ମନୋନୟନର ଷଷ୍ଠ ଦିବସରେ କେନ୍ଦ୍ରାପଡା ଜିଲ୍ଲାରୁ ବିଧାନସଭାରେ ୨୨ ଓ ଲୋକସଭାରେ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

Straight to the Point

କେନ୍ଦ୍ରାପଡା: ମନୋନୟନର ଷଷ୍ଠ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୫ଟି ବିଧାନସଭା ଆସନରେ ୨୨ ଓ ଲୋକସଭା ଆସନରେ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ସୋମବାର ସଂପୃକ୍ତ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିଛନ୍ତି । ସେଥିମଧ୍ୟରୁ ପାଟକୁରା ବିଧାନସଭା କ୍ଷେତ୍ରରେ ସର୍ବାଧିକ ୮ଟି ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ କେନ୍ଦ୍ରାପଡାରେ ୨,ରାଜନଗର ପାଇଁ ୩,ଆଳି ପାଇଁ ୫,ମହାକାଳପଡା ପାଇଁ ୪ଟି ନାମାଙ୍କନପତ୍ର ଦାଖଲ ହୋଇଛି । ସେଗୁଡିକ ହେଉଛି ୯୭ କେନ୍ଦ୍ରାପଡା (ଏସସି)ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସୁନାକର ବେହେରା ଓ ବିଏସପି ପ୍ରାର୍ଥୀ ରଞ୍ଜନ ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୯୬ ପାଟକୁରା ବିଧାନସଭା ଆସନରୁ ଅନ୍ନଦା ପ୍ରସାଦ ରାୟ,ପ୍ରଫୁଲ୍ଲ କୁମାର ବେହେରା,ସଞ୍ଜୟ କୁମାର ସ୍ୱାଇଁ,ରତିକାନ୍ତ କାନୁନଗୋ ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡିରୁ ପୂର୍ବତନ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ,କଂଗ୍ରେସରୁ ଜୟନ୍ତ ମହାନ୍ତି ଓ ବିଜେପିରୁ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ସମାଜବାଦି ପାର୍ଟିରୁ ପ୍ରଦୀପ କୁମାର ମିଶ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

୯୮ ଆଳି ବିଧାନସଭା କ୍ଷେତ୍ରରୁ ସୁଧାକର ମଲ୍ଲିକ ବିଏସପିରୁ ,ମଜଦୁର ବିକାଶ ଦଳରୁ ଜୟନ୍ତ କୁମାର ମଲ୍ଲିକ,ସିପିଆଇଏମ(ଏମଏଲ)ରୁ ବିଧାନ ଚନ୍ଦ୍ର ଦାସ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡିରୁ ରାଜ୍ୟସଭା ସାସଂଦ ପ୍ରତାପ କେଶରୀ ଦେବ ଓ ବିଜେପିରୁ ଦୋଳଗୋବିନ୍ଦ ନାୟକ ପ୍ରାର୍ଥୀପତ୍ର ଦାଖଲ କରିଥିôଲେ । ସେହିଭଳି ୯୯ ରାଜନଗର ବିଧାନସଭା ଆସନରୁ ବିଜେଡିରୁ ଧ୍ରୁବ ଚରଣ ସାହୁ,କଂଗ୍ରେସରୁ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ବିଜେପିରୁ ଅଲେଖ କୁମାର ଜେନା ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୧୦୦ ମହାକାଳପଡା ବିଧାନସଭା ଆସନରୁ କଂଗ୍ରେସର ବିଭ୍ରାଂଶୁ ଶେଖର ଲେଙ୍କା,ବିଜେପିର ବିଜୟ ପ୍ରଧାନ, ବିଏସପିରୁ ଅଧିର ନାଥଶର୍ମା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ରଞ୍ଜିତା କାନୁନଗୋ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଏତଦଭିନ୍ନ ୧୫ କେନ୍ଦ୍ରାପଡା ଲୋକସଭା ଆସନରେ କଂଗ୍ରେସ ଦଳର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ପୂର୍ବତନ ସାସଂଦ ତଥା ବିଜେପି ଦଳର ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବରେ ସନ୍ତୋଷ କୁମାର ପାତ୍ର ମନୋନୟନପତ୍ର ଦାଖଲ କରିଥିବା ଜଣାପଡିଛି । ସ୍ୱାଧୀନ ପ୍ରାର୍ଥୀଙ୍କ ବ୍ୟତିତ କଂଗ୍ରେସ,ବିଜେପି ଓ ବିଜେଡି ଦଳର ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ କେନ୍ଦ୍ରାପଡାର ବିକାଶକୁ ମୁଦା କରିଥିବା ବେଳେ ବିଜେଡି ଦଳର ବିଧାନସଭା ପ୍ରାର୍ଥୀମାନେ ବିଜେପି ଓ କଂଗ୍ରେସ ବିରୋଧରେ ବିଶୋଦଗାର କରିଥିଲେ । ସେହିପରି ବିଜେପି ଦଳର ପ୍ରାର୍ଥୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ କେନ୍ଦ୍ରାପଡାର ବିକାଶରେ ବାଧା ଉପୁଜିଛି ବୋଲି ମତବ୍ୟକ୍ତ କରିଥିଲେ ।

error: Thank You Keep Visiting