେବା ଏହି ଆଶନର ଭୌଗଳିକ ସ୍ଥିତି ଉପରେ । ବିଭିନ୍ନ ଦୃଷ୍ଟିକୋଣରୁ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ଏକ ସମ୍ବେଦନଶୀଳ ଆସନ ଭାବେ ପରିଚିତ ଲାଭ କରିଛି । ରାଜ୍ୟ ତଥା ରାଷ୍ଟ୍ରୀୟ ରାଜନୀତିରେ ଏହି ଆସନର ଗୁରୁତ୍ୱ ସବୁ ବେଳେ ରହି ଆସିଛି ।

୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ୧୮ଟି ଲୋକସଭା ନିର୍ବାଚନକୁ ସାମନା କରିଛି କେନ୍ଦ୍ରାପଡା । ଅତୀତରୁ ଆଜିଯାଏ ରାଜ୍ୟର ବହୁ ହେବିୱେଟ୍ ନେତାଙ୍କୁ ଏହି ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ପଠେଇଛନ୍ତି କେନ୍ଦ୍ରାପଡାର ଭୋଟର । ବିଭିନ୍ନ ସମୟରେ ଏହି ଆସନରୁ କଂଗ୍ରେସର ନିତ୍ୟାନନ୍ଦ କାନୁନଗୋ , ପ୍ରଜାସୋସାଲିଷ୍ଟ ପାର୍ଟିର ସୁରେନ୍ଦ୍ର ନାଥ ଦ୍ୱିବେଦୀ , ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି ନିର୍ବାଚିତ ହୋଇଥିଲେ । ଜନତାପାର୍ଟିରୁ ବିଜୁ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ୧୯୮୫ ଉପନିର୍ବାଚନରେ ଶରତ ଦେବ ଜନତାପାର୍ଟି ଟିକେଟରେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୮୯ ଓ ୧୯୯୧ରେ ଜନତାଦଳରୁ ରବି ରାୟ ନିର୍ବାଚିତ ହୋଇଥିଲେ । ୧୯୯୬ରେ ଏହି ଆସନରୁ ଜନତାଦଳର ଶ୍ରୀକାନ୍ତ ଜେନା ନିର୍ବାଚିତ ହୋଇଥିବା ବେଳେ ୧୯୯୮ ଓ ୧୯୯୯ରେ ବିଜୁ ଜନତାଦଳରୁ ପ୍ରଭାତ ସାମନ୍ତରାୟ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ବିଜୁ ଜନତା ଦଳରୁ ଅର୍ଚ୍ଚନା ନାୟକ ନିର୍ବାଚିତ ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ ୨ଥର ବିଜୁଜନତା ଦଳରୁ ଜୈଜୟନ୍ତ ଜୟ ପଣ୍ଡା ନିର୍ବାଚିତ ହୋଇ ୨୦୧୮ ମସିହା ଜୁନ ୧୪ତାରିଖରେ ଇସ୍ତଫା ଦେଇଥିଲେ । ୧୫- କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ୯୭ କେନ୍ଦ୍ରାପଡା,୯୬ ପାଟକୁରା, ୯୮ ଆଳି,୯୯ ରାଜନଗର,୧୦୦ ମହାକାଳପଡା, ୯୪ ମାହାଙ୍ଗା ଓ ୯୫ ସାଲେପୁର ଭଳି ୭ଟି ବିଧାନସଭା ନିର୍ବାଚନ ମଣ୍ଡଳି ରହିଛି । ଚଳିତ ଥର ନିର୍ବାଚନରେ ବିଜେପିରୁ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହେଉଥିବା ବେଳେ ବିଜେଡିରୁ ଚଳଚିତ୍ର ତାରକା ଅନୁଭବ ମହାନ୍ତି ଏବଂ ଜାତୀୟ କଂଗ୍ରେସରୁ ବରିଷ୍ଠ ଆଇନଜୀବି ଧରଣୀଧର ନାୟକ ପ୍ରାର୍ଥୀ ହେଉଥିବାର ଜଣାଯାଇଛି । ପ୍ରାର୍ଥୀମାନେ ମୁଖ୍ୟତଃ ଲୋକସମ୍ପର୍କକୁ ପୁଞ୍ଜି କରି ନିର୍ବାଚନର ମଇଦାନକୁ ଓହ୍ଳେଇବା ପାଇଁ ପ୍ରସ୍ୁତ ହୋଇ ରହିଥିବା ବେଳେ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ଯୋଜନାର କାହାଣି ଶୁଣିବାକୁ ମିଳିବ ସେମାନଙ୍କ ମୁହଁରୁ ।

୧୯୯୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ୨୦ ବର୍ଷ ଧରି କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀଟି ବିଜେଡି ଶାସନାଧୀନ ରହିଥିବା ବେଳେ ସେଥିମଧ୍ୟରୁ ୯ ବର୍ଷରୁ ଅଧିକ ସମୟ ବୈଜୟନ୍ତ ପଣ୍ଡା ସାସଂଦ ଭାବରେ ରହିଛନ୍ତି । ଏହି ଅଂଚଳର ବିକାଶ ପ୍ରତି ନିର୍ବାଚିତ ଲୋକପ୍ରତିନଧିଙ୍କ ଉଦାସୀନତା ବିଭିନ୍ନ କ୍ଷେତ୍ରରେ ସ୍ପଷ୍ଟ ବାରି ହୋଇ ପଡୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ନିଯୁକ୍ତି ପ୍ରଭୃତିରେ ସରକାରଙ୍କ ଅବହେଳାକୁ ନେଇ ଜନତାଙ୍କ ମଧ୍ୟରେ ରହିଛି ଗଭୀର ଅସନ୍ତୋଷ । ଆସନ୍ତୁ ନଜର ପକାଇବା କେନ୍ଦ୍ରାପଡାର ମୌଳିକ ସମସ୍ୟା ଗୁଡିକ ଉପରେ । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାକୁ ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଛି । ନା ଏଠାରେ ଯନ୍ତ୍ରପାତିଅଛି ନା ମିଳୁଛି ରୋଗୀସେବା ।

କେବଳ ସେତିକି ନୁହେଁ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଅବସ୍ଥା ମଧ୍ୟ ତଦୃପ । ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ଥାପନ କରାଯିବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ସେଥିପ୍ରତି ସାସଂଦ କେଭେବି ସଂସଦରେ ଏଥି ନିମନ୍ତେ ଦାବି କରିଥିବାର ଦେଖାଯାଇନି । ଜିଲ୍ଲାରେ ଛୋଟ ଶିଳ୍ପ ଟିଏ ନଥିବା ବେଳେ ଛୁଚିଁ କାରାଖାନାଟିଏ କରିବାକୁ ମଧ୍ୟ ସାସଂଦ ପଦକ୍ଷେପ ନେଇନାହାନ୍ତି । ଏତଦଭିନ୍ନ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀ ବେଶ୍ ଅବହେଳିତ । କାରଣ ରାଜ୍ୟର ସର୍ବପୁରାତନ ବେସରକାରୀ କଲେଜ୍ ଭାବେ ପରିଚିତ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଥିପ୍ରତି ସାସଂଦ କୌଣସି ଠୋସ ପଦକ୍ଷେପ ନେଇ ନଥିବା ଦେଖାଯାଇଛି ।

ସମଗ୍ର ନିର୍ବାଚନମଣ୍ଡଳୀରେ ଗମନା ଗମନ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସେହିପରି ନିର୍ବାଚନମଣ୍ଡଳୀରେ ଉକ୍ରଟ ହେବାରେ ଲାଗିଛି ବେକାରୀ ସମସ୍ୟା । ନିଯୁକ୍ତି ସୁଯୋଗ ନଥିବାରୁ ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ଓ ଦେଶ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ବିଗତ ୨୦ ବର୍ଷ ଭିତରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀରେ ନିର୍ବାଚିତ ସାସଂଦ କେବଳ ସାସଂଦ ପାଣ୍ଠି କୁ ଛାଡିଦେଲେ ଅନ୍ୟ କୈାଣସି ବିକାଶ ପାଇଁ ଉଦ୍ୟମ କରି ନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଭୋଟର । ବିକାଶର ସ୍ୱପ୍ନ ଦେଖୁଥିବା ଏହି ନିର୍ବାଚନମଣ୍ଡଳୀର ଲୋକମାନଙ୍କ ପାଇଁ ବିକାଶ ତଥାପି ସ୍ୱପ୍ନ ହୋଇ ରହିଛି ।

କିନ୍ତୁ ଚଳିତ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟଦେବାକୁ ଭୋଟରମାନେ ଜଗି ବସିଛନ୍ତି । ବାରମ୍ବାର ପରଦେଶୀମାନେ ଏହି ମହତ୍ୱପୂର୍ଣ୍ଣ ଆସନରୁ ନିର୍ବାଚିତ ହୋଇ କେନ୍ଦ୍ରାପଡାର ବିକାଶକୁ କେବଳ ସ୍ୱପ୍ନରେ ରଖିଦେଇଥିବା ବେଳେ ଏବେ କିନ୍ତୁ ସେଭଳି ସ୍ୱପ୍ନରୁ ଦୂରେଇ ରହି ସ୍ୱାଭିମାନୀ କେନ୍ଦ୍ରାପଡିଆ କେବଳ କେନ୍ଦ୍ରାପଡା ମାଟିରପୁଅକୁ ନିର୍ବାଚିତ କରିବାକୁ ଆଗେଇ ଆସିବେ ବୋଲି ଶୁଣିବାକୁ ମିଳିଛି ।

error: Thank You Keep Visiting